AI Data Center: ମହାକାଶରେ ଡାଟା ସେଣ୍ଟର, ବଦଳିବ ଟେକ୍ ଦୁନିଆ
ଆଜିର ଦୁନିଆ AI ଉପରେ ନିର୍ଭରଶୀଳ ହେଉଥିବା ବେଳେ ବଢ଼ୁଛି ବିଦ୍ୟୁତ୍ ଓ ପାଣିର ଚାହିଦା। ବିଶାଳ ବିଶାଳ ଡାଟା ସେଣ୍ଟର ପାଇଁ ଦରକାର ହେଉଛି ଅଧିକ ଜମି, ଶକ୍ତି ଓ କୁଲିଂ ବ୍ୟବସ୍ଥା। ହେଲେ ଏବେ ଏହାର ସମାଧାନ ଖୋଜିଛି ଗୁଗୁଲ। ପୃଥିବୀ ନୁହେଁ, ବରଂ ମହାକାଶରେ AI ଡାଟା ସେଣ୍ଟର ସ୍ଥାପନ କରିବାକୁ ଯାଉଛି ଟେକ୍ ଜଏଣ୍ଟ ଗୁଗୁଲ। ସଫଳ ହେଲେ ଏହା ପ୍ରଯୁକ୍ତି ଜଗତରେ ଆଣିପାରେ ବଡ଼ ବିପ୍ଳବ।

ନୂଆଦିଲ୍ଲୀ: ଆଜିର ଦୁନିଆ AI ଉପରେ ନିର୍ଭରଶୀଳ ହେଉଥିବା ବେଳେ ବଢ଼ୁଛି ବିଦ୍ୟୁତ୍ ଓ ପାଣିର ଚାହିଦା। ବିଶାଳ ବିଶାଳ ଡାଟା ସେଣ୍ଟର ପାଇଁ ଦରକାର ହେଉଛି ଅଧିକ ଜମି, ଶକ୍ତି ଓ କୁଲିଂ ବ୍ୟବସ୍ଥା। ହେଲେ ଏବେ ଏହାର ସମାଧାନ ଖୋଜିଛି ଗୁଗୁଲ। ପୃଥିବୀ ନୁହେଁ, ବରଂ ମହାକାଶରେ AI ଡାଟା ସେଣ୍ଟର ସ୍ଥାପନ କରିବାକୁ ଯାଉଛି ଟେକ୍ ଜଏଣ୍ଟ ଗୁଗୁଲ। ସଫଳ ହେଲେ ଏହା ପ୍ରଯୁକ୍ତି ଜଗତରେ ଆଣିପାରେ ବଡ଼ ବିପ୍ଳବ। କୃତ୍ରିମ ବୁଦ୍ଧିମତ୍ତା ବା AIର ବଢ଼ୁଥିବା ଚାହିଦା ମଧ୍ୟରେ ଗୁଗୁଲ ଆରମ୍ଭ କରିଛି ଏକ ମହାମ୍ବିତ୍ସୀ ପ୍ରକଳ୍ପ। ‘ପ୍ରୋଜେକ୍ଟ ସନକ୍ୟାଚର’ ନାମକ ଏହି ଯୋଜନା ଅନୁସାରେ କମ୍ପାନୀ ପୃଥିବୀର କକ୍ଷପଥରେ ଥିବା ଉପଗ୍ରହଗୁଡ଼ିକରେ ନିଜର ଟ୍ରିଲିୟମ୍ ଟେନ୍ସର ପ୍ରୋସେସିଂ ୟୁନିଟ୍ ବା TPU ସ୍ଥାପନ କରିବ।
ଆସନ୍ତା ଅକ୍ଟୋବର ୧ ତାରିଖରେ ସ୍ପେସଏକ୍ସର ଫାଲକନ-୯ ରକେଟ୍ ଜରିଆରେ ପ୍ରଥମ ପ୍ରୋଟୋଟାଇପ୍ ଉପଗ୍ରହ ଉତ୍କ୍ଷେପଣ କରାଯିବ। ଏହି ପରୀକ୍ଷାର ଉଦ୍ଦେଶ୍ୟ ହେଉଛି ମହାକାଶରେ AI କମ୍ପ୍ୟୁଟିଂକୁ ସୁରକ୍ଷିତ ଓ ବ୍ୟବହାରଯୋଗ୍ୟ ଭାବେ ଚଲାଇ ହେବ କି ନାହିଁ ତାହା ଜାଣିବା। ଗୁଗୁଲର ଦାବି ଅନୁସାରେ, ପୃଥିବୀର ନିମ୍ନ କକ୍ଷପଥରେ ଥିବା ଉପଗ୍ରହମାନେ ପ୍ରାୟ ସବୁବେଳେ ସୂର୍ଯ୍ୟକିରଣ ପାଆନ୍ତି। ଫଳରେ ସେମାନେ ପୃଥିବୀର ଡାଟା ସେଣ୍ଟର ତୁଳନାରେ ୮ ଗୁଣା ଅଧିକ ସୌର ଶକ୍ତି ହାସଲ କରିପାରିବେ। ଏହା ଭବିଷ୍ୟତରେ ବିଦ୍ୟୁତ୍, ପାଣି ଓ ଜମିର ଚାପକୁ ବହୁ ପରିମାଣରେ କମାଇପାରେ। ତେବେ ଚ୍ୟାଲେଞ୍ଜ ମଧ୍ୟ କମ୍ ନୁହେଁ। ମହାକାଶରେ ରେଡିଏସନ୍, ଅତ୍ୟଧିକ ତାପମାତ୍ରା ଓ ଚିପ୍ରୁ ବାହାରୁଥିବା ଉତ୍ତାପକୁ ନିୟନ୍ତ୍ରଣ କରିବା ବଡ଼ ସମସ୍ୟା। ଏଥିପାଇଁ ଗୁଗୁଲ ହିଟ୍ ପାଇପ୍ ଓ ରେଡିଏଟର ଭଳି ଆଧୁନିକ ପ୍ରଯୁକ୍ତିର ପରୀକ୍ଷା କରୁଛି। ଯଦି ଏହି ପ୍ରୟାସ ସଫଳ ହୁଏ, ତେବେ ଆଗାମୀ ଦିନରେ ଶହ ଶହ AI ସଜ୍ଜିତ ଉପଗ୍ରହ ମହାକାଶରେ ଏକ ବିଶାଳ ଡାଟା ସେଣ୍ଟର ନେଟୱାର୍କ ଗଢ଼ିପାରିବେ। ଅର୍ଥାତ୍ AIର ଭବିଷ୍ୟତ ଆଉ ପୃଥିବୀରେ ନୁହେଁ, ବରଂ ମହାକାଶରେ ଲେଖାଯାଇପାରେ।
ସୌଜନ୍ୟ ସମ୍ବାଦ




