Wall Collapsed ଜେଜେ ମା’ଙ୍କ ସହ ଘରେ ଖେଳୁଥିଲେ, ଭୁଶୁଡ଼ିଗଲା କାନ୍ଥ, ଶିଶୁ ମୃତ
ମୟୂରଭଞ୍ଜର ଚିଙ୍ଗୁଡ଼ିପୋଖରୀ ଗ୍ରାମରେ କଚ୍ଚା କାନ୍ଥ ପଡ଼ି ଦେଢ଼ ବର୍ଷର ଶିଶୁ ଜୟରାମ ଟୁଡୁଙ୍କ ମୃତ୍ୟୁ ହୋଇଛି। ଜେଜେମା’ ଗୁରୁତର ଆହତ।

ରାଇରଙ୍ଗପୁର/ବାଦାମପାହାଡ:ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁସୁମୀ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିପୋଖରୀ ଗ୍ରାମରେ ଘରର କଚ୍ଚା କାନ୍ଥପଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି।
ସୂଚନାନୁସାରେ, ଆଜି ପୂର୍ବାହ୍ଣରେ ଏହି ଘଟଣା ଘଟିଛି। ମଦନ ମୋହନ ଟୁଡୁଙ୍କ ଦେଢ଼ ବର୍ଷର ପୁଅ ଜୟରାମ ଟୁଡୁ ଓ ତାଙ୍କ ବୃଦ୍ଧା ମାଆ ବାସନ୍ତୀ ଟୁଡୁଙ୍କ ଉପରେ କାନ୍ଥ ଭୁଷୁଡି ପଡିଥିଲା। ଗୁରୁତର ଅବସ୍ଥାରେ ଶିଶୁ ଓ ଜେଜେ ମାଆଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥ ପଣ୍ତିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ରାସ୍ତାରେ ଶିଶୁ ଜୟରାମଙ୍କ ମୃତ୍ୟୁ ଘଟିଥିଲା ।
ଗୁରୁତର ଆହତ ବାସନ୍ତୀଙ୍କୁ ବାରିପଦାରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ଆଜି ଶିଶୁ ଜୟରାମଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ସୌଜନ୍ୟ ସମ୍ବାଦ




