BSP: ବିଏସ୍ପିର ଜାତୀୟ ସଂଯୋଜକ ହେଲେ ଈଶାନ ଆନନ୍ଦ
ବିଏସ୍ପିର ନୂଆ ଜାତୀୟ ସଂଯୋଜକ ଭାବେ ଦଳର ମୁଖ୍ୟ ମାୟାବତୀଙ୍କ ପୁତୁରା ଈଶାନ ଆନନ୍ଦଙ୍କୁ ନିଯୁକ୍ତ କରାଯାଇଛି। ବୁଧବାର ଲକ୍ଷ୍ନୌସ୍ଥିତ ବିଏସ୍ପି ମୁଖ୍ୟାଳୟରେ ଅନୁଷ୍ଠିତ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ମାୟାବତୀ...

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସ୍ପି)ର ନୂଆ ଜାତୀୟ ସଂଯୋଜକ ଭାବେ ଦଳର ମୁଖ୍ୟ ମାୟାବତୀଙ୍କ ପୁତୁରା ଈଶାନ ଆନନ୍ଦଙ୍କୁ ନିଯୁକ୍ତ କରାଯାଇଛି। ବୁଧବାର ଲକ୍ଷ୍ନୌସ୍ଥିତ ବିଏସ୍ପି ମୁଖ୍ୟାଳୟରେ ଅନୁଷ୍ଠିତ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ମାୟାବତୀ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହି ପଦରେ ପୂର୍ବରୁ ଈଶାନଙ୍କ ବଡ଼ ଭାଇ ଆକାଶ ଆନନ୍ଦ ଥିଲେ। ଆକାଶଙ୍କୁ ଦଳର ସମସ୍ତ ଦାୟିତ୍ୱରୁ ହଟାଇବାର କିଛି ଦିନ ପରେ ଈଶାନଙ୍କୁ ଏହି ଦାୟିତ୍ୱ ମିଳିଛି।
୨୭ ବର୍ଷୀୟ ଈଶାନ ଆନନ୍ଦ ମାୟାବତୀଙ୍କ ସାନଭାଇ ତଥା ବିଏସ୍ପିର ଜାତୀୟ ଉପାଧ୍ୟକ୍ଷ ଆନନ୍ଦ କୁମାରଙ୍କ ପୁଅ। ସେ ଲଣ୍ଡନର ୟୁନିଭର୍ସିଟି ଅଫ୍ ୱେଷ୍ଟମିନଷ୍ଟରରୁ ଆଇନ ଶିକ୍ଷା ନେଇଛନ୍ତି ଏବଂ ଏଲ୍ଏଲ୍ଏମ୍ କରିଛନ୍ତି। ରାଜନୀତିରେ ତାଙ୍କର ପ୍ରତ୍ୟକ୍ଷ ଅଭିଜ୍ଞତା ସୀମିତ। ବିଏସ୍ପିରେ ସକ୍ରିୟ ଭାବେ ଦାୟିତ୍ୱ ନେବା ପୂର୍ବରୁ ସେ ପରିବାରର ହୋଟେଲ୍ ବ୍ୟବସାୟ ଓ ଔଷଧ ବିତରଣ ବ୍ୟବସାୟ ସହ ଜଡ଼ିତ ଥିଲେ।
ଈଶାନଙ୍କ ଦଳୀୟ ଭୂମିକା ଗତ କିଛି ସପ୍ତାହରେ ବଢ଼ିଛି। ଏହା ପୂର୍ବରୁ ତାଙ୍କୁ ବିଏସ୍ପିର ମୁଖ୍ୟ ସେକ୍ଟର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା। ଏବେ ଜାତୀୟ ସଂଯୋଜକ ଦାୟିତ୍ୱ ମିଳିବା ପରେ ଦଳର ସାଂଗଠନିକ କାର୍ଯ୍ୟରେ ତାଙ୍କ ଭୂମିକା ଆହୁରି ବଢ଼ିଛି। ନିଯୁକ୍ତି ପରେ ଈଶାନ ମାୟାବତୀଙ୍କୁ ଧନ୍ୟବାଦ ଦେଇ ଏହି ଦାୟିତ୍ୱକୁ ସଚ୍ଚୋଟତା ଓ ନିଷ୍ଠାର ସହ ତୁଲାଇବେ ବୋଲି କହିଛନ୍ତି। ସେ ବିଆର୍ ଆମ୍ବେଦକର ଓ ବିଏସ୍ପି ପ୍ରତିଷ୍ଠାତା କାଂଶୀରାମଙ୍କ ଆଦର୍ଶର ଉଲ୍ଲେଖ ମଧ୍ୟ କରିଛନ୍ତି।
ସୌଜନ୍ୟ ସମ୍ବାଦ




