ରାଜ୍ୟ

Coastal Highway: ଆଣ୍ଠେଇଛି ଉପକୂଳ ରାଜପଥ: ଚିନ୍ତାରେ ୨୧ ପରିବାର

ଭାରତମାଳା ପ୍ରକଳ୍ପ ଅଧୀନରେ ପ୍ରସ୍ତାବିତ ଉପକୂଳ ରାଜପଥକୁ ନେଇ ବାଲିକୁଦା ଅଞ୍ଚଳବାସୀଙ୍କ ମନରେ ଏବେ ଆଶା, ଆଶଙ୍କା ସୃଷ୍ଟି ହୋଇଛି। ସଂଶୋଧିତ ନକ୍ସା ଜାରି ହେବା ପରେ ପ୍ରକଳ୍ପ ନିର୍ମାଣକୁ ନେଇ ଅଞ୍ଚଳବାସୀଙ୍କ ମନରେ ବିକାଶର ସୁନେଲି ସ୍ୱପ୍ନ ଜାଗିଥିଲା।

ବାଲିକୁଦା (ପ୍ରଣବ ପ୍ରଧାନ): ଭାରତମାଳା ପ୍ରକଳ୍ପ ଅଧୀନରେ ପ୍ରସ୍ତାବିତ ଉପକୂଳ ରାଜପଥକୁ ନେଇ ବାଲିକୁଦା ଅଞ୍ଚଳବାସୀଙ୍କ ମନରେ ଏବେ ଆଶା, ଆଶଙ୍କା ସୃଷ୍ଟି ହୋଇଛି। ସଂଶୋଧିତ ନକ୍ସା ଜାରି ହେବା ପରେ ପ୍ରକଳ୍ପ ନିର୍ମାଣକୁ ନେଇ ଅଞ୍ଚଳବାସୀଙ୍କ ମନରେ ବିକାଶର ସୁନେଲି ସ୍ୱପ୍ନ ଜାଗିଥିଲା। ମାତ୍ର ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ଏବଂ ଜମି ଅଧିଗ୍ରହଣ ସମ୍ପର୍କିତ ସମସ୍ୟା ପ୍ରକଳ୍ପର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛି। ଅନ୍ୟପଟେ ଏହି ପ୍ରକଳ୍ପରେ ବେଘର ହେବାକୁ ଯାଉଥିବା ୨୧ ପରିବାର ଏବେ ଚିନ୍ତାରେ ପଡ଼ିଛନ୍ତି। ୨୦୧୫ରେ କେନ୍ଦ୍ର ସରକାର ଉପକୂଳ ରାଜପଥ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ପ୍ରାରମ୍ଭିକ ନକ୍ସାରେ ବାଲିକୁଦା ବ୍ଲକର ମରିଚପୁର, କୁସୁପୁର ଓ ବରମୁଣ୍ଡଳୀ ଅଞ୍ଚଳ ଦେଇ ପାରାଦ୍ୱୀପରୁ ପୁରୀ ଜିଲ୍ଲାର ଅସ୍ତରଙ୍ଗକୁ ରାଜପଥ ସଂଯୋଗ ପ୍ରସ୍ତାବ ଥିଲା। ପରବର୍ତ୍ତୀ ସମୟରେ ନକ୍ସାରେ ସଂଶୋଧନ କରାଯାଇ ସମୁଦ୍ରତଟଠାରୁ ପ୍ରାୟ ୨୫ କିମି ଦୂରରେ ବାଲିକୁଦା ବ୍ଲକର ଆମ୍ବଶାଳ, ବୋରିକିନା ଓ ଅଢ଼ଙ୍ଗା ଦେଇ ନାଉଗାଁ ବ୍ଲକର ଡାବରକୁ ସଂଯୋଗ କରିବାର ନକ୍ସା ଜାରି ହୋଇଥିଲା। ଏହାକୁ ନେଇ ବିରୋଧ ପରେ ସଂଶୋଧିତ ତୃତୀୟ ନକ୍ସା ଜାରି ହୋଇଥିଲା। ଆମ୍ବଶାଳ ପଞ୍ଚାୟତରେ ପରିବେଶ ମଞ୍ଜୁରି ସମ୍ପର୍କିତ ଜନଶୁଣାଣି ହୋଇଥିଲା। ରାସ୍ତା ଯିବାକୁ ଥିବା ସ୍ଥାନରେ ଖୁଣ୍ଟ ପୋତି ସୀମା ଚିହ୍ନଟ କରାଯାଇଥିବା ବେଳେ ବାଲିକୁଦା ତହସିଲ ପକ୍ଷରୁ ସମ୍ପୃକ୍ତ ଗ୍ରାମର ଜମି ମାଲିକମାନଙ୍କୁ ଭେଟି ପ୍ରକଳ୍ପ ସମ୍ପର୍କରେ ଅବଗତ କରାଯାଇଛି। ଅନ୍ୟପଟେ ପରିବେଶ ମଞ୍ଜୁରି ସମ୍ପର୍କିତ ପ୍ରକ୍ରିୟା ଚାଲିଥିବା ବେଳେ ଟେଣ୍ଡର ଆବେଦନ ହୋଇ ବିଡ୍‌ ଖୋଲାଯାଇଛି। ମାତ୍ର ଏପର୍ଯ୍ୟନ୍ତ ଚୂଡ଼ାନ୍ତ କାର୍ଯ୍ୟାଦେଶ ମିଳିନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button