ରାଜ୍ୟ

ପ୍ରତିରକ୍ଷା ଉଦ୍ୟୋଗରେ ଓଡ଼ିଶାକୁ ଗୁରୁତ୍ବ : ରାଜନାଥ

କୋରାପୁଟ/ସୁନାବେଡ଼ା : କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ)ଠାରେ ମଙ୍ଗଳବାର ଲାଇଟ୍ ହେଲିକପ୍ଟରରେ ବ୍ୟବହୃତ ‘ଶକ୍ତି ଇଞ୍ଜିନ’ର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍ ଉଦ୍‌ଘାଟିତ ହୋଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମିଳିତ ଭାବେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ହାଲ୍‌​‌ରେ ନିର୍ମିତ ୨୦୦୦ତମ ଇଞ୍ଜିନକୁ ପ୍ରତୀକାତ୍ମକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯାଇଛି।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ସୁନାବେଡ଼ା ୟୁନିଟକୁ ଦେଶର ଏରୋସ୍ପେସ ପ୍ରପଲସନ ଇକୋସିଷ୍ଟମର କେନ୍ଦ୍ରବିନ୍ଦୁ ଭାବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ୧୯୬୪ ମସିହାରୁ ଫ୍ରଣ୍ଟଲାଇନ ବିମାନ ପାଇଁ ଇଞ୍ଜିନ ନିର୍ମାଣ କରି ଆସୁଥିବା ସୁନାବେଡ଼ା ହାଲ ଆଜି କେବଳ ଏକ କାରଖାନା ହୋଇ ରହିନାହିଁ, ବରଂ ଦେଶର ଏରୋସ୍ପେସ ପ୍ରପଲସନ ଇକୋସିଷ୍ଟମର କେନ୍ଦ୍ରବିନ୍ଦୁ ପାଲଟିଛି। କୋରାପୁଟର ଏହି କେନ୍ଦ୍ର ଏବଂ ବିଶାଖାପାଟଣାର ଡିଫେନ୍ସ ଓ ନାଭାଲ ଇକୋସିଷ୍ଟମ୍ ମିଳିତ ହୋଇ ପୂର୍ବ ଭାରତ ପାଇଁ ଏକ ନୂଆ ଔଦ୍ୟୋଗିକ ଓ ରଣନୈତିକ ପରିଚୟ ସୃଷ୍ଟି କରିବ ବୋଲି ସେ ଆଶା ପ୍ରକଟ କରିଥିଲେ। ଓଡ଼ିଶାର ସୁଦୀର୍ଘ ଉପକୂଳ, ବନ୍ଦର, ଖଣିଜ ସମ୍ପଦ ଏବଂ ଉନ୍ନତ ଇଞ୍ଜିନିୟରିଂ ଦକ୍ଷତା ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ରାଜ୍ୟର ସ୍ଥାନକୁ ଆହୁରି ମଜଭୁତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହାଲ୍‌ ୨ ହଜାର ଇଞ୍ଜିନ ନିର୍ମାଣ, ୯ହଜାର ଓଭରହଲ କରିସାରିଛି। ୨୦୨୪ରେ କୋରାପୁଟ ଡିଭିଜନକୁ ୨୪୦ ଏଏଲ ୩୧ ଏଫପି ଇଞ୍ଜିନ ନିର୍ମାଣ ପାଇଁ ନିର୍ଦେଶ ମିଳିଥିଲା।
ପ୍ରତିବର୍ଷ ୩୦ ଇଞ୍ଜିନ ନିର୍ମାଣ ପାଇଁ ଧାର୍ଯ୍ୟ କରାଯାଇଥିଲା; କିନ୍ତୁ ୨ ବର୍ଷରେ ହାଲ ୬୩ ଇଞ୍ଜିନ ନିର୍ମାଣ କରିସାରିଛି। ଏହାକୁ ମନ୍ତ୍ରୀ ଶ୍ରୀ ସିଂହ ପ୍ରଶଂସା କରିବା ସହ ସୁନାବେଡ଼ା ହାଲ କର୍ମଚାରୀ ଓ ପଦାଧିକାରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି କହିଛନ୍ତି। ୨ ହଜାର ଇଞ୍ଜିନ ନିର୍ମାଣ ଦେଶ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ କରିଛି ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାରେ ଆସୁଥିବା ନୂତନ ଶିଳ୍ପ ବିପ୍ଳବ ଉପରେ ଆଲୋକପାତ କରିଥିଲେ। ମେଟାଲ ଡାଉନଷ୍ଟ୍ରିମ, ଆଇଟି ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ରାଜ୍ୟର ବିକାଶ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ପାଇଁ ଏକ ଅନୁକୂଳ ଇକୋସିଷ୍ଟମ୍ ସୃଷ୍ଟି କରିଛି ବୋଲି ସେ ଦର୍ଶାଇଥିଲେ। ଏହାକୁ ଭିତ୍ତି କରି ରାଜ୍ୟରେ ଆଉ ଏକ ଅତ୍ୟାଧୁନିକ ଡିଫେନ୍ସ ମାନୁଫାକ୍ଚରିଙ୍ଗ୍ ୟୁନିଟ୍ ପ୍ରତିଷ୍ଠା କରିବାକୁ ସେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ହାଲ୍‌ର ଉତ୍ପାଦନ କ୍ଷମତା ଓ ସମ୍ପ୍ରସାରଣ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂତନ ଭାବେ ଉଦ୍‌ଘାଟିତ ଦ୍ୱିତୀୟ ଲାଇନ୍ ଦ୍ୱାରା ବାର୍ଷିକ ୧୦୦ଟି ଶକ୍ତି ଇଞ୍ଜିନ୍ ଉତ୍ପାଦନ ହୋଇପାରିବ। ଏଏଲ-୩୧ ଏଫପି ଇଞ୍ଜିନ୍ ଉତ୍ପାଦନ କ୍ଷମତାକୁ ବାର୍ଷିକ ୩୦ରୁ ୫୦କୁ ବୃଦ୍ଧି କରାଯାଇଛି। କୋରାପୁଟ ହାଲ ଡିଭିଜନ୍ ପକ୍ଷରୁ ବର୍ତ୍ତମାନ ୧୬୦୦ କୋଟି ଟଙ୍କାର ନୂତନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।
ରାଜ୍ୟର ଶିଳ୍ପାୟନର ତଥ୍ୟ ରଖି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ୨୨.୫ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରସ୍ତାବ ଆସିଛି। ସେଥିରୁ ୧୨.୫ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ମଞ୍ଜୁର ହୋଇସାରିଛି। ୩ ଲକ୍ଷ କୋଟି ଟଙ୍କାର ୧୫୨ଟି ଶିଳ୍ପର ଗ୍ରାଉଣ୍ଡିଙ୍ଗ୍ ହୋଇସାରିଛି, ଯାହା ଦ୍ୱାରା ୨.୫୦ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ସେମିକଣ୍ଡକ୍ଟର ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ନରାଜଠାରେ ୮୭୦ ଏକର ଜମିରେ ‘ଓଡ଼ିଶା ସିଲିକନ ଭ୍ୟାଲି’ ପ୍ରତିଷ୍ଠା କରାଯାଉଛି ଏବଂ ସିକ୍‌ସେମ ଓ ୩ଡିଜିଏସ ପରି ପ୍ରମୁଖ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି।
କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ବିଧାୟକ ରଘୁରାମ ମାଛ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁଟା ଏବଂ କୋଟପାଡ଼ ବିଧାୟକ ରୂପୁ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ କେନ୍ଦ୍ରୀୟ ପ୍ରତିରକ୍ଷା ଉତ୍ପାଦନ ସଚିବ ସଞ୍ଜୀବ କୁମାର, ହାଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କେ. ରବି, ଏୟାର ହେଡକ୍ୱାର୍ଟରର ଡେପୁଟି ଚିଫ୍ ଅଫ୍ ଏୟାର ଷ୍ଟାଫ୍ (ଡିସିଏଏସ) ଏୟାର ମାର୍ଶାଲ ତେଜପାଲ ସିଂହ ଏବଂ କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରେ ଅପରାହ୍ଣ ୪ଟା ୫ରେ ଶ୍ରୀ ସିଂହ ସୁନାବେଡ଼ାରୁ ମି-୧୭ ହେଲିକପ୍ଟରରେ ବିଶାଖାପାଟଣା ଫେରି ଯାଇଥିଲେ।

 

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button