ThreeLanguagePolicy: ତ୍ରିଭାଷା ବିବାଦରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଷଷ୍ଠ ଶ୍ରେଣୀରୁ ଲାଗୁ ହେବନି ତ୍ରିଭାଷୀ ନୀତି

ନୂଆଦିଲ୍ଲୀ,୨୯/୦୯: ସିବିଏସ୍ଇର ୬ଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ତ୍ରିଭାଷୀ ନୀତିରୁ ଛାଡ଼ ଦିଆଯାଉ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି । ଭାଷାଗତ ନିୟମରେ ହଠାତ ପରିବର୍ତ୍ତନ ଏବଂ ପ୍ରଭାବିତ ଛାତ୍ରଛାତ୍ରୀଙ୍କ ପାଇଁ ଛପା ହୋଇଥିବା ପାଠ୍ୟପୁସ୍ତକ ଉପଲବ୍ଧ ନ ଥିବା ନେଇ ଅଭିଭାବକମାନେ ଉଦ୍ବେଗ ପ୍ରକାଶ କରିଥିଲେ । ଏଥିସହ ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ପ୍ରଭାବିତ କରୁଥିବା ନେଇ ପିଟିସନ ଦାଖଲ କରିଥିଲେ ।
ଏହା ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ ୨୦୨୭ ଏପ୍ରିଲ ୧ରୁ ଲାଗୁ ହେବ । ଅର୍ଥାତ ଆଗାମୀ ବର୍ଷ ଷଷ୍ଠ ଶ୍ରେଣୀକୁ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ତ୍ରିଭାଷୀ ନୀତିରୁ ଛାଡ଼୍ ମିଳିବ । ସେମାନଙ୍କୁ ତୃତୀୟ ଭାଷାରେ ପାସ୍ କିମ୍ବା ଫେଲ୍ କରାଯିବ ନାହିଁ । ସେମାନଙ୍କୁ କେବଳ ଆପିୟରିଂ ସାର୍ଟିଫିକେଟ ଦିଆଯିବ ।
ପ୍ରଥମେ କେନ୍ଦ୍ର ସରକାର ଷଷ୍ଠ ଶ୍ରେଣୀକୁ ଏଥିରୁ ବାଦ୍ ଦେବାକୁ ମନା କରିଥିଲେ । ସରକାର ଦର୍ଶାଇଥିଲେ ଯେ, ପ୍ରାୟ ୯୯ ପ୍ରତିଶତ ସିବିଏସ୍ଇ ବିଦ୍ୟାଳୟ ତୃତୀୟ ଭାଷା ନୀତିକୁ ଆପଣାଇ ସାରିଛନ୍ତି ଏବଂ ଏଥିଲାଗି ଆବଶ୍ୟକତୀୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି । କେବଳ ୧.୨ ପ୍ରତିଶତ ବିଦ୍ୟାଳୟ ହିଁ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।
ସୌଜନ୍ୟ ପ୍ରମେୟ




