ନୂଆପଲ୍ଲୀ ଯୁବତୀ ଦୁଷ୍କର୍ମ ଘଟଣା : ଥାନାରେ ଖେଳନା ବନ୍ଧୁକ ଦେଲେ ଅଭିଯୁକ୍ତର ମା’, ୬ ମୋବାଇଲ୍ ଓ କପଡ଼ା ଜବତ

ଭୁବନେଶ୍ୱର, ୭/୧୦ : ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ନୟାପଲ୍ଲୀ ଥାନା ପୁଲିସ୍ ହାତରେ ବଡ଼ ସୁରାକ୍ । ଅଭିଯୁକ୍ତ ଶ୍ରୀଧର ପଣ୍ଡା ଓରଫ ସନ୍ତୋଷ (୨୪)ଙ୍କ ମା’ ଥାନାକୁ ଆସି ଏକ ଖେଳନା ବନ୍ଧୁକ, ୬ଟି ମୋବାଇଲ୍ ଓ କିଛି କପଡ଼ା ଦେଇ ଯାଇଛନ୍ତି ବୋଲି ଜୋନ୍ ଏସିପି ବିଶ୍ୱରଞ୍ଜନ ସେନାପତି କହିଛନ୍ତି । ଅଭିଯୁକ୍ତ ସନ୍ତୋଷ ଘର ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର । ସେ ଦୀର୍ଘ ଦିନ ହେବ ମଞ୍ଚେଶ୍ୱର ଥାନା ଚକେଇସିଆଣିରେ ମା’ଙ୍କ ସହ ରହୁଥିଲା । ଗତ ମାସରେ ସେ ତା’ ମାଙ୍କୁ ନେଇ ଜଗତସିଂହପୁରରେ ଜଣେ ସମ୍ପର୍କୀୟଙ୍କ ଘରେ ଛାଡିଦେଇ ଆସିଥିଲା ।
ଗତ ୩୦ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ଅଭିଯୁକ୍ତ ସନ୍ତୋଷ ନୂଆପଲ୍ଲୀ ଗଡ଼ସାହିରେ ପହଞ୍ଚିଥିଲା । ସେଠାରେ ଗୋଟିଏ ଘରର ଗ୍ରିଲ୍ ଖୋଲା ଥିବା ଦେଖି ଭିତରକୁ ପଶିଥିଲା । ଘର ଭିତରେ ଜଣେ ଯୁବତୀ ବସି ଲାପ୍ଟପ୍ରେ କାମ କରୁଥିଲେ । ସେ ଘରର ମୁଖ୍ୟ ଲାଇଟ୍ ବନ୍ଦ କରି ଦେବା ପରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା । ଅତି ସହଜ ଢଙ୍ଗରେ ସେଠାରୁ ପଳାଇ ଆସି ମୋ ବସ୍ରେ ବସି ସିଆରପି ଛକ ଓ ତା’ପରେ ଅଟୋରେ ୟୁନିଟ୍-୨ ଯାଇଥିଲା । ମାର୍କେଟ୍ ବିଲ୍ଡିଂ କେଶରୀ ମଲ୍ ନିକଟରେ ଭଦ୍ରକ ଆଗରପଡ଼ାର କମଲେସ୍ ସିଂହଙ୍କ ବାଇକ୍କୁ ପାର୍କିଂରୁ ଚୋରି କରିଥିଲା ଅଭିଯୁକ୍ତ ସନ୍ତୋଷ । ତା’ପରେ ଉକ୍ତ ଗାଡ଼ି ନେଇ ପ୍ରଥମେ ଚକେଇସିଆଣି ଓ ପରେ ଜଗତସିଂହପୁରରେ ପହଞ୍ଚିଥିଲା । ସେଠାରେ ମା’ଙ୍କୁ ଏକ ବ୍ୟାଗ୍ ଦେଇ ଆସିଥିଲା । ଉକ୍ତ ବ୍ୟାଗ୍ରେ ବନ୍ଧୁକ ଓ ମୋବାଇଲ୍ ଥିଲା । ବ୍ୟାଗ୍ ନ ଖୋଲିବା ପାଇଁ ମା’ଙ୍କୁ କହିଥିଲା । ତେବେ ସନ୍ତୋଷ ଗିରଫ ହେବା ପରେ ମା’ ଓ ଜଗତସିଂହପୁରରେ ଥିବା ସମ୍ପର୍କୀୟମାନେ ଘଟଣା ସଂପର୍କରେ ଜାଣିବା ପରେ ସେ ଦେଇଥିବା ବ୍ୟାଗ୍ ଯାଞ୍ଚ କରିଥିଲେ । ବ୍ୟାଗରେ ବନ୍ଧୁକ ଓ ମୋବାଇଲ୍ ଥିବା ଦେଖିଥିଲେ ।
ସୌଜନ୍ୟ ପ୍ରମେୟ



