Western Odisha: ସମ୍ବାଦ ସାହିତ୍ୟ ସମାରୋହ ‘କାଇଁଶ୍ ଫୁଲ୍’: ଓଡ଼ିଆ ସାହିତ୍ୟର ବିକାଶରେ ପଶ୍ଚିମ ଓଡ଼ିଶାର ଅବଦାନ ଅତୁଳନୀୟ
ମେହେର ସାହିତ୍ୟ ହେଉ ବା ସନ୍ଥ କବି ଭୀମଭୋଇଙ୍କ ସାହିତ୍ୟ ଅଥବା ହଳଧର ନାଗଙ୍କ ସାହିତ୍ୟ, ସବୁଥିରେ ସରଳତା, ମାଧୁର୍ଯ୍ୟ, କଳା, ସଂସ୍କୃତିର ଛାପ ରହିଛି। ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିବାରେ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ଅବଦାନ ବେଶ୍ ଗୁରୁତ୍ବପୂର୍ଣ୍ଣ।

ସମ୍ବଲପୁର: ମେହେର ସାହିତ୍ୟ ହେଉ ବା ସନ୍ଥ କବି ଭୀମଭୋଇଙ୍କ ସାହିତ୍ୟ ଅଥବା ହଳଧର ନାଗଙ୍କ ସାହିତ୍ୟ, ସବୁଥିରେ ସରଳତା, ମାଧୁର୍ଯ୍ୟ, କଳା, ସଂସ୍କୃତିର ଛାପ ରହିଛି। ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିବାରେ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ଅବଦାନ ବେଶ୍ ଗୁରୁତ୍ବପୂର୍ଣ୍ଣ। ସମ୍ବଲପୁର ଦୁର୍ଗାପାଲିସ୍ଥିତ ‘ରିଭର୍ ଇନ୍ ରିସର୍ଟ’ରେ ଅନୁଷ୍ଠିତ ସମ୍ବଲପୁର ‘ସମ୍ବାଦ’ ସାହିତ୍ୟ ସମାରୋହ ‘କାଇଁଶ ଫୁଲ୍’ରେ ଯୋଗ ଦେଇ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଉଦ୍ଘାଟନୀ ସଭାରେ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ କହିଲେ, ଅଧିକ ପ୍ରଚଳନରେ ହିଁ ଆଞ୍ଚଳିକ ଭାଷା ସମୃଦ୍ଧ ହୋଇଥାଏ। ପଶ୍ଚିମ ଓଡ଼ିଶାରେ ନିଜର ଅନୁଭୂତି କହିବା ସହିତ କବି ମାୟାଧର ମାନସିଂହଙ୍କ ସମ୍ବଲପୁର ଓ ଗଙ୍ଗାଧର ମେହେର କଲେଜ ସହ ସମ୍ପର୍କ, ଏହି ମାଟିରୁ କିଭଳି ସେ ସାହିତ୍ୟ ସର୍ଜନା ପାଇଁ ପ୍ରେରିତ ହୋଇଥିଲେ ତାହା ବର୍ଣ୍ଣନା କରିଥିଲେ। ଅନ୍ୟତମ ଅତିଥି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଡ. ହୃଷୀକେଶ ମଲ୍ଲିକ କହିଲେ, ହାତୀ ପାଇଁ ଯେଭଳି ସ୍ବତନ୍ତ୍ର କରିଡର୍ ରହିଛି, ଭାଷା ପାଇଁ ବି ସେଭଳି ସ୍ବତନ୍ତ୍ର କରିଡର୍ ରହିଛି। ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳର ଭାଷା ପାଇଁ ସ୍ବତନ୍ତ୍ର କରିଡର୍ ରହିଛି। କିନ୍ତୁ ଉଭୟ ଅଞ୍ଚଳର ଭାଷାର ମିଳନରେ ଯେଉଁ ସାହିତ୍ୟ ସୃଷ୍ଟି ହୁଏ ତାହାର ମାଧୁର୍ଯ୍ୟ ବଢ଼ିଯାଏ। ୧ ଲକ୍ଷ ୮୫ ହଜାର ଶବ୍ଦ ପରେ ଓଡ଼ିଆ ଭାଷାରେ ଆଉ କେତେ ଶବ୍ଦ ଯୋଡ଼ାଯାଇଛି ତାହାର ଆକଳନ କରାଯାଇନି। ୧୯୪୦ ମସିହା ପରେ ଓଡ଼ିଆ ଭାଷାରେ ଯେଉଁ ଶବ୍ଦଗୁଡ଼ିକ ଆସିଛି ସେସବୁକୁ ସଂଗ୍ରହ କରି ଗୋପାଳ ପ୍ରହରାଜଙ୍କ ଭଳି ଆଉ ଏକ ନୂତନ ଶବ୍ଦକୋଷ ଲେଖିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମଲ୍ଲିକ ମତ ରଖିଥିଲେ।
ସୌଜନ୍ୟ ସମ୍ବାଦ




