ରାଜ୍ୟ

Nandankanan ; ପର୍ଯ୍ୟଟକ ଦେଖିବା ପୂର୍ବରୁ ଆଖି ବୁଝୁଛନ୍ତି ନୂଆ ଜନ୍ତୁ ; ଦୁଇ ମିରକାଟଙ୍କ ମୃତ୍ୟୁ, ୱାଲାବିକୁ ଥଣ୍ଡା

ବାରଙ୍ଗ, ୨୨/୦୯: ନନ୍ଦନକାନନ ପ୍ରାଣୀଉଦ୍ୟାନ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା କ୍ଷେତ୍ରରେ ଦୁଇପାଦ ଆଗକୁ ବଢ଼ୁଥିବାବେଳେ ଚାରି ପାଦ ପଛକୁ ଫେରୁଛି । ନୂଆ ନୂଆ ଜନ୍ତୁ ଆଣି ନନ୍ଦନକାନନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପଦକ୍ଷେପ ନେଉଛି । ମାତ୍ର ନୂଆ ଜନ୍ତୁଙ୍କୁ ପର୍ଯ୍ୟଟକମାନେ ଦେଖିବା ପୂର୍ବରୁ କ୍ୱାରେଣ୍ଟାଇନ୍ ସେଣ୍ଟର (ସଙ୍ଗରୋଧ ଗୃହ)ରେ ହିଁ କିଛି ଜନ୍ତୁଙ୍କ ମୃତ୍ୟୁ ଘଟୁଛି । ଆଉ କିଛି ଜନ୍ତୁ ସଙ୍ଗରୋଧ ଗୃହରେ ଥାଇ ଅସୁସ୍ଥ ହେଉଛନ୍ତି । ଯାହାକି ପର୍ଯ୍ୟଟକମାନଙ୍କୁ ନିରାଶ କରୁଛି । ଏଭଳି ସ୍ଥିତିରେ ନନ୍ଦନକାନନ କିଭଳି ବିଶ୍ୱସ୍ତରୀୟ ହେବ ତାହାକୁ ନେଇ ଜନ୍ତୁପ୍ରେମୀମାନେ ଚିନ୍ତା ପ୍ରକଟ କରିଛନ୍ତି ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟର ରାଧାକ୍ରିଷ୍ଣା ଟେମ୍ପୁଲ ଏଲିଫ୍ୟାଣ୍ଟ ୱେଲ୍ଫେୟାର ଟ୍ରଷ୍ଟ ପକ୍ଷରୁ ଉପହାର ସ୍ୱରୂପ ୧୪ଟି ପ୍ରଜାତିର ୫୮ଟି ଜନ୍ତୁ ମିଳିଥିଲା । ସମସ୍ତ ଜନ୍ତୁ ଗତ ୧୧ ତାରିଖ ରାତିରେ ନନ୍ଦନକାନନରେ ପହଞ୍ଚିଥିଲେ । ସେମାନଙ୍କୁ ପ୍ରାଣୀ ଉଦ୍ୟାନର ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ନିୟମ ଅନୁଯାୟୀ, ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସଂକ୍ରମଣରୁ ରକ୍ଷା ଏବଂ ଧୀରେ ଧୀରେ ଏଠାକାର ପରିବେଶ ସହିତ ଖାପଖୁଆଇବା ନିମନ୍ତେ ପ୍ରାୟ ୩୦ଦିନ ଧରି ସଙ୍ଗରୋଧ ଗୃହରେ ରଖାଯାଇଥାଏ । ସେମାନଙ୍କ ହାବଭାବ, ଗତିବିଧି ଉପରେ ନଜର ରଖାଯିବା ସହ ଆବଶ୍ୟକ ଅନୁଯାୟୀ ଖାଦ୍ୟ, ପାନୀୟ, ଔଷଧ ଆଦି ଦିଆଯାଇଥାଏ । ସେପର୍ଯ୍ୟନ୍ତ ଏହି ଜନ୍ତୁମାନଙ୍କୁ ପର୍ଯ୍ୟଟକ ଦେଖିପାରନ୍ତି ନାହିଁ । ୩୦ ଦିନ ପରେ ସେମାନଙ୍କୁ ପର୍ଯ୍ୟଟକ ଦେଖିବା ପାଇଁ ଖୁଆଡ଼ରେ ଛଡ଼ାଯାଇଥାଏ । ବର୍ତ୍ତମାନ ଏହି ନୂଆ ଜନ୍ତୁଙ୍କ ମଧ୍ୟରେ ଆସିଥିବା ୬ଟି ମିରକାଟ ମଧ୍ୟରୁ ୨ଟିର ସଙ୍ଗରୋଧ ଗୃହରେ ମୃତ୍ୟୁ ଘଟିଛି । ଜନ୍ତୁ ୨ଟି କିଛିଦିନ ହେଲା ଅସୁସ୍ଥ ହୋଇପଡ଼ିଥିଲେ । ଏଠାକୁ ଆସିବା ପରଠୁ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁନଥିଲେ । ସେମାନଙ୍କ ଆବଶ୍ୟକ ଚିକିତ୍ସା କରାଯାଉଥିଲେ ମଧ୍ୟ ପ୍ରାଣୀଚିକିତ୍ସକମାନେ ବଞ୍ଚାଇପାରି ନଥିଲେ । ବ୍ୟବଚ୍ଛେଦ ରିପୋର୍ଟରୁ ନିମୋନିଆ ପାଇଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେହିପରି ନୂଆ ଆସିଥିବା ୬ଟି ୱାଲାବି ମଧ୍ୟରୁ କେତୋଟିର ଥଣ୍ଡା ଲାଗି ରହିଛି । ନାକରୁ ପାଣି ଗଡୁଛି । ଏ ସମ୍ପର୍କରେ ନନ୍ଦନକାନନ ଉପନିର୍ଦ୍ଦେଶକ ପ୍ରଦୀପ ମୀରାସେ କହିଛନ୍ତି, ଅସୁସ୍ଥ ୱାଲାବିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଚିକିତ୍ସା କରାଯାଉଛି । ବାକି ଅନ୍ୟ ସବୁ ନୂଆ ଜୀବଜନ୍ତୁ କ୍ୱାରେଣ୍ଟାଇନରେ ସୁସ୍ଥ ଅଛନ୍ତି, ଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button