ରାଜ୍ୟ

Pitabasa Panda: କୁମାର ପୂର୍ଣ୍ଣିମାରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା, କାର୍ତ୍ତିକ ପୂର୍ଣ୍ଣିମାରେ ଆଖି ବୁଜି‌ଲେ ସାନଭାଇ ପୂର୍ଣ୍ଣଚନ୍ଦ୍ର

ଗତ ବର୍ଷ କୁମାର ପୂର୍ଣ୍ଣିମାରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା ଆଉ ପ୍ରାୟ ୧୩ ମାସ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଆଖି ବୁଜି‌ଛନ୍ତି ତାଙ୍କର ସାନଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା।

ବ୍ରହ୍ମପୁର: ଗତ ବର୍ଷ କୁମାର ପୂର୍ଣ୍ଣିମାରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା ଆଉ ପ୍ରାୟ ୧୩ ମାସ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଆଖି ବୁଜି‌ଛନ୍ତି ତାଙ୍କର ସାନଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ତାଙ୍କର ଅକାଳବିୟୋଗରେ ସାରା ପରିବାର ଭାଙ୍ଗିପଡ଼ିଛନ୍ତି। ପୂର୍ଣ୍ଣଚନ୍ଦ୍ର ପଣ୍ଡା ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲାର ତଦାରଖ କରୁଥିଲେ।

ସୂଚନାଯୋଗ୍ୟ, ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଅତି ନିକଟରୁ ଗୁଳି ହୋଇଥିଲା। ଗୁଳି ଡାହାଣ ପଟ ଛାତି ଉପରୁ ଗଳି ସିଧା ଯାଇ ମେରୁଦଣ୍ଡରେ ଲାଗିଥିଲା। ପ୍ରଚୁର ରକ୍ତସ୍ରାବ ଓ ମସ୍ତିଷ୍କଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିଲା।

ହତ୍ୟାକାଣ୍ଡ ଉପରୁ ପରଦା ହଟାଇଥିଲା ପୁଲିସ

ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଥିଲା ପୁଲିସ।  ପୀତାବାସଙ୍କୁ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିବା ବେଳେ ଅଗ୍ରିମ ଭାବେ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା। ହତ୍ୟାକାଣ୍ଡର ୧୭ ଦିନ ପରେ ବ୍ରହ୍ମପୁର ପୁଲିସ ରହସ୍ୟ ଉନ୍ମୋଚନ କରିବା ସହ ଏହି ମାମଲାରେ ୧୨ ଜଣଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ପୂର୍ବତନ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁକୁ ପୁଲିସ ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ ବୋଲି ଦର୍ଶାଇଛି। ଜାମିନ ନାମଞ୍ଜୁର ପରେ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ ହତ୍ୟା ଷଡ୍‌ଯନ୍ତ୍ର ଠାରୁ ଆରମ୍ଭ କରି ଅଭିଯୁକ୍ତଙ୍କ ଭୂମିକା ଉପରେ ବିସ୍ତୃତ ତଥ୍ୟ ରଖିଛନ୍ତି। ପୀତବାସଙ୍କୁ ହତ୍ୟା କରିବାକୁ ବହୁ ଆଗରୁ ଯୋଜନା ହୋଇଥିଲା। ଏଥିପାଇଁ ହିଞ୍ଜିଳିର ବିପିନ ସ୍ବାଇଁ ବିହାରୀ ସାର୍ପସୁଟର୍‌ ଶିଶୁପାଳ କୁମାର ପାଶ୍‌ୱାନ ଓ କୁନ୍ଦନ କୁମାରଙ୍କୁ ଯୋଗାଡ଼ କରିଥିଲା। ସେମାନେ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଅଳକାପୁରୀ ଅଞ୍ଚଳର ଶୂନ୍ୟ ଦାସଙ୍କ ଘରେ ଭଡ଼ାରେ ରହିଥିଲେ। ହିଞ୍ଜିଳିର ବିପିନ ଓ ବଡ଼ଗଡ଼ର ସୀମାଞ୍ଚଳ ନାୟକ ଏମାନଙ୍କ ସହ ମିଶି ରେକି କରିଥିଲେ। ଦୈନନ୍ଦିନ ପୀତବାସଙ୍କ ଘରୁ କୋର୍ଟ ଓ ସନ୍ଧ୍ୟାରେ ପାର୍କସାହିସ୍ଥିତ ଚାମ୍ବର୍‌ ଯିବାଆସିବା ସମୟକୁ ସେମାନେ ଟ୍ରାକ୍‌ କରି ଉଚିତ ସମୟ ବାଛିଥିଲେ। ଉମା ବିଷୋୟୀ, ଯୋଗେନ୍ଦ୍ର ରାଉତ ଏମାନଙ୍କୁ ମଳୟ ବିଷୋୟୀଙ୍କ ସହଯୋଗରେ ଅଳକାପୁରୀର ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ଭଡ଼ାରେ ରହିବା ବ୍ୟବସ୍ଥା କରିଥିଲେ।

ବିଜେଡି ନେତା ବିକ୍ରମ ପଣ୍ଡା ଗିରଫ ହୋଇଥିଲେ

ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ ପଣ୍ଡା ଗିରଫ ହୋଇଥିଲେ। ହତ୍ୟା ଷଡ୍‌ଯନ୍ତ୍ର ଅଭିଯୋଗରେ ସେ ଜଣେ ଅଭିଯୁକ୍ତ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button