Traffice: ଟ୍ରାଫିକ୍ ଚାଲାଣ ବକେୟା ଥିଲେ ଗାଡ଼ିର ଆର୍ସି, ଲାଇସେନ୍ସ ନବୀକରଣ ବନ୍ଦ
ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଇ-ଚାଲାଣ ଜରିମାନା ଦେଇନଥିବା ଗାଡ଼ି ମାଲିକଙ୍କ ପାଇଁ ସୁପ୍ରିମ୍କୋର୍ଟ ଗୁରୁବାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବକେୟା ଟ୍ରାଫିକ୍ ଜରିମାନା ପୈଠ ନହେବା ପର୍ଯ୍ୟନ୍ତ ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର...

ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଇ-ଚାଲାଣ ଜରିମାନା ଦେଇନଥିବା ଗାଡ଼ି ମାଲିକଙ୍କ ପାଇଁ ସୁପ୍ରିମ୍କୋର୍ଟ ଗୁରୁବାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବକେୟା ଟ୍ରାଫିକ୍ ଜରିମାନା ପୈଠ ନହେବା ପର୍ଯ୍ୟନ୍ତ ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର (ଆର୍ସି) ନବୀକରଣ, ଡୁପ୍ଲିକେଟ୍ ଆର୍ସି ଜାରି, ମାଲିକାନା ହସ୍ତାନ୍ତର, ଫିଟ୍ନେସ୍ ପ୍ରମାଣପତ୍ର ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି) ଜାରି ଉପରେ କଟକଣା ଲଗାଇବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି।
ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ୍ କେ.ଭି. ବିଶ୍ୱନାଥନ୍ଙ୍କ ଖଣ୍ଡପୀଠ କହିଛନ୍ତି, ବକେୟା ଇ-ଚାଲାଣ ଥିବା ଗାଡ଼ିଗୁଡ଼ିକୁ କେନ୍ଦ୍ରୀୟ ‘ପରିବହନ’ ପୋର୍ଟାଲରେ ବ୍ଲାକ୍ଲିଷ୍ଟ୍ କରାଯିବ। ଫଳରେ ବକେୟା ଜରିମାନା ପୈଠ ନହେବା ପର୍ଯ୍ୟନ୍ତ ସେହି ଗାଡ଼ି ବିକ୍ରି କିମ୍ବା ମାଲିକାନା ହସ୍ତାନ୍ତର କରିବାରେ ମଧ୍ୟ ସମସ୍ୟା ହେବ। ଏହାଛଡ଼ା ଗାଡ଼ିର ମାଲିକଙ୍କ ଠିକଣା ପରିବର୍ତ୍ତନ ଭଳି ଅନ୍ୟ କେତେକ ଅନ୍ଲାଇନ୍ ସେବା ମଧ୍ୟ ଅଟକାଇବାକୁ କୋର୍ଟ କହିଛନ୍ତି। ଏକାଧିକ ଥର ଟ୍ରାଫିକ୍ ନିୟମ ଭାଙ୍ଗିଥିବା ମାମଲାରେ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ନ କରିବା ସହ ଚାଲୁ ଲାଇସେନ୍ସକୁ ମଧ୍ୟ ସ୍ଥଗିତ କରିବା ପାଇଁ ପଦକ୍ଷେପ ନେବାକୁ ଖଣ୍ଡପୀଠ କହିଛନ୍ତି। ବକେୟା ଜରିମାନା ସମ୍ପୂର୍ଣ୍ଣ ପୈଠ ନ ହେବା ପର୍ଯ୍ୟନ୍ତ କୌଣସି କେନ୍ଦ୍ର ପିୟୁସି (ପ୍ରଦୂଷଣ ନିୟନ୍ତ୍ରଣ) ପ୍ରମାଣପତ୍ର ଜାରି କରିପାରିବ ନାହିଁ ବୋଲି ମଧ୍ୟ ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଛନ୍ତି।
କୋର୍ଟଙ୍କୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଦେଶରେ ଜାରି ହୋଇଥିବା ଇ-ଚାଲାଣରେ ପ୍ରାୟ ୪୯,୧୯୪.୦୫ କୋଟି ଟଙ୍କା ଜରିମାନା ବକେୟା ରହିଥିଲା। ଏଥିରୁ ୨୬,୧୭୫.୦୫ କୋଟି ଟଙ୍କା ଆଦାୟ ହୋଇଛି। ଅର୍ଥାତ୍ ପ୍ରାୟ ୨୩,୦୧୯ କୋଟି ଟଙ୍କା ଏବେ ବି ଆଦାୟ ହୋଇନାହିଁ। କେବଳ ଇ-ଚାଲାଣ ଜାରି କରିଦେଲେ ରାସ୍ତା ସୁରକ୍ଷା ନିୟମର ପ୍ରଭାବୀ କାର୍ଯ୍ୟକାରିତା ହେବନାହିଁ, ଜରିମାନା ଆଦାୟ ମଧ୍ୟ ନିଶ୍ଚିତ କରିବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି।
ସୌଜନ୍ୟ ସମ୍ବାଦ




