ଦେଶ ବିଦେଶ

Radio signal: ସୌରଜଗତ ବାହାର ଗ୍ରହରୁ ପ୍ରଥମଥର ରେଡିଓ ସଙ୍କେତ ଠାବ

ସୌରଜଗତ ବାହାରେ ଥିବା ଏକ ଗ୍ରହରୁ ପ୍ରଥମଥର ପାଇଁ ସିଧାସଳଖ ରେଡିଓ ସଙ୍କେତ ଆସୁଥିବା ଠାବ କରିଛନ୍ତି ମହାକାଶ ବିଜ୍ଞାନୀ। ‘ବିଟା ପିକ୍ଟୋରିସ୍ ବି’ ନାମକ ଏକ ବିଶାଳ ଗ୍ୟାସୀୟ ଗ୍ରହରୁ ଏହା ଆସୁଥିବା ଚିହ୍ନଟ ହୋଇଛି।

ନୂଆଦିଲ୍ଲୀ: ସୌରଜଗତ ବାହାରେ ଥିବା ଏକ ଗ୍ରହରୁ ପ୍ରଥମଥର ପାଇଁ ସିଧାସଳଖ ରେଡିଓ ସଙ୍କେତ ଆସୁଥିବା ଠାବ କରିଛନ୍ତି ମହାକାଶ ବିଜ୍ଞାନୀ। ‘ବିଟା ପିକ୍ଟୋରିସ୍ ବି’ ନାମକ ଏକ ବିଶାଳ ଗ୍ୟାସୀୟ ଗ୍ରହରୁ ଏହା ଆସୁଥିବା ଚିହ୍ନଟ ହୋଇଛି। ପୃଥିବୀଠାରୁ ପ୍ରାୟ ୬୩ ଆଲୋକବର୍ଷ ଦୂରରେ ଥିବା ଏହି ଗ୍ରହକୁ ଦକ୍ଷିଣ ଆଫ୍ରିକାର ‘ମିରକ୍ୟାଟ୍‌’ ରେଡିଓ ଟେଲିସ୍କୋପ୍‌ ଆରେ ଦ୍ୱାରା ନିରୀକ୍ଷଣ କରାଯାଇଛି। ଏହି ଆବିଷ୍କାର ଫଳରେ ପ୍ରଥମଥର ପାଇଁ ସୌରଜଗତ ବାହାର ଏକ ଗ୍ରହର ଚୁମ୍ବକୀୟ କ୍ଷେତ୍ରର ଶକ୍ତି ସମ୍ପର୍କରେ ପ୍ରତ୍ୟକ୍ଷ ଆକଳନ କରିବାର ସୁଯୋଗ ମିଳିଛି।

ଗବେଷକମାନେ ୨୦୨୫ ଓ ୨୦୨୬ରେ ଚାରିଟି ପର୍ଯ୍ୟାୟରେ ‘ବିଟା ପିକ୍ଟୋରିସ୍‌’ ନକ୍ଷତ୍ରମଣ୍ଡଳକୁ ମିରକ୍ୟାଟ୍‌ ଦ୍ୱାରା ନିରୀକ୍ଷଣ କରିଥିଲେ। ସେଥିରେ ଦ୍ରୁତ ଓ ପୁନରାବୃତ୍ତି ହେଉଥିବା ରେଡିଓ ବିସ୍ଫୋରଣ ଭଳି ସଙ୍କେତ ସହ ଅବିରତ ରେଡିଓ ତରଙ୍ଗ ନିର୍ଗମନ ମଧ୍ୟ ରେକର୍ଡ ହୋଇଥିଲା। ଏହାର ତରଙ୍ଗଦୈର୍ଘ୍ୟ ୦.୮୫ରୁ ୩.୫ ଗିଗାହର୍ଜ ମଧ୍ୟରେ ଥିଲା। ଏହା ନକ୍ଷତ୍ରରୁ ନୁହେଁ, ଗ୍ରହ ‘ବିଟା ପିକ୍ଟୋରିସ୍ ବି’ରୁ ଆସୁଥିବା ଜଣାପଡ଼ିଥିଲା।

ବିଜ୍ଞାନୀଙ୍କ ଅନୁଯାୟୀ, ଏହି ରେଡିଓ ନିର୍ଗମନର ସମ୍ପର୍କ ଗ୍ରହର ଚୁମ୍ବକୀୟ କ୍ଷେତ୍ର ଓ ‘ଅରୋରା’ ବା ମେରୁଜ୍ୟୋତି ସଦୃଶ ପ୍ରକ୍ରିୟା ସହ ରହିଛି। ଗ୍ରହର ଚୁମ୍ବକୀୟ କ୍ଷେତ୍ରରେ ଶକ୍ତିଶାଳୀ କଣିକା ପ୍ରବେଶ କରିବା ବେଳେ ରେଡିଓ ତରଙ୍ଗ ସୃଷ୍ଟି ହୋଇପାରେ। ପୃଥିବୀ ସମେତ ସୌରଜଗତର ଅନ୍ୟ କେତେକ ଗ୍ରହରେ ମଧ୍ୟ ଏପରି ପ୍ରକ୍ରିୟା ସହ ଅରୋରା ଦେଖାଯାଏ।

ସଙ୍କେତର ସର୍ବାଧିକ ତରଙ୍ଗଦୈର୍ଘ୍ୟ ଆଧାରରେ ଗବେଷକମାନେ ଆକଳନ କରିଛନ୍ତି ଯେ ‘ବିଟା ପିକ୍ଟୋରିସ୍ ବି’ର ଚୁମ୍ବକୀୟ କ୍ଷେତ୍ର ଅତି କମ୍‌ରେ ୧.୨୫ କିଲୋଗସ୍‌ ହୋଇପାରେ। ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ରଠାରୁ ଅନେକ ଗୁଣ ଅଧିକ। ଗ୍ରହଟି ୨୦୦୮ରେ ଆବିଷ୍କୃତ ହୋଇଥିଲା ଏବଂ ଏହା ବୃହସ୍ପତିର ପ୍ରାୟ ୧୧.୭ ଗୁଣ ବୋଲି ଆକଳନ କରାଯାଇଛି। ଏହା ନିଜ ନକ୍ଷତ୍ରକୁ ପରିକ୍ରମା କରିବାକୁ ପ୍ରାୟ ୨୩.୬ ବର୍ଷ ନେଇଥାଏ। ବିଜ୍ଞାନୀମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ରେଡିଓ ସଙ୍କେତ କୌଣସି ଭିନ୍ନଗ୍ରହର ଜୀବ ବା ସଭ୍ୟତା ପକ୍ଷରୁ ପଠାଯାଇଥିବା ବାର୍ତ୍ତା ନୁହେଁ। ଏହା ଗ୍ରହର ପ୍ରାକୃତିକ ଚୁମ୍ବକୀୟ ଓ ଅରୋରା ସମ୍ପର୍କିତ ପ୍ରକ୍ରିୟାର ଫଳ। ତଥାପି ସୌରଜଗତ ବାହାର ଗ୍ରହର ଚୁମ୍ବକୀୟ କ୍ଷେତ୍ର ଅଧ୍ୟୟନ ପାଇଁ ଏହି ଆବିଷ୍କାର ନୂଆ ଦିଗ ଖୋଲିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button