Protest: ନିର୍ବାଚନ କମିସନ୍ ବିରୋଧରେ ରାସ୍ତାକୁ ଓହ୍ଲାଇବ ବିରୋଧୀ ମେଣ୍ଟ, ସିଜେପି
ନିର୍ବାଚନ କମିସନ୍ର କାର୍ଯ୍ୟପ୍ରଣାଳୀ ଓ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ରାଜନୈତିକ ବିବାଦ ମଧ୍ୟରେ ଅକ୍ଟୋବର ୨ରୁ ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କରିଛି ଇଣ୍ଡିମେଣ୍ଟ।

ନୂଆଦିଲ୍ଲୀ: ନିର୍ବାଚନ କମିସନ୍ର କାର୍ଯ୍ୟପ୍ରଣାଳୀ ଓ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ରାଜନୈତିକ ବିବାଦ ମଧ୍ୟରେ ଅକ୍ଟୋବର ୨ରୁ ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କରିଛି ଇଣ୍ଡିମେଣ୍ଟ। ଏହା ସହିତ ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ମଧ୍ୟ ଅକ୍ଟୋବର ୨ରେ ମୁମ୍ବାଇର ଶିବାଜୀ ପାର୍କରେ ‘ଜେଲ୍ ଭରୋ ଆନ୍ଦୋଳନ’ କରିବାକୁ ଘୋଷଣା କରିଛି। ମୁଖ୍ୟ ନିର୍ବାଚନ କମିସନର୍ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ସହ ଭୋଟର ତାଲିକା ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଦାବି କରାଯାଇଛି।
ଇଣ୍ଡିମେଣ୍ଟର ଘୋଷଣା ଅନୁସାରେ ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ‘ସେଭ୍ ଡେମୋକ୍ରାସି’ ପଦଯାତ୍ରା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯିବ। ଅକ୍ଟୋବର ୬ରେ ବିରୋଧୀ ଦଳର ସମସ୍ତ ସାଂସଦ ନୂଆଦିଲ୍ଲୀରେ ନିର୍ବାଚନ କମିସନ୍ଙ୍କ କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରା କରିବେ। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ରାଷ୍ଟ୍ରପତିଙ୍କୁ ଭେଟି ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ଦାବି ଓ ଆପତ୍ତି ଜଣାଇବାକୁ ମଧ୍ୟ ମେଣ୍ଟ ଯୋଜନା କରିଛି। ପରବର୍ତ୍ତୀ ସମୟରେ ୫ଟି ବଡ଼ ସମାବେଶ କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି।
ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି ଯେ ଏସ୍ଆଇଆର୍ ପୂର୍ବର ଭୋଟର ତାଲିକାକୁ ଭବିଷ୍ୟତ ନିର୍ବାଚନରେ ଆଧାର କରାଯାଉ। ଭୋଟର ତାଲିକାରେ ନାମ ଯୋଡ଼ିବା, କାଟିବା ଓ ସଂଶୋଧନର ବିବରଣୀ ବିଧାନସଭା ଓ ବୁଥ୍ସ୍ତରରେ ପ୍ରକାଶ କରାଯାଉ, କାହାର ନାମ କାଟିବା ପୂର୍ବରୁ ତାଙ୍କୁ ନୋଟିସ୍ ଦେଇ କାରଣ ଜଣାଯାଉ ଏବଂ ଅପିଲ୍ ପାଇଁ ପ୍ରଭାବୀ ବ୍ୟବସ୍ଥା ରହୁ। ଏହାଛଡ଼ା ବାଲଟ୍ ପେପର୍ରେ ନିର୍ବାଚନ କରାଯିବାକୁ ମଧ୍ୟ ମେଣ୍ଟ ଦାବି କରିଛି।
ଅନ୍ୟପକ୍ଷରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଅକ୍ଟୋବର ୨ରେ ମୁମ୍ବାଇର ଶିବାଜୀ ପାର୍କରେ ଆନ୍ଦୋଳନ ଘୋଷଣା କରିଛନ୍ତି। ମୁମ୍ବାଇ ପୁଲିସ୍ ସେଠାରେ ପ୍ରଦର୍ଶନ ପାଇଁ ଅନୁମତି ଦେଇନଥିବାରୁ ସିଜେପି ‘ଜେଲ୍ ଭରୋ ଆନ୍ଦୋଳନ’ କରିବ ବୋଲି କହିଛି। ପୁଲିସ୍ର କହିବା ଅନୁସାରେ, ଅଦାଲତଙ୍କ ନିର୍ଦ୍ଦେଶ ଓ ସରକାରୀ ନିୟମ ଅନୁସାରେ ଶିବାଜୀ ପାର୍କରେ ସଭା ପାଇଁ ଅନୁମତି ଦେବାର ଅଧିକାର ତାଙ୍କ ପାଖରେ ନାହିଁ। ଅନ୍ୟ ସ୍ଥାନ ପାଇଁ ଆବେଦନ କରିବାକୁ ଆୟୋଜକଙ୍କୁ କୁହାଯାଇଛି।
ସୌଜନ୍ୟ ସମ୍ବାଦ




