ରାଜ୍ୟ

Low Pressure Alert: ପାଣିଚିଆ ହେବ ପାର୍ବଣ; ଲଘୁଚାପ ଆଣିବ ବଡ଼ ବର୍ଷା, ଉପକୂଳରେ ପ୍ରବଳ କାଚିବ

ଭୁବନେଶ୍ୱର,୦୭/୧୦; ପାର୍ବଣକୁ ପାଣିଚିଆ କରିପାରେ  ବର୍ଷା । ଏ ସମ୍ଭାବନାକୁ ଆହୁରି ବଢ଼ାଇ ଦେଇଛି ୟୁରୋପୀୟ ମଡେଲ୍‌ ଇସିଏମଡବ୍ୟୁଏଫର ତାଜା ପୂର୍ବାନୁମାନ । ଏହି ମଡେଲ୍‌ ଅନୁସାରେ ସମ୍ଭାବ୍ୟ  ଲଘୁଚାପ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ହୋଇପାରେ । ଗଭୀର ଅବପାତରୁ ସାମାନ୍ୟ  ଅଧିକ ଘନୀଭୂତ ହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ।  ଏହାର ଗତିପଥ ଆନ୍ଧ୍ର-ଓଡ଼ିଶା  ଉପକୂଳ ଆଡ଼କୁ ରହିପାରେ ।  ଇସିଏମଡବ୍ଲ୍ୟଏଫ୍‌ ଆକଳନ  ଅନୁସାରେ ୧୩ ତାରିଖ ବେଳକୁ ପୂର୍ବ  କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ  ୧୪ରେ ଅବପାତ ରୂପ ନେଇପାରେ ।  ୧୫ ତାରିଖକୁ ଏହା ଗଭୀର ଅବପାତରେ ପରିଣତ ହୋଇପାରେ ।  ୧୬ ତାରିଖବେଳକୁ ଆନ୍ଧ୍ର କିମ୍ବା ଓଡ଼ିଶା  ଉପକୂଳ ଛୁଇଁପାରେ । ସେପ୍ଟେମ୍ବର  ଶେଷ ସପ୍ତାହରେ ଆସିଥିବା ଗଭୀର  ଅବପାତ ଭଳି ଏହା ସ୍ଥଳଭାଗ ଛୁଇଁବା  ପରେ ବେଶି ଭିତରକୁ ପ୍ରବେଶ କରିନପାରେ । ଉପକୂଳରେ ହିଁ  ଅଧିକ ପ୍ରଭାବ ରହିପାରେ ।

ବିଶେଷଜ୍ଞଙ୍କ ମତରେ ଯଦି  ଏହି ଗତିପଥ ଓ ଆକଳନ ସତ  ହୁଏ, ତେବେ ଓଡ଼ିଶାରେ ୧୪ରୁ  ବର୍ଷା ହୋଇପାରେ । ୧୮ ଯାଏଁ ବର୍ଷା  ପ୍ରକୋପ ରହିପାରେ । ଯଦି ଗଭୀର ଅବପାତ କିମ୍ବା ତା’ଠାରୁ ଅଧିକ ଘନୀଭୂତ ହୁଏ, ବର୍ଷା ପ୍ରକୋପ ଅଧିକ ରହିବ । କିନ୍ତୁ, ଏବେଠାରୁ ସ୍ପଷ୍ଟ ଭାବେ  କିଛି କହି ହେବନି । କାରଣ ଏଯାଏଁ ଘୂଣ୍ଣି ର୍ବଳୟ ସୃଷ୍ଟି ହୋଇନାହିଁ । ମେଘ ଖଣ୍ଡ ଗଠନ ହୋଇନାହିଁ । ତେଣୁ ୮/୧୦ ତାରିଖବେଳକୁ ସ୍ପଷ୍ଟ ଚିତ୍ର ମିଳିପାରେ । ଯଦି ଏହା ୧୬ କିମ୍ବା  ପୂର୍ବରୁ ସ୍ଥଳଭାଗ ଛୁଇଁବ, ତେବେ ଦୁର୍ଗାପୂଜାର ନବମୀ, ଦଶମୀକୁ ପାଗ ଫିଟିପାରେ ।  କିନ୍ତୁ, ବିଳମ୍ବ ହେଲେ ଦଶହରାକୁ ଭିଜାଇପାରେ ।  ଅକ୍ଟୋବର ମାସରେ ଆଣ୍ଡାମାନ  ସାଗର ପଟୁ ଏହି ଲଘୁଚାପ ଆସିବା ସମ୍ଭାବନା ଥିବାରୁ ଅନେକ ଆଶଙ୍କା ରହୁଛି ।  ଏପଟେ ରାଜ୍ୟରେ ଗରମ ପ୍ରକୋପ ଜାରି ରହିଛି । ମଙ୍ଗଳବାର ୧୫ ସହରରେ  ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ ଟପିଛି । ଚାନ୍ଦବାଲିରେ ତାପମାତ୍ରା ସର୍ବାଧିକ  ୩୬.୭ ଡିଗ୍ରୀ ଥିଲା । ଏଠାରେ ତାତି ସ୍ୱାଭାବିକଠାରୁ ୪.୧ ଡିଗ୍ରୀ ଅଧିକ ରହିଥିଲା ।  ଢେଙ୍କାନାଳରେ ୩୬.୩ ଡିଗ୍ରୀ ଓ ପୁରୀ, ନୟାଗଡ଼ ଓ ପାରଳାଖେମୁଣ୍ଡିରେ ୩୬ ଡିଗ୍ରୀ  ରେକର୍ଡ ହୋଇଛି । ସ୍ୱାଭାବିକ ଗରମରେ ଲୋକେ ନାକେଦମ ହୋଇଛନ୍ତି ।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button