CJP :ମୋଦୀଙ୍କ ଛବି ସହ ମହିଳାଙ୍କ ଏଆଇ ଫଟୋ ମାମଲା, ସିଜେପି ନେତାଙ୍କୁ ହାଇକୋର୍ଟଙ୍କ ନୋଟିସ୍
CJP :ମୋଦୀଙ୍କ ଛବି ସହ ମହିଳାଙ୍କ ଏଆଇ ଫଟୋ ମାମଲା, ସିଜେପି ନେତାଙ୍କୁ ହାଇକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି ସହ ଜଣେ ମହିଳାଙ୍କ ମୁହଁକୁ ଏଆଇ ପ୍ରଯୁକ୍ତିରେ ଯୋଡ଼ି ତିଆରି କରାଯାଇଥିବା ଫଟୋକୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ନେତାଙ୍କୁ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ୍ ଗିରୀଶ କଥପାଲିଆ ଏହି ମାମଲାର ଶୁଣାଣି କରି ଆପତ୍ତିଜନକ ଛବି ସୋସିଆଲ ମିଡିଆରୁ ହଟାଇବାକୁ ମେଟାକୁ ନିର୍ଦ୍ଦେଶ ଦେବା ସହ ମହିଳାଙ୍କୁ ସମ୍ପୂର୍ଣ୍ଣ ପୁଲିସ ସୁରକ୍ଷା ଯୋଗାଇବାକୁ କହିଛନ୍ତି।
ମହିଳାଙ୍କ ଆବେଦନ ଆଧାରରେ ସିଜେପିର ଆବାହକ ଅଭିଜିତ ଦୀପକେ, ମୁଖପାତ୍ର ସୌରଭ ଦାସ, ଆଶୁତୋଷ ରାଙ୍କା ଓ ରତ୍ନା ସିଂହଙ୍କୁ ନୋଟିସ୍ ଦିଆଯାଇଛି। ମହିଳାଙ୍କ ପକ୍ଷରୁ ଆଇନଜୀବୀ ଉମେଶ ଚନ୍ଦ୍ର ଶର୍ମା ମାମଲା ଲଢ଼ୁଛନ୍ତି। ସେ କହିଛନ୍ତି ଯେ, ଏହି ଘଟଣାରେ ପୂର୍ବରୁ ଏଫ୍ଆଇଆର୍ ହୋଇଥିଲେ ମଧ୍ୟ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଠୋସ୍ ପଦକ୍ଷେପ ନିଆଯାଇ ନାହିଁ ଏବଂ ଭାଇରାଲ ହୋଇଥିବା ଛବି ହଟାଯାଇନାହିଁ। ଅଭିଯୋଗ ଅନୁସାରେ, ନୂଆଦିଲ୍ଲୀର ଯନ୍ତରମନ୍ତରରେ ସିଜେପି ପକ୍ଷରୁ ଆୟୋଜିତ ଏକ ପ୍ରତିବାଦ ସମୟରେ ମହିଳାଙ୍କ ବ୍ୟକ୍ତିଗତ ଫଟୋ ତାଙ୍କ ଅନୁମତି ବିନା ବ୍ୟବହାର କରାଯାଇଥିଲା। ଏଆଇ ଆଧାରିତ ଫେସ୍-ସ୍ୱାପିଂ ପ୍ରଯୁକ୍ତିରେ ତାଙ୍କ ମୁହଁକୁ ଅନ୍ୟ ଏକ ଛବିରେ ଯୋଡ଼ି ଏହାକୁ ପୋଷ୍ଟର ଓ ବ୍ୟାନରରେ ପ୍ରଦର୍ଶନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହି ବ୍ୟାନର୍ଗୁଡ଼ିକୁ ପ୍ରତିବାଦସ୍ଥଳରେ ପ୍ରଦର୍ଶନ କରାଯିବା ସହ ସେଗୁଡ଼ିକର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ପ୍ରଚାର କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।
ଏହି ଘଟଣାକୁ ନେଇ ଦିଲ୍ଲୀ ପୁଲିସ ଗୁରୁବାର ନୂଆଦିଲ୍ଲୀର ସାଇବର ପୁଲିସ ଥାନାରେ ଏଫ୍ଆଇଆର୍ ରୁଜୁ କରିଛି। ଭାରତୀୟ ନ୍ୟାୟ ସଂହିତା ଓ ସୂଚନା ପ୍ରଯୁକ୍ତି ଆଇନର ସମ୍ପୃକ୍ତ ଧାରାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ହୋଇଛି। ଅଭିଯୋଗକାରୀ ମହିଳା ସିଜେପିର କେତେକ ନେତାଙ୍କ ନାମ ଦେଇଥିଲେ ମଧ୍ୟ ଏଫ୍ଆଇଆର୍ରେ ଏପର୍ଯ୍ୟନ୍ତ କାହାକୁ ଅଭିଯୁକ୍ତ ଭାବେ ନାମିତ କରାଯାଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସକୁ ଏକ ସପ୍ତାହ ମଧ୍ୟରେ ମାମଲାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୪ରେ ହେବ।
ସୌଜନ୍ୟ ସମ୍ବାଦ




