ରାଜ୍ୟ

Odisha shuts down: ‘ବନ୍ଦ’ ହୋଇଗଲା ଓଡ଼ିଶା: କେଉଁଠି ଯୁକ୍ତିତର୍କ, ଆଉ କେଉଁଠି ଜନସାଧାରଣଙ୍କୁ ମିଳିଲା ଫୁଲ

୪ ଦଫା ଦାବି ନେଇ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଥିଲା ‘ଇଣ୍ଡି’ ମେଣ୍ଟ। ସକାଳ ୬ଟାରୁ ବନ୍ଦ ଆରମ୍ଭ ହୋଇଥିବାବେଳେ ରାଜ୍ୟବ୍ୟାପୀ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟବସାୟ ପ୍ରତିଷ୍ଠାନ....

ଭୁବନେଶ୍ବର: ୪ ଦଫା ଦାବି ନେଇ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଥିଲା ‘ଇଣ୍ଡି’ ମେଣ୍ଟ। ସକାଳ ୬ଟାରୁ ବନ୍ଦ ଆରମ୍ଭ ହୋଇଥିବାବେଳେ ରାଜ୍ୟବ୍ୟାପୀ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟବସାୟ ପ୍ରତିଷ୍ଠାନ, ଅଟୋ ଓ ବସ୍‌ ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇ ଯାଇଥିଲା। ବିକ୍ଷୋଭକାରୀ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ବିଭିନ୍ନ ସ୍ଥାନରେ ପିକେଟିଂ ଓ ନାରାବାଜି କରିଥିଲେ। କେବଳ ଆମ୍ବୁଲାନ୍‌ସ, କ୍ଷୀର ଗାଡ଼ିକୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କୁ ଅଟକାଇ ଆନ୍ଦୋଳନକାରୀ ଫେରିଯିବାକୁ କହିଥିଲେ। ଏମିତିକି ହସ୍ପିଟାଲକୁ ଯିବା ପାଇଁ ଡାକ୍ତର ଓ ରୋଗୀଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଗାଡ଼ି ଚଳାଚଳ ବନ୍ଦ ଥିବାରୁ ବିମାନବନ୍ଦର, ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନ୍‌ରୁ ଆସୁଥିବା ଯାତ୍ରୀ ନାକେଦମ ହୋଇଛନ୍ତି। କିଛି ସ୍ଥାନରେ ହିଂସାକୁ ବାଦ୍‌ ଦେଲେ ବନ୍ଦ ପାଳନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଛି।

ମୁଖ୍ୟ ନିର୍ବାଚନ କମିସନ ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ ରଦ୍ଦ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଓ ପର୍ଯ୍ୟାପ୍ତ ସହାୟତା ପ୍ରଦାନ କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିଲା। ‘ଇଣ୍ଡି’ ମେଣ୍ଟର ସମସ୍ତ ସହଯୋଗୀ ଦଳର ନେତା, କର୍ମୀ ଓ ସମର୍ଥକ ବନ୍ଦପାଳନରେ ସାମିଲ ହୋଇଥିଲେ। ସକାଳ ସକାଳୁ ଦଳୀୟ କର୍ମୀମାନେ ପିକେଟିଂ ଆରମ୍ଭ କରିଦେଇଥିଲେ। ଆନ୍ଦୋଳନକାରୀ ଦଳୀୟ ପତାକା ଓ ହାତରେ ଠେଙ୍ଗା ଧରି ରାସ୍ତା ଅବରୋଧ କରିଥିଲେ। ବନ୍ଦ ପାଇଁ ଜାତୀୟ ରାଜପଥରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବହୁ ପଥଚାରୀଙ୍କୁ ଜବରଦସ୍ତି ଅଟକାଯିବାକୁ ନେଇ ଆନ୍ଦୋଳନକାରୀଙ୍କ ସହ ଯୁକ୍ତିତର୍କ ‌ହୋଇଥିଲା। ମହିଳା ଗାଡ଼ି ଚାଳକ ଓ ବରିଷ୍ଠ ନାଗରିକ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନ ଥିଲେ। କିଛି ଆନ୍ଦୋଳନକାରୀ କ୍ୟାପିଟାଲ ହସ୍ପିଟାଲ୍‌କୁ ଯାଉଥିବା ଡାକ୍ତରଙ୍କୁ ମଧ୍ୟ ଅଟକାଇ ବନ୍ଦ ପାଇଁ ଆଜି ଛୁଟି ନେବାକୁ ଅନୁରୋଧ କରିଥିଲେ। ଆନ୍ଦୋଳନକୁ ନଜରରେ ରଖି ରେଳ ଷ୍ଟେସନ୍‌ରେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସେହିପରି ବନ୍ଦ ପାଳନ ସମୟରେ ଗଞ୍ଜାମଜିଲ୍ଲା ହିଞ୍ଜିଳିକାଟୁରେ ବିଜେପି ମଣ୍ଡଳ ସଭାପତି ଓ କଂଗ୍ରେସ ଉପସଭାପତି ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତି ବିଗିଡ଼ିବା ପୂର୍ବରୁ ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ସହ ହସ୍ତକ୍ଷେପ କରିଥିଲା। ରାଉରକେଲାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ବନ୍ଦ ପାଇଁ ରାଜରାସ୍ତାରେ ଜାମ୍‌ରେ ଫସିଥିବା ପଥଚାରୀଙ୍କୁ ଆନ୍ଦୋଳନକାରୀ ଗୋଲାପ ଫୁଲ ବାଣ୍ଟିବା ସହ ବନ୍ଦକୁ ସମର୍ଥନ ଦେବା ପାଇଁ ନିବେଦନ କରିଥିଲେ। ସେହିପରି ସମ୍ବଲପୁରରେ ମହିଳା କଂଗ୍ରେସ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପିକେଟିଂ କରିବା ସହ କର୍ମଚାରୀଙ୍କୁ ଫୁଲ ଦେଇ କାମ ବନ୍ଦ କରିବା ପାଇଁ ନିବେଦନ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button