ନାକରେ କନ୍ଦାଇଲାଣି ଜୀବନରେଖା: ୧୦ କିମି ରାସ୍ତାକୁ ୧୦ ଘଣ୍ଟା, ଧୂଳିରେ ଆକ୍ତାମାକ୍ତା ଯାତ୍ରୀ
ରବିବାର ମଧ୍ୟାହ୍ନ ୧୨ଟା ୧୫ ମିନିଟ୍। ୧୪୯ ନମ୍ବର ଜାତୀୟ ରାଜପଥରେ ଚାଇଁପାଳ ରେଳ ଓଭରବ୍ରିଜ୍ର ପ୍ରାୟ ୫ ଶହ ମିଟର ରାସ୍ତା ଅତିକ୍ରମ କରିବାକୁ ବାଇକ୍ରେ ଲାଗିଲା ୧୪ ମିନିଟ୍। ବସ୍, ଟ୍ରକ୍ କଥା ନ କହିବା ଭଲ।

ଅନୁଗୋଳ (ପତିତପାବନ ସାହୁ): ରବିବାର ମଧ୍ୟାହ୍ନ ୧୨ଟା ୧୫ ମିନିଟ୍। ୧୪୯ ନମ୍ବର ଜାତୀୟ ରାଜପଥରେ ଚାଇଁପାଳ ରେଳ ଓଭରବ୍ରିଜ୍ର ପ୍ରାୟ ୫ ଶହ ମିଟର ରାସ୍ତା ଅତିକ୍ରମ କରିବାକୁ ବାଇକ୍ରେ ଲାଗିଲା ୧୪ ମିନିଟ୍। ବସ୍, ଟ୍ରକ୍ କଥା ନ କହିବା ଭଲ। କେଉଁଠି ଘଣ୍ଟେ ତ କେଉଁଠି ୩ ଘଣ୍ଟା। ବେଳେବେଳେ ଜାମ୍ରେ ଅଧା ଦିନ ବି ବିତିଯାଉଛି। ସ୍ଥିତି ଏମିତି ଯେ ତାଳଚେରରୁ ବଅଁରପାଳ ମାତ୍ର ୧୦ କିମି ରାସ୍ତା ପାର୍ ହେବାକୁ ୧୦ ଘଣ୍ଟା ଲାଗୁଛି।
କୋଇଲା ନଗରୀ ତାଳଚେରର ଜୀବନରେଖା କୁହାଯାଉଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଏବେ ଏମିତି ଚିତ୍ର ନିତି ଦେଖିବାକୁ ମିଳିଛି। ତାଳଚେରରୁ ବଅଁରପାଳକୁ ଯୋଡ଼ୁଥିବା ଏହି ମୁଖ୍ୟ ରାସ୍ତାର ଦୟନୀୟ ଅବସ୍ଥା ପାଇଁ ଲୋକେ ନାକରେ କାନ୍ଦିଲେଣି। କେବଳ ଏତିକି ନୁହେଁ, ଏହି ରାସ୍ତା ଜୀବନ ବି ନେଉଛି। ଆଜି ବଅଁରପାଳରୁ ତାଳଚେର ଶର୍ମା ଛକ ଅଞ୍ଚଳର ପ୍ରଦୀପ ପଣ୍ଡା ଘରକୁ ଫେରୁଥିଲା ବେଳେ ଏକ ଖାଲରେ ପଡ଼ିଯିବାରୁ ଗୁରୁତର ହୋଇଛନ୍ତି। ଏହା ଭିତରେ ଅନେକ ଲୋକଙ୍କ ଜୀବନ ବି ଗଲାଣି। କିନ୍ତୁ ଏହି ରାସ୍ତା ମରାମତି କରାଯାଉନି। ବଅଁରପାଳ-ପାଳଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥର ବଅଁରପାଳଠାରୁ ଗୋଡ଼ିବନ୍ଧ ପର୍ଯ୍ୟନ୍ତ ପ୍ରଶସ୍ତୀକରଣ କାମ ଚାଲିଛି। ଏଥିପାଇଁ ୪୧୩ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା ବେଳେ ଗତ ଫେବ୍ରୁଆରି ମାସରୁ କାମ ଆରମ୍ଭ ହୋଇଛି। ରାସ୍ତାର ପ୍ରଶସ୍ତୀକରଣ ହେଉଥିବାରୁ ପୁରୁଣା ରାସ୍ତାକୁ ଆଉ ମରାମତି କରାଯାଉ ନାହିଁ।
ସୌଜନ୍ୟ ସମ୍ବାଦ




