ନାମକୁମାତ୍ର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ: ସାରସପଡ଼ାର ଭାଗ୍ୟ ଫିଟୁନି, କୌଣସି ମାନଦଣ୍ଡରେ ଖାପ ଖାଉନି
ବଲାଙ୍ଗୀର ଜିଲ୍ଲାରେ ସମୁଦାୟ ୧୭୯୪ ଗାଁ। ଜିଲ୍ଲାର ମୋଟ ଜନସଂଖ୍ୟାର ୮୮ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରନ୍ତି। ବର୍ଷତମାମ ପ୍ରତି ଗାଁର ସମାନ ସମସ୍ୟା ସାମନାକୁ ଆସୁଛି। ରାସ୍ତାଘାଟ ଅଭାବ।

ବଲାଙ୍ଗୀର (ଅଞ୍ଜନ କୁମାର ପ୍ରଧାନ): ବଲାଙ୍ଗୀର ଜିଲ୍ଲାରେ ସମୁଦାୟ ୧୭୯୪ ଗାଁ। ଜିଲ୍ଲାର ମୋଟ ଜନସଂଖ୍ୟାର ୮୮ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରନ୍ତି। ବର୍ଷତମାମ ପ୍ରତି ଗାଁର ସମାନ ସମସ୍ୟା ସାମନାକୁ ଆସୁଛି। ରାସ୍ତାଘାଟ ଅଭାବ। ପାନୀୟ ଜଳସଙ୍କଟ। ବିଜୁଳି ଠପ୍। ପ୍ରଶାସନର ଜନଶୁଣାଣିରେ ଏଭଳି ଅଭିଯୋଗ ଫର୍ଦ୍ଦରେ ଫାଇଲ୍ ମୋଟା ହୋଇଯାଉଛି। ଅନ୍ୟ ଗାଁ କଥା ଦୂରେ ଥାଉ; ଜିଲ୍ଲାର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଅନ୍ୟଠାରୁ ନିଶ୍ଚିତ ଭାବେ ଭିନ୍ନ ଥିବ ବୋଲି ଆଶା କରାଯିବା କଥା। ଏହି ଆଶା ନେଇ ଆମେ ପହଞ୍ଚିଥିଲୁ ମୁରିବାହାଲ ବ୍ଲକ୍ ଡଙ୍ଗରପଡ଼ା ପଞ୍ଚାୟତ ସାରସପଡ଼ା ଗାଁରେ। ୨୦୧୪ ମସିହାରେ ଏହି ଦାଦନପ୍ରବଣ ଗାଁକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଥିଲା। ଆଦର୍ଶ ଗ୍ରାମ ହିସାବରେ ଏହାର ପାରିପାର୍ଶ୍ବିକ ବିକାଶ ହେବା କଥା। ଗାଁ ଭିତରେ ଚକାଚକ୍ ରାସ୍ତାଘାଟ, ଡ୍ରେନେଜ୍ ସୁବିଧା, ବର୍ଜ୍ୟବସ୍ତୁ ପରିଚାଳନା, ସ୍ବଚ୍ଛ ପିଇବା ପାଣି, ସୁଦୃଢ଼ ଶିକ୍ଷା ବ୍ୟବସ୍ଥା ରହିବା କଥା।
ହେଲେ ଗାଁକୁ ପହଞ୍ଚିବା ପରେ ସେଭଳି କିଛି ସ୍ବତନ୍ତ୍ରତା ଦେଖିବାକୁ ମିଳିଲା ନାହିଁ। ବରଂ ସାଧାରଣ ଗାଁରୁ ଏହି ଆଦର୍ଶ ଗାଁର ସ୍ଥିତି ଆହୁରି ଖରାପ। ଗାଁ ଲୋକଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମରେ ସେମାନେ ସାମିଲ ଥିବା କହିଥିଲେ। କ’ଣ ବିଶେଷ ସୁବିଧା ପାଇଛନ୍ତି ତାହା କେହି ହୃଦ୍ବୋଧ କରିନଥିବା କ୍ଷୋଭର ସହ କହିଥିଲେ। ୨ଟି ୱାର୍ଡ ବିଶିଷ୍ଟ ଏହି ଗାଁର ଜନସଂଖ୍ୟା ୯୫୦ ପାଖାପାଖି। ପ୍ରାୟ ୧୯୦ ପରିବାର ଏଠି କୌଣସି ବିଶେଷ ମୌଳିକ ସୁବିଧା ପାଇନାହାନ୍ତି। ଆଦର୍ଶ ଗାଁର ସବୁ ଅନାର୍ଦଶ ଚିତ୍ର ଏଠାରେ ଦେଖିବାକୁ ମିଳିଥିଲା। ଗାଁରେ କାଦୁଅ ସରସର ମାଟି ରାସ୍ତା ଲମ୍ବି ରହିଛି। ଡ୍ରେନ୍ର ନାମଗନ୍ଧ ନାହିଁ। ଘରଗୁଡ଼ିକର ବ୍ୟବହୃତ ପାଣି ରାସ୍ତା ଉପରେ ମାଡୁଛି। ଲୋକେ ରାସ୍ତାକଡ଼ ଓ ବିଲରେ ଶୌଚ କରୁଛନ୍ତି। ଆବର୍ଜନା ପକାଇବାକୁ ଡଷ୍ଟବିନ୍ ନଥିବାରୁ ଏଣେତେଣେ ସବୁ ଖେଳାଇ ହୋଇପଡ଼ିଛି। ସ୍ବଚ୍ଛ ପାନୀୟଜଳ ପାଣି ଯୋଗାଣ ପାଇଁ ଗାଁରେ ପାଇପ୍ ବିଛାଇବାକୁ ଦୁଇଥର ଖନନ କରାଯାଇଛି।
ସୌଜନ୍ୟ ସମ୍ବାଦ




