Chilika Lake : ନୀଳାମ୍ବୁ ଚିଲିକାର ରୌଦ୍ର ରୂପ, ଗଭୀର ଅବପାତ ପ୍ରଭାବରେ ଅଶାନ୍ତ ହ୍ରଦ, ଡ଼ଙ୍ଗା ଚଳାଚଳ ବନ୍ଦ

ଖୋର୍ଦ୍ଧା, ୨୪/୯ : ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ରୌଦ୍ର ରୂପ । ଗଭୀର ଅବପାତ ପ୍ରଭାବରେ ଅଶାନ୍ତ ହ୍ରଦ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଲଗାଣ ବର୍ଷା ସାଙ୍ଗକୁ ଜୋରଦାର୍ ପବନ ବହୁଛି । ଫଳରେ ଚିଲିକା ଅଶାନ୍ତ ହୋଇପଡ଼ିଛି ।
ଚିଲିକାର ଅଶାନ୍ତ ଜଳରାଶିରେ ବଡ଼ ବଡ଼ ଢେଉ ଉଠୁଛି । ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଓ ପବନ ଜନଜୀବନକୁ ପ୍ରଭାବିତ କରିଛି । ପ୍ରଶାସନ ପକ୍ଷରୁ ଚିଲିକା ଉପରେ ନଜର ରଖାଯାଇଛି । ଗଭୀର ଅବପାତ ଯୋଗୁଁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଖୋର୍ଧା ଜିଲ୍ଲାର ବାଲୁଗାଁ-ବାଣପୁର ଓ ଟାଙ୍ଗୀ ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଛେଚୁଛି । ରାସ୍ତାରେ ଗଛ ଭାଙ୍ଗି ପଡ଼ିଥିବାରୁ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି । ଚିଲିକାରେ ଡ଼ଙ୍ଗା ଚଳାଚଳ ବନ୍ଦ ରହିଛି ।
ସେପଟେ ଲଗାଣ ବର୍ଷାରେ ଚିଲିକା ବ୍ଲକ ସିଙ୍ଗଶ୍ୱର ପାଞ୍ଚୟତର କୁମ୍ଭୀରପଡା ଗ୍ରାମର ନିରୁପମା ଓ ଅଜୟ ମଙ୍ଗରାଜର ଘର ଭାଙ୍ଗିଯାଇଛି । ରାତିରେ ଘର ଭାଙ୍ଗି ଯାଇଥିବାରୁ ପରିବାର ଲୋକେ ବାହାରକୁ ବାହାରି ପାରି ନଥିଲେ । ତେବେ ଏହି ଅଘଟଣରୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କେହିବି ଆହତ ହୋଇନାହାନ୍ତି ।
ସୌଜନ୍ୟ ପ୍ରମେୟ




