CAG Report: ୩୧% ପରିବାର ପାଇପ୍ ପାଣିରୁ ବଞ୍ଚିତ, ମହୁ ଚାଷରେ ୧୨ କୋଟି ଡିଏମ୍ଏଫ୍ ଟଙ୍କା ପାଣିରେ ପଡିଲା

ଭୁବନେଶ୍ୱର,୨୯/୦୯: ଗ୍ରାମାଞ୍ଚଳର ସବୁ ଘରକୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ୨୦୧୯ରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଜଳ ଜୀବନ ମିଶନ । ଏହି ଯୋଜନା କାର୍ଯ୍ୟକାରୀ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ରାଜ୍ୟର ୩୧ ପ୍ରତିଶତ ଘରକୁ ଆଜି ବି ପାଇପ୍ ପାଣି ସଂଯୋଗ ସମ୍ଭବ ହୋଇନି । ସେହିପରି ୨୦୭ଟି ବୃହତ ଜଳଯୋଗାଣ ପ୍ରକଳ୍ପରୁ ମାତ୍ର ଦୁଇଟିର କାର୍ଯ୍ୟ ଶେଷ ହୋଇଛି ।
ରାଜ୍ୟରେ ଜଳଜୀବନ ମିଶନର ଏଭଳି ଉଦ୍ବେଗଜନକ ଚିତ୍ର ଦର୍ଶାଇଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ । ବିଧାନସଭାରେ ୨୦୨୬ ବର୍ଷ ପାଇଁ ଉପସ୍ଥାପିତ ସିଏଜି ରିପୋର୍ଟରେ କୁହାଯାଇଛି ଯେ ଅଗଷ୍ଟ ୨୦୧୯ ପୂର୍ବରୁ ରାଜ୍ୟରେ ୩ ଲକ୍ଷ ୧୧ ହଜାର ଗ୍ରାମୀଣ ପରିବାରକୁ ପାଇପ୍ ପାଣି ମିଳୁଥିଲା । ୨୦୨୪ ସୁଦ୍ଧା ଆଉ ୫୫ ଲକ୍ଷ ୭୮ ହଜାର ପରିବାକୁ ପାଇପ୍ ପାଣି ଯୋଗାଇ ଦେବାକୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ। ତେବେ ମାତ୍ର ୨୦୨୪ ସୁଦ୍ଧା ଟାର୍ଗେଟର ୪୭ ପ୍ରତିଶତ ଅର୍ଥାତ ଆଉ ୨୬ ଲକ୍ଷ ୨୮ ହଜାର ପରିବାରକୁ ପାଇପ୍ ପାଣି ସଂଯୋଗ ମିଳିଛି । ୫ଟି ଜିଲ୍ଲା ବାଲେଶ୍ୱର, ବରଗଡ଼, କନ୍ଧମାଳ, ମାଲକାନଗିରି ଓ ପୁରୀର ୧୦ଟି ବ୍ଲକର ୪୦ଟି ଗାଁରେ ସିଏଜି ଏହି ଯୋଜନାର ଯାଞ୍ଚ କରିଥିଲେ । ବରଗଡ଼ ଜିଲ୍ଲାରେ ଜଳଜୀବନ ମିଶନରେ ୬୬୦ଟି ପ୍ରକଳ୍ପ ଅନୁମୋଦିତ ହୋଇଥିଲା । ୫ ବର୍ଷରେ କାର୍ଯ୍ୟକାରୀ ହେଲା ମାତ୍ର ୮ଟି । କନ୍ଧମାଳରେ ୧୫୨୨ଟି ପ୍ରକଳ୍ପରୁ ୮୨ଟି ଓ ମାଲକାନଗିରି ଜିଲ୍ଲାରେ ୬୮୭ ପ୍ରକଳ୍ପରୁ ମାତ୍ର ୧୬୭ଟି ଶେଷ ହୋଇଛି । ପୁରୀ ଓ ବାଲେଶ୍ୱର ଜିଲ୍ଲାରେ ଭଲ ଅଗ୍ରଗତି ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ମାତ୍ର ୧୧% ସଫଳତା ମିଳିଛି । ସେହିପରି ୨୦୧୯ରେ ରାଜ୍ୟରେ ଆରମ୍ଭ ହୋଇଥିଲା ୨୦୭ଟି ବୃହତ ଜଳଯୋଗାଣ ପ୍ରକଳ୍ପ । ସେଥିରୁ ୧୩୩ଟି ଜଳଜୀବନ ମିଶନ ଅନ୍ତର୍ଗତ ଥିଲା । ତେବେ ଆଶ୍ଚର୍ଯ୍ୟର କଥା ୫ ବର୍ଷ ପରେ ସେଥିରୁ ମାତ୍ର ଦୁଇଟି ପ୍ରକଳ୍ପ ନିର୍ମାଣ ଶେଷ ହୋଇଛି । ବାକି ସବୁ ଅଧାପ୍ତରିଆ ହୋଇ ପଡିଛି । ବାଲେଶ୍ୱର ଜିଲ୍ଲାରେ ୪ଟି, ବରଗଡ଼ରେ ଗୋଟିଏ, କନ୍ଧମାଳରେ ୪ଟି, ମାଲକାନଗିରିରେ ୮ଟି ବୃହତ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଅଧାରେ ରହିଛି । ପୁରୀ ଜିଲ୍ଲାରେ ୪ଟି ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନି ।
ସୌଜନ୍ୟ ପ୍ରମେୟ




