Conference: ୨୩ରୁ ଓଡ଼ିଶାରେ ଆୟୋଜନ ହେବ ‘ସହରୀ ଗତିଶୀଳତା ଭାରତ ସମ୍ମିଳନୀ
ଓଡ଼ିଶାରେ ପ୍ରଥମ ଥର ପାଇଁ ପୂର୍ବଭାରତରେ ୧୯ତମ ସହରୀ ଗତିଶୀଳତା ଭାରତ ସମ୍ମିଳନୀ ସହ ପ୍ରଦର୍ଶନୀ ଓ ୨ୟ ଜାତୀୟ ନଗର ସମ୍ମିଳନୀର ଆୟୋଜନ ହେବ। ଏହି ଜାତୀୟସ୍ତରୀୟ ଆୟୋଜନକୁ ସଫଳ କରିବା ପାଇଁ ଆଜି ଗୃହ ଓ ନଗର ଉନ୍ନୟନ...

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ପୂର୍ବଭାରତରେ ୧୯ତମ ସହରୀ ଗତିଶୀଳତା ଭାରତ ସମ୍ମିଳନୀ ସହ ପ୍ରଦର୍ଶନୀ ଓ ୨ୟ ଜାତୀୟ ନଗର ସମ୍ମିଳନୀର ଆୟୋଜନ ହେବ। ଏହି ଜାତୀୟସ୍ତରୀୟ ଆୟୋଜନକୁ ସଫଳ କରିବା ପାଇଁ ଆଜି ଗୃହ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି। ଆସନ୍ତା ୨୩ରୁ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ହୋଟେଲ୍ ମେଫେୟାରଠାରେ ଏହି ତିନିଦିନିଆ ଆୟୋଜନ ଅନୁଷ୍ଠିତ ହେବ।
ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ସମନ୍ବିତ ଆଞ୍ଚଳିକ ନଗର ଯାତାୟାତ ସହଯୋଗରେ ଏହା ଆୟୋଜିତ ହେଉଛି। ଚଳିତ ବର୍ଷର ଆୟୋଜନର ବିଷୟବସ୍ତୁ ରହିଛି ଡିଜିଟାଲ୍ ଯୁଗରେ ସହରର ସହଜ ଗତିଶୀଳତା ଓ ଜୀବନଯାପନ, ଆଧୁନିକ ଉନ୍ନତି। ଏହି ପରିପ୍ରେକ୍ଷୀରେ ଆଜି ଖାରବେଳଭବନଠାରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗ ଓ ସଂସ୍ଥା ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଏବଂ ଦାୟିତ୍ୱଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗ ସମେତ କ୍ରୁଟ, ଗୃହ, ନିର୍ମାଣ, ପର୍ଯ୍ୟଟନ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ, ମିସନ ଶକ୍ତି ଆଦି ବିଭାଗର ବରିଷ୍ଠ ଅଧିକାରୀ ଓ ନୋଡାଲ ଅଧିକାରୀମାନେ ଯୋଗ ଦେଇଥିଲେ।
ଏହି ଆୟୋଜନର ଜାତୀୟ ଗୁରୁତ୍ୱକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ଓ ସଂସ୍ଥା ମଧ୍ୟରେ ନିବିଡ଼ ସମନ୍ୱୟ ରକ୍ଷା କରି ପ୍ରତ୍ୟେକ କାର୍ଯ୍ୟକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସୁଚାରୁ ଭାବେ ସମ୍ପାଦନ କରିବାକୁ ମନ୍ତ୍ରୀ ଡ. ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। କେବଳ ସମ୍ମିଳନୀସ୍ଥଳ ନୁହେଁ, ସମଗ୍ର ସହରରେ ଅତିଥିମାନଙ୍କ ଅନୁଭୂତିକୁ ସୁନ୍ଦର ଓ ସ୍ମରଣୀୟ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ନଗର ଯାତାୟାତ, ଆତିଥ୍ୟ, ପରିମଳ, ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମି, ସୁରକ୍ଷା, ପ୍ରୋଟୋକଲ୍, ସାଂସ୍କୃତିକ ପ୍ରଦର୍ଶନ ଓ ଅତିଥି ସୁବିଧା ଆଦି ସମସ୍ତ ଦିଗରେ ସମନ୍ୱିତ ପ୍ରସ୍ତୁତି କରିବାକୁ ସେ କହିଥିଲେ।
ସୌଜନ୍ୟ ସମ୍ବାଦ




