Fighter jets Indi: ଏଫ୍-୩୫ ବିକ୍ରି ପାଇଁ ଆମେରିକାର ଔପଚାରିକ ପ୍ରସ୍ତାବ ଆସିନାହିଁ: ବାୟୁସେନା ମୁଖ୍ୟ
ଆମେରିକା ଭାରତକୁ ଏଫ୍-୩୫ ଯୁଦ୍ଧବିମାନ ବିକ୍ରି କରିବା ପାଇଁ ଏଯାଏଁ କୌଣସି ଔପଚାରିକ ପ୍ରସ୍ତାବ ଦେଇନାହିଁ। ସେହିପରି ରୁଷ୍ର ଅତ୍ୟାଧୁନିକ ଏସ୍ୟୁ-୫୭ ଯୁଦ୍ଧବିମାନ କିଣିବା ପ୍ରସ୍ତାବ ଉପରେ ମଧ୍ୟ ଭାରତ ସରକାର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି।

ଯୋଧପୁର: ଆମେରିକା ଭାରତକୁ ଏଫ୍-୩୫ ଯୁଦ୍ଧବିମାନ ବିକ୍ରି କରିବା ପାଇଁ ଏଯାଏଁ କୌଣସି ଔପଚାରିକ ପ୍ରସ୍ତାବ ଦେଇନାହିଁ। ସେହିପରି ରୁଷ୍ର ଅତ୍ୟାଧୁନିକ ଏସ୍ୟୁ-୫୭ ଯୁଦ୍ଧବିମାନ କିଣିବା ପ୍ରସ୍ତାବ ଉପରେ ମଧ୍ୟ ଭାରତ ସରକାର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି। ଭାରତୀୟ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶାଲ ଏ.ପି. ସିଂହ ଶନିବାର ରାଜସ୍ଥାନର ଯୋଧପୁରଠାରେ ଏହି ସୂଚନା ଦେଇଛନ୍ତି।
ବହୁରାଷ୍ଟ୍ରୀୟ ବାୟୁସେନା ଅଭ୍ୟାସ ‘ତରଙ୍ଗ ଶକ୍ତି-୨୦୨୬’ର ଉଦ୍ଯାପନୀ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏୟାର୍ ଚିଫ୍ ମାର୍ଶାଲ ସିଂହ ଏହି ମନ୍ତବ୍ୟ ଦେଇଥିଲେ। ତାଙ୍କ ପାଖରେ ଆମେରିକାର ପ୍ରଶାନ୍ତ ମହାସାଗରୀୟ ବାୟୁସେନା ମୁଖ୍ୟ ଜେନେରାଲ କେଭିନ୍ ସ୍ନାଇଡର୍ ଉପସ୍ଥିତ ଥିଲେ। ଏଫ୍-୩୫ ବିକ୍ରି ସମ୍ପର୍କରେ ପ୍ରଶ୍ନ ହେବାରୁ ସିଂହ ହାସ୍ୟରସ ଛଳରେ କହିଥିଲେ, ଆପଣମାନେ ଆମକୁ ବିମାନ ପାଖକୁ ମଧ୍ୟ ଯିବାକୁ ଦେଉନାହାନ୍ତି, ଆଉ ଆମକୁ ବିକ୍ରି କରିବା କଥା କହୁଛନ୍ତି। ସେ ସ୍ପଷ୍ଟ କରିଥିଲେ ଯେ, ଆମେରିକା ପକ୍ଷରୁ ଏଫ୍-୩୫ ବିକ୍ରି ପାଇଁ କୌଣସି ଔପଚାରିକ ପ୍ରସ୍ତାବ ଭାରତକୁ ମିଳିନାହିଁ।
ରୁଷ୍ର ପଞ୍ଚମ ପିଢ଼ିର ଯୁଦ୍ଧବିମାନ ଏସ୍ୟୁ-୫୭ କିଣିବା ସମ୍ପର୍କରେ ପଚରାଯିବାରୁ ବାୟୁସେନା ମୁଖ୍ୟ କହିଥିଲେ ଯେ ରୁଷ୍ ପକ୍ଷରୁ ଏକ ପ୍ରସ୍ତାବ ଆସିଥିବା ତାଙ୍କ ବିଭାଗ ଜାଣିବାକୁ ପାଇଛି। କିନ୍ତୁ ଏହାର ପରୀକ୍ଷଣ ଓ ମୂଲ୍ୟାଙ୍କନ କରାଯିବ କି ନାହିଁ, ସେ ସମ୍ପର୍କରେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ସରକାରଙ୍କଠାରୁ ନିର୍ଦ୍ଦେଶ ମିଳିବା ପରେ ଏହି ବିମାନ ଭାରତୀୟ ବାୟୁସେନାର ଆବଶ୍ୟକତା କେତେ ପୂରଣ କରିପାରିବ, ତାହା ମୂଲ୍ୟାଙ୍କନ କରାଯିବ।
‘ତରଙ୍ଗ ଶକ୍ତି-୨୦୨୬’ରେ ଆମେରିକା ସମେତ ଆଠଟି ଦେଶର ବାୟୁସେନା ଅଂଶଗ୍ରହଣ କରିଥିଲେ। ଏହି ଅଭ୍ୟାସରେ ଆମେରିକାର ଏଫ୍-୩୫ଏ ଯୁଦ୍ଧବିମାନ ପ୍ରଥମ ଥର ପାଇଁ ଭାରତୀୟ ମାଟିରେ ଏକ ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସରେ ସାମିଲ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭାରତ ନିଜର ଭବିଷ୍ୟତ ଯୁଦ୍ଧବିମାନ ଆବଶ୍ୟକତା, ବିଦେଶୀ ପ୍ରଯୁକ୍ତି ଓ ସ୍ୱଦେଶୀ ପଞ୍ଚମ ପିଢ଼ିର ଯୁଦ୍ଧବିମାନ ପ୍ରକଳ୍ପ ଉପରେ ବିଚାର କରୁଛି।
ସୌଜନ୍ୟ ସମ୍ବାଦ




