World EGG Day : ଅଣ୍ଡା ଶସ୍ତା ହେବ କେମିତି? ବଢ଼ୁଛି ଦାନା, ବିଜୁଳି ଓ ଶ୍ରମିକ ଖର୍ଚ୍ଚ, ଗରିବଙ୍କ ଥାଳିରୁ ହଜୁଛି ପୁଷ୍ଟିକର ଖାଦ୍ୟ

ଭୁବନେଶ୍ୱର,୦୯/୧୦: ପୂର୍ବରୁ ଶୁଣିଥିଲୁ ‘ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା’ । ଏବେ ଏଇ କଥା ଅଣ୍ଡା ଉପରେ ପ୍ରୟୋଗ କରାଗଲାଣି । ‘ଅଣ୍ଡା ୮ଟଙ୍କାକୁ ଦାନା ୧୦ଟଙ୍କା’ । ଅର୍ଥାତ ଅଣ୍ଡାର ଉତ୍ପାଦନ ଖର୍ଚ୍ଚ ଢ଼େର୍ ବଢ଼ିଗଲାଣି । ଘର ତିଆରିଠୁ ନେଇ ବିଦ୍ୟୁତ, ପାଣି, ଶ୍ରମିକ, ଔଷଧ, କୁକୁଡ଼ା ଦାନା ପର୍ଯ୍ୟନ୍ତ ଦର ବଢ଼ିଲାଣି । ଯାହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ପକେଟ ଉପରେ ପଡ଼ିଛି ।
ପାଞ୍ଚବର୍ଷ ତଳେ ଗୋଟିଏ ଅଣ୍ଡାର ଉତ୍ପାଦନ ଖର୍ଚ୍ଚ ଥିଲା ୨ରୁ ୨.୫୦ ଟଙ୍କା । ଏବେ ତାହା ସାଢ଼େ ୫ଟଙ୍କାରେ ପହଞ୍ଚିଲାଣି । ସେହି ଅନୁସାରେ, ଦାନା ଦର ପୂର୍ବରୁ କିଲୋ ପିଛା ୩୮ ଟଙ୍କା ଥିବାବେଳେ ଏବେ ତାହା ୫୫ଟଙ୍କାରେ ପହଞ୍ଚିଛି । ଅଣ୍ଡା ଗୋଟାପ୍ରତି ଦର ପୂର୍ବରୁ ୪ରୁ ୫ଟଙ୍କା ଥିବା ବେଳେ ଏବେ ୮ରୁ ୯ ଏବଂ ବେଳେ ବେଳେ ୧୦ଟଙ୍କା ହୋଇପଡ଼ୁଛି । ସ୍ଥିତି ଏମିତି, ଗରିବଙ୍କ ଥାଳିରୁ ଅଣ୍ଡା ହଜିଯିବାକୁ ବସିଲାଣି । ତେଣୁ ଆଉ ଅଣ୍ଡା ଶସ୍ତା କ’ଣ?
ରାଜ୍ୟରେ ଏବେ ମୋଟ ୨୩ ହଜାର ୯୫୬ଟି ଛୋଟ ଓ ବଡ଼ ବ୍ରୟଲର କୁକୁଡ଼ା ଫାର୍ମ ଓ ୧୮୯ ସଂଖ୍ୟକ ବ୍ୟବସାୟିକ ଭିତ୍ତିକ ଅଣ୍ଡା ଦିଆ କୁକୁଡ଼ା ଫାର୍ମ ଅଛି । ବର୍ତ୍ତମାନ ରାଜ୍ୟ ସରକାର ନୂଆ କୁକୁଡ଼ା ଫାର୍ମ ଖୋଲିବା ପାଇଁ ଚାଷୀ ଓ ବ୍ୟବସାୟୀଙ୍କୁ ରିହାତି (ସବସିଡି)ଦେଉଛନ୍ତି । ପୁରୁଷଙ୍କ କ୍ଷେତ୍ରରେ ୪୦ ପ୍ରତିଶତ ଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୫୦ ପ୍ରତିଶତ ରହିଛି । ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧ କୋଟି ଟଙ୍କା ଯାଏ ସହାୟତା ରହିଛି । ଏଥିରେ ଘର ସହ ଯନ୍ତ୍ରପାତି, ବୋରିଂ (ଜଳ ବ୍ୟବସ୍ଥା), ବିଜୁଳି ସଂଯୋଗ ହେଉଛି । ହେଲେ କୁକୁଡ଼ା ଚିଆଁ, ଦାନା, ଔଷଧ ଏବଂ ଶ୍ରମିକ ଖର୍ଚ୍ଚ ବହନ କରିବା ଦାୟିତ୍ୱ ଚାଷୀର । ସେଥିରେ ପ୍ରାୟ ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ପରେ ମାସକୁ ମାସ ହାତରୁ ୨୦ରୁ ୩୦ ହଜାର ଖର୍ଚ୍ଚ ହେଉଛି । ଯଦି ପ୍ରକଳ୍ପ ଖର୍ଚ୍ଚ ଅଧିକ ହୁଏ, ତେବେ ସେ ଖର୍ଚ୍ଚ ଚାଷୀ ନିଜେ ବହନ କରିବେ । ଖାଲି ସେତିକି ନୁହେଁ, ଯେହେତୁ କୁକୁଡ଼ା ଚାଷ କୃଷି ବିଭାଗ ଅଧୀନରେ ଆସୁଛି, ସେଦୃଷ୍ଟିରୁ ବିଦ୍ୟୁତ ପାଇଁ ୧ଟଙ୍କା ୧୦ ପଇସା ଛାଡ଼ କରୁଛନ୍ତି ସରକାର । ମାତ୍ର ଏହା ସମୁଦ୍ରକୁ ଶଙ୍ଖେ ଭଳି ।
ସୌଜନ୍ୟ ପ୍ରମେୟ




