ହାତପାଣ୍ଠି ଖର୍ଚ୍ଚ କରିପାରୁ ନାହାନ୍ତି ବିଧାୟକ: ଭଦ୍ରକରେ ଅଜବ ସ୍ଥିତି
୨୦୨୬-୨୭ ଆର୍ଥିକ ବର୍ଷର ୭ ମାସ ବିତିଗଲାଣି। ହେଲେ ଭଦ୍ରକ ଜିଲ୍ଲାର କୌଣସି ବିଧାୟକଙ୍କୁ ଏଯାଏଁ ହାତପାଣ୍ଠି ମିଳିନାହିଁ। ୨୦୨୫-୨୬ରେ ଦିଆଯାଇଥିବା ପାଣ୍ଠିର ଅତିକମ୍ରେ ୭୦ ପ୍ରତିଶତ ବିନିଯୋଗ...

ଭଦ୍ରକ(ହରିହର ନାୟକ): ୨୦୨୬-୨୭ ଆର୍ଥିକ ବର୍ଷର ୭ ମାସ ବିତିଗଲାଣି। ହେଲେ ଭଦ୍ରକ ଜିଲ୍ଲାର କୌଣସି ବିଧାୟକଙ୍କୁ ଏଯାଏଁ ହାତପାଣ୍ଠି ମିଳିନାହିଁ। ୨୦୨୫-୨୬ରେ ଦିଆଯାଇଥିବା ପାଣ୍ଠିର ଅତିକମ୍ରେ ୭୦ ପ୍ରତିଶତ ବିନିଯୋଗ ପ୍ରମାଣପତ୍ର ବା ୟୁସି ଦାଖଲ କରା ନଯିବା ଏହାର ପଛର କାରଣ ବୋଲି କୁହାଯାଉଛି।
ନିର୍ବାଚନମଣ୍ଡଳୀର ବିକାଶ ପାଇଁ ବିଧାୟକମାନଙ୍କୁ ବାର୍ଷିକ ୫ କୋଟି ଟଙ୍କାର ହାତପାଣ୍ଠି ମିଳିଥାଏ। ଭଦ୍ରକ ଜିଲ୍ଲାର ବିଧାୟକମାନଙ୍କୁ ମଧ୍ୟ ଏହି ପାଣ୍ଠି ମିଳୁଛି। ହେଲେ ସେମାନେ ତାକୁ ଖର୍ଚ୍ଚ କରୁ ନାହାନ୍ତି। ଏମ୍ଏଲ୍ଏ ଲ୍ୟାଡ୍ ପୋର୍ଟାଲ୍ ଅନୁଯାୟୀ; ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀର କୌଣସି ବିଧାୟକ ୨୦୨୫-୨୬ ଆର୍ଥିକ ବର୍ଷରେ ମିଳିଥିବା ହାତପାଣ୍ଠିର ୭୦ ପ୍ରତିଶତ ବିନିଯୋଗ କରିପାରି ନାହାନ୍ତି। ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ପ୍ରାୟ ୬୦ ଲକ୍ଷ, ବାସୁଦେବପୁର ବିଧାୟକ ଅଶୋକ ଦାସ ପ୍ରାୟ ୪୮ ଲକ୍ଷ ଏବଂ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୭ ଲକ୍ଷ ଟଙ୍କାର ୟୁସି ଦାଖଲ କରିଛନ୍ତି। ହାତପାଣ୍ଠି ବିନିଯୋଗରେ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସେ ମାତ୍ର ୫ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରିଛନ୍ତି। ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଅନ୍ୟମାନଙ୍କଠାରୁ ଆଗରେ ଅଛନ୍ତି। ସେ ସର୍ବାଧିକ ୨ କୋଟି ୧୬ ଲକ୍ଷ ଟଙ୍କାର ୟୁସି ଦାଖଲ କରିଥିବା ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ




