Student Mental Health: ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟର ଯତ୍ନ ଓ ସୁରକ୍ଷା ସୁନିଶ୍ଚିତ କରାଯିବା ଉପରେ ଗୁରୁତ୍ବାରୋପ
ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟର ଯତ୍ନ ଓ ସୁରକ୍ଷା ସୁନିଶ୍ଚିତ କରାଯିବା ଉପରେ ଓଡ଼ିଶା ମାନବାଧିକାର କମିସନ ଗୁରୁତ୍ବାରୋପ କରିଛନ୍ତି। ଶିକ୍ଷାନୁଷ୍ଠାନ ଗୁଡ଼ିକରେ କାଉନସେଲରଙ୍କ ନିଯୁକ୍ତି, ମାନସିକ ସ୍ବାସ୍ଥ୍ୟ ତାଲିମ, ଛାତ୍ରଛାତ୍ରୀଙ୍କୁ ମାନସିକ ସ୍ବାସ୍ଥ୍ୟ...

କଟକ:ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟର ଯତ୍ନ ଓ ସୁରକ୍ଷା ସୁନିଶ୍ଚିତ କରାଯିବା ଉପରେ ଓଡ଼ିଶା ମାନବାଧିକାର କମିସନ ଗୁରୁତ୍ବାରୋପ କରିଛନ୍ତି। ଶିକ୍ଷାନୁଷ୍ଠାନ ଗୁଡ଼ିକରେ କାଉନସେଲରଙ୍କ ନିଯୁକ୍ତି, ମାନସିକ ସ୍ବାସ୍ଥ୍ୟ ତାଲିମ, ଛାତ୍ରଛାତ୍ରୀଙ୍କୁ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ନିକଟକୁ ପଠାଇବା ପାଇଁ ବ୍ୟବସ୍ଥିତ ପ୍ରକ୍ରିୟା (ରେଫେରାଲ ମେକାନିଜିମ), ସୁରକ୍ଷା ବ୍ୟବସ୍ଥା ପ୍ରସଂଗରେ ସୁପ୍ରିମକୋର୍ଟ ‘ସୁକଦେବ ସାହା ବନାମ ଆନ୍ଧ୍ର ପ୍ରଦେଶ’ ମାମଲାରେ ଜାରି କରିଥିବା ଗାଇଡଲାଇନ କାର୍ଯ୍ୟକାରୀ କରିବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନର ଶୁଣାଣି କରି ନିର୍ଦ୍ଦେଶ ପ୍ରଦାନ
ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏହି ଗାଇଡଲାଇନର ଫଳପ୍ରଦ କାର୍ଯ୍ୟକାରୀ, କାଉନସେଲର, ମାନସିକ ସ୍ବାସ୍ଥ୍ୟ ସଚେତନତା, ତାଲିମ ରେଫେରାଲ ମେକାନିଜିମ ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ ଲାଗି ଉଚ୍ଚଶିକ୍ଷା ସଚିବ, ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟକୁ କମିସନ ସୁପାରିସ କରିଛନ୍ତି। ଏଥି ସହିତ ସଂପୃକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହିତ ସମନ୍ବୟ ରକ୍ଷା କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଆବଶ୍ୟକ ମାନସିକ ସ୍ବାସ୍ଥ୍ୟ ସମର୍ଥନ, କାଉନସେଲିଂ ଓ ରେଫେରାଲ ସେବା ପ୍ରଦାନ କରିବେ। ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ରୋକିବା ତଥା ହ୍ରାସ କରିବା ପାଇଁ ଉପଯୁକ୍ତ ସାଂସ୍ଥାଗତ ବ୍ୟବସ୍ଥା କରିବା ପାଇଁ ସ୍ବାସ୍ଥ୍ୟ ସଚିବ ଓ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକଙ୍କୁ କମିସନ ସୁପାରିସ କରିଛନ୍ତି। କମିସନ ସଦସ୍ୟ ବି.ଏସ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସାମାଜିକ କର୍ମୀ ବୃନ୍ଦାବନ ଦାସ ଆଜାଦଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ସୌଜନ୍ୟ ସମ୍ବାଦ




