Jayshankar: ନାଗରିକ ଜାହାଜ ଉପରେ ଆକ୍ରମଣ ଅଗ୍ରହଣୀୟ: ୟୁଏନ୍ଜିଏରେ ଜୟଶଙ୍କରଙ୍କ କଡ଼ା ବାର୍ତ୍ତା
ଉପସାଗରୀୟ ଅଞ୍ଚଳ, ଲୋହିତ ସାଗର ଓ କୃଷ୍ଣ ସାଗରରେ ବାଣିଜ୍ୟିକ ଜାହାଜ ଓ ନାବିକଙ୍କ ଉପରେ ବାରମ୍ବାର ଆକ୍ରମଣକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।

ନୂଆଦିଲ୍ଲୀ: ଉପସାଗରୀୟ ଅଞ୍ଚଳ, ଲୋହିତ ସାଗର ଓ କୃଷ୍ଣ ସାଗରରେ ବାଣିଜ୍ୟିକ ଜାହାଜ ଓ ନାବିକଙ୍କ ଉପରେ ବାରମ୍ବାର ଆକ୍ରମଣକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଜାତିସଂଘ ସାଧାରଣ ପରିଷଦର ୮୧ତମ ଅଧିବେଶନ ଅବସରରେ ‘ଜାହାଜ ଚଳାଚଳ ତଥା ନାବିକଙ୍କ ସୁରକ୍ଷା ଓ ନିରାପତ୍ତା ସମ୍ପର୍କିତ ବନ୍ଧୁ ରାଷ୍ଟ୍ରମାନଙ୍କ ଗୋଷ୍ଠୀ’ର ପ୍ରଥମ ବୈଠକରେ ସେ ଏହା କହିଛନ୍ତି।
ଜୟଶଙ୍କର କହିଛନ୍ତି, ଭାରତ ଓ ଲାଇବେରିଆ ମିଳିତ ଭାବେ ଜାହାଜ ଓ ନାବିକଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଛନ୍ତି। ଉପସାଗରୀୟ ଅଞ୍ଚଳରେ ଗତ କିଛି ମାସ ହେଲା ବାଣିଜ୍ୟିକ ଜାହାଜ ଉପରେ ଲଗାତାର ଆକ୍ରମଣ ହେଉଛି। ଦୁଇ ଦିନ ପୂର୍ବେ ଗଲ୍ଫ୍ ଅଫ୍ ଓମାନରେ ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିବାବେଳେ, ୧୦ ଦିନ ପୂର୍ବେ ହର୍ମୁଜ୍ ପ୍ରଣାଳୀରେ ଏକ ତୈଳବାହୀ ଜାହାଜ ଉପରେ ଆକ୍ରମଣ ପରେ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିଲେ।
କୃଷ୍ଣ ସାଗରରେ ମଧ୍ୟ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିବା ଦୁଇଟି ଘଟଣାର ଉଦାହରଣ ଦେଇ ଜୟଶଙ୍କର କହିଛନ୍ତି, ନାଗରିକ ଜାହାଜ ଉପରେ ଆକ୍ରମଣ ଏବେ ବଢ଼ୁଥିବା ଚିନ୍ତାର କାରଣ। ଏପରି ଆକ୍ରମଣ ବାଣିଜ୍ୟିକ ଜାହାଜ ଚଳାଚଳକୁ ବାଧା ଦେବା ସହ ନିରୀହ ନାବିକଙ୍କ ଜୀବନ ନେଉଛି। ଏହାକୁ ରୋକିବା ପାଇଁ ଅନ୍ତର୍ଜାତୀୟ ସମୁଦାୟ ଏକାଠି ହୋଇ ପ୍ରଭାବଶାଳୀ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




