Weather Update: ପୂର୍ବାନୁମାନ ଓଲଟପାଲଟ, ଉପୁଡ଼ିଲା ଗଛ ଓ ଭାଙ୍ଗିଲା ଘର, ଅବପାତ ଲ୍ୟାଣ୍ଡଫଲ୍ର ୪୦ ଘଣ୍ଟା ପରେ ବି ପ୍ରବଳ ବର୍ଷା, ପବନ

ଭୁବନେଶ୍ୱର,୨୬/୦୯: ଇଏ କି ପ୍ରକାର ଗଭୀର ଅବପାତ ଥିଲା? ୪ ଦିନ କାଳ ଓଡ଼ିଶାରେ ନିର୍ଧୁମ ବର୍ଷିଲା । ଆହୁରି ଗୋଟିଏ ଦିନ ବର୍ଷିବା ଆକଳନ କରାଯାଉଛି । ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣରୁ ଉତ୍ତର, ଉପକୂଳରୁ ପଶ୍ଚିମ ଚାରିଆଡ଼େ ପ୍ରବଳରୁ ଅତି ପ୍ରବଳ ବର୍ଷା କରିଛି । ଦକ୍ଷିଣ ଓଡ଼ିଶାର ଗୋଟିଏ ଜାଗାରେ ଦିନକରେ ପାଖାପାଖି ୪ଶହ ମିଲିମିଟର ବର୍ଷା ଢାଳିଛି । ଦକ୍ଷିଣ ଓଡ଼ିଶାରେ ଏହାର ପ୍ରକୋପ ସୀମିତ ରହିନି । ଉପକୂଳ, ଉତ୍ତର, ପଶ୍ଚିମ ଓଡ଼ିଶାକୁ ବି କଲବଲ କରିଛି ।
ସବୁଠାରୁ ଆଶ୍ଚର୍ଯ୍ୟ କଲା, ସ୍ଥଳଭାଗକୁ ପ୍ରବେଶ କରିବାର ପ୍ରାୟ ୪୦ ଘଣ୍ଟା ପରେ ବି ପବନ ବେଗ ୫୦-୬୦ କିମି ଉପରେ ରହିଥିଲା ଆଜି ଦିନ ତମାମ । ଏମିତିକି ଅବପାତ ଛତିଶଗଡ଼ ଯିବା ପରେ ବି ଓଡ଼ିଶାରେ କୋପ କମିନି । ରାତି ପର୍ଯ୍ୟନ୍ତ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଛି । ଅବପାତ ଗତିପଥଠୁ ଶହଶହ କିଲୋମିଟର ଦୂରରେ ଥିବା ଅଞ୍ଚଳରେ ବିଶାଳ ଗଛ ଉପୁଡ଼ିଛି, ମୋଟା ମୋଟା ଡାଳ ଭାଙ୍ଗିଛି, ଘର ଉଡ଼ିଛି । ଭୁବନେଶ୍ୱରରେ ଶୁକ୍ରବାର ସକାଳୁ ତୁହାକୁ ତୁହା ପବନ ଧକ୍କା ମାଡ଼ ହେଉଥିଲା । ସୁ ସୁ ଶବ୍ଦ ବାତ୍ୟା ଭଳି । ଅନେକ ସ୍ଥାନରେ ଗଛ ଡାଳ ଭାଙ୍ଗି ପଡ଼ିଥିଲା, ଫୁଲ କୁଣ୍ଡ ଓଲଟାଇ ଫିଙ୍ଗିଥିଲା । ମନେ ହେଉଥିଲା ୬୦ କି ୭୦ କିଲୋମିଟର ବେଗରେ ମାଡ଼ ହେଉଛି ।
ମନରେ ସ୍ୱାଭାବିକ ପ୍ରଶ୍ନ ଉଠିଛି, ଗଭୀର ଅବପାତ ଏତେ ଶକ୍ତିଶାଳୀ ହେଲା କେମିତି ? କ’ଣ ପାଇଁ ଏତେ ସମୟ ଧରି ଏହାର ପ୍ରକୋପ ରହିଲା, ପୁଣି ଏତେ ବିସ୍ତୀର୍ଣ୍ଣ ଅଞ୍ଚଳ ଉପରେ? ଗତକାଲି ପୁରୀ ଓ ଶୁକ୍ରବାର ଭୁବନେଶ୍ୱରରେ ଯେଉଁଭଳି ପବନ ମାଡ଼ ହେଉଥିଲା, ତାହା ଅନେକଙ୍କୁ ଚକିତ କରିଛି । ସାଧାରଣ ଲୋକେ ପଚାରୁଛନ୍ତି, ଏହା ଅବପାତ ନା ବାତ୍ୟା? ବାତ୍ୟା କ’ଣ ଇଆଡ଼େ ପଳାଇ ଆସିଲା କି?
ଏହି ସିଷ୍ଟମକୁ ନେଇ ପାଣିପାଗ ବିଜ୍ଞାନୀ, ପାଣିପାଗ ବିଜ୍ଞାନ ସଂସ୍ଥା ଓ ବିଭିନ୍ନ ମଡେଲ ମଧ୍ୟରେ ଦ୍ୱନ୍ଦ୍ୱ ଦେଖା ଦେଇଛି । ଆମେରିକା ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର ଏହାକୁ ବାତ୍ୟା ବୋଲି ଦର୍ଶାଇଥିଲା । ହେଲେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଏହାକୁ ଗଭୀର ଅବପାତ ହିଁ ଦର୍ଶାଇଛି । ଏହା ବାତ୍ୟା ନୁହେଁ ବୋଲି ସବୁଠାରୁ ବିଶ୍ୱାସଯୋଗ୍ୟ ପାଣିପାଗ ପୂର୍ବାନୁମାନ ସଂସ୍ଥା ଆଇଏମଡି ସ୍ପଷ୍ଟ କରିଛି । ହେଲେ ଗଭୀର ଅବପାତ ଏତେ ଶକ୍ତିଶାଳୀ ପ୍ରଭାବ ପକାଇବା ଅନେକ ବୈଜ୍ଞାନିକଙ୍କୁ ଚକିତ କରିଛି ।
କୃଷି ପାଣିପାଗ ବୈଜ୍ଞାନିକ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ କେତେକ ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଓ ସଂସ୍ଥା ଏହି ସିଷ୍ଟମକୁ ବାତ୍ୟା ଶ୍ରେଣୀଭୁକ୍ତ କରିଛନ୍ତି। ଲ୍ୟାଣ୍ଡଫଲ୍ ୪୦ ଘଣ୍ଟା ପରେ ବି ଏହା ପ୍ରଭାବରେ ଲଗାଣ ବର୍ଷା ସହ ଉପକୂଳବର୍ତ୍ତୀ ଭୁବନେଶ୍ୱରରେ ଶୁକ୍ରବାର ଦିନରେ ଘଣ୍ଟା ପ୍ରତି ୪୬ରୁ ୫୬ କିମି ବେଗରେ ପବନ ପ୍ରବାହିତ ହେଉଥିଲା । ପବନର ଝଟକା ମଝିରେ ମଝିରେ ୬୬ କିମି ପର୍ଯ୍ୟନ୍ତ ଛୁଇଁ ଥାଇପାରେ ।
ତାଙ୍କ କହିବାନୁସାରେ ବିସ୍ତୀର୍ଣ୍ଣ ଅଞ୍ଚଳରେ ରେନ୍ ବ୍ୟାଣ୍ଡ୍ ସୃଷ୍ଟି ହୋଇଥିଲା, ଯାହାକି ଉତ୍ତର ଓଡ଼ିଶାରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବ୍ୟାପିଥିଲା । ବଙ୍ଗୋପସାଗରରୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ଉପକୂଳ ଦେଇ ଆସୁଥିଲା । ବାୟୁର ଚାପରେ ତାରତମ୍ୟ ରହିଥିଲା । ପବନ ଉଚ୍ଚରୁ ନିମ୍ନକୁ ପ୍ରବାହିତ ହେଲା । ସେହିପରି ଆକାଶ ପୂରା ମେଘାଚ୍ଛନ୍ନ ଥିବାବେଳେ ମେଘଖଣ୍ଡ ପାଖରେ ଥିବା ପବନ ମଝିରେ ମଝିରେ ତଳକୁ ଆସୁଥିଲା । ଏହା ପ୍ରଭାବରେ ଝଟକା ପବନ ଅଧିକ ରହୁଥିଲା । ତେଣୁ ଏଭଳି ଲଗାଣ ବର୍ଷା ଓ ପବନ ହୋଇଥିବା ସେ ଅନୁମାନ କରିଛନ୍ତି ।
ସୌଜନ୍ୟ ପ୍ରମେୟ




