ରାଜ୍ୟ

Prameya Pratibha Samman: ନୟାଗଡ଼ରେ ‘ପ୍ରମେୟ ପ୍ରତିଭା ସମ୍ମାନ’ ସମାରୋହ, ସେବା ଓ ସାଧନା ପାଇଁ ୧୧ ଜଣଙ୍କୁ ସମ୍ମାନିତ

ନୟାଗଡ଼,୧୨/୧୦: ଗଙ୍ଗୋତ୍ରୀ ମଇଳା ହେଲେ ଗଙ୍ଗା ମଇଳା ହୁଏ । ଉପର ଠିକ୍ ହେଲେ ରାଜ୍ୟ ଠିକ୍ ହେବ । ପଥ ହୁଡ଼ୁଥିବା ନେତାଙ୍କୁ ‘ପ୍ରମେୟ’ ଓ ‘ନ୍ୟୁଜ୍ ୭’ ଗାଇଡ୍ କରୁ ବୋଲି ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ରବିବାର ନୟାଗଡ଼ ଜିଲ୍ଲା ପରିଷଦ ସୃଜନ କକ୍ଷରେ ‘ପ୍ରମେୟ’ ଓ ‘ନ୍ୟୁଜ୍ ୭’ ତରଫରୁ ଅନୁଷ୍ଠିତ ‘ପ୍ରତିଭା ସମ୍ମାନ ସମାରୋହ’ରେ ଯୋଗଦେଇ ଡ. ସାହୁ ଏହା କହିଛନ୍ତି । ରାଜ୍ୟର ପୁରପଲ୍ଲୀରୁ ଖୋଜି ଖୋଜି ପ୍ରତିଭାମାନଙ୍କୁ ‘ପ୍ରମେୟ’ ଓ ‘ନ୍ୟୁଜ୍ ୭’ ସମ୍ବର୍ଦ୍ଧିତ କରୁଥିବାରୁ ସେ ସାଧୁବାଦ ଜଣାଇଛନ୍ତି । ପ୍ରଥମ କରି ଜିଲ୍ଲାରେ ‘ପ୍ରମେୟ’ ଓ ‘ନ୍ୟୁଜ୍ ୭’ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ସମାଜସେବା, ଦୁର୍ଗମ ଅଞ୍ଚଳରେ ମାଗଣା ଚିକିତ୍ସା ସେବା ଯୋଗାଇବା ଏବଂ ବୃକ୍ଷରୋପଣ କରି ପରିବେଶର ସୁରକ୍ଷା କରୁଥିବା ଜିଲ୍ଲାର ୧୧ ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି ।

ସଭାରେ ଉଦ୍‌ଘାଟକ ଭାବେ ଯୋଗଦେଇ ଡ. ସାହୁ କହିଲେ, ‘ପ୍ରମେୟ’ ବହୁଳ ପ୍ରସାରିତ ଖବରକାଗଜର ମାନ୍ୟତା ପାଇଛି । ଦେଶ ସ୍ୱାଧୀନ ହେବାର ୮୦ ବର୍ଷ ହେଲା । ସ୍ୱାଧୀନତା ପାଇବାର ୨୫ ବର୍ଷ ପରେ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ । ରାସ୍ତାକୁ ଆସିବା ସ୍ୱାଧୀନତାର ଭଲ ଲକ୍ଷଣ ନୁହେଁ ବୋଲି ସୂଚନା ଦେଇଛନ୍ତି । ସ୍ୱାଧୀନତାର ଯେଉଁ ଉଦ୍ଦେଶ୍ୟ ଥିଲା ତାହା ପୂରଣ ହେବାରେ ଆମେ ବ୍ୟର୍ଥ ବୋଲି କହିବା ସହ ଆଜିକାଲି ଯାହା ଘଟୁଛି ତା’ଉପରେ ଗୋଟେ ଖବରକାଗଜରେ ଯଦି ଆଲୋଚନା ନକରିବା, ଆଉ କେଉଁଠି ଆଲୋଚନା କରିବା ବୋଲି ଡ. ସାହୁ ପ୍ରଶ୍ନ କରିଛନ୍ତି ।

ପଥ ହୁଡ଼ୁଥିବା ନେତାଙ୍କୁ ‘ପ୍ରମେୟ’ ଗାଇଡ୍ କରୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଆଜି ଦିଲ୍ଲୀ ପୁଲିସ୍ ଛାଉଣି ହୋଇଛି । ସତେ ଯେମିତି ଭାରତ-ପାକିସ୍ତାନ କିମ୍ବା ଭାରତ ଚାଇନା ମଧ୍ୟରେ ଯୁଦ୍ଧ ଆଶଙ୍କା ଦେଖାଦେଲା ଭଳି ଲାଗୁଛି । କାହାକୁ ରାସ୍ତା ଉପରୁ ତ କାହାକୁ ପ୍ଲେନ୍ ଭିତରୁ ଏବଂ କାହାକୁ ଘର ଭିତରୁ ଧରି ଅଣାଯାଉଛି । ଦେଶରେ ଅଭାବନୀୟ ପରିସ୍ଥିତ ସୃଷ୍ଟି ହୋଇଛି । ଆଇନ୍ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । ତେଣୁ ଗଙ୍ଗୋତ୍ରୀ ମଇଳା ହୋଇଯାଇଛି । ଫଳରେ ଗଙ୍ଗା ମଧ୍ୟ ମଇଳା ହୋଇଗଲାଣି ବୋଲି ଡ. ସାହୁ କହିଛନ୍ତି ।

ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ସ୍ଥାନୀୟ ପ୍ରତିଭାଙ୍କୁ ଉତ୍ସାହିତ କରିବା, ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଓ ଜନସେବାକୁ ଆଗକୁ ନେବାକୁ ଗୁରୁତ୍ୱ ଦେଇଥିଲେ । ସେ କୌଣସି ଘଟଣା ଜାଣିବା ଆଗରୁ ‘ପ୍ରମେୟ’ ଖବରକାଗଜ କେମିତି ତାଙ୍କୁ ଜଣାଇ ଦେଉଛି ତା’ ଉପରେ ବକ୍ତବ୍ୟ ରଖିଥିଲେ ।

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଲୋକଙ୍କ ସହ ଜଡ଼ିତ ରହି ସମାଜର ବିକାଶ, ଜନକଲ୍ୟାଣ ଓ ସ୍ଥାନୀୟ ସ୍ତରରେ ଉଦ୍ୟମୀ ପ୍ରତିଭୂଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ ବୋଲି କହିଛନ୍ତି । ନୟାଗଡ଼ ଜିଲ୍ଲାରେ ପ୍ରଥମ କରି ‘ପ୍ରମେୟ’ ଏଭଳି କାର୍ଯ୍ୟ ଆରମ୍ଭ କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକା ଅଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଏମ୍ଏସ୍ବି ଅଟୋମାବାଇଲ ପରିଚାଳନା ନିର୍ଦ୍ଦେଶକ ମନସୁର ବକ୍ସ ଓ ଆଦିତ୍ୟ ଅଟୋମାବାଇଲ ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପାତ୍ର ଯୋଗ ଦେଇ ନିଜ ଅଭିଭାଷଣରେ ପ୍ରମେୟର ପ୍ରୟାସକୁ ପ୍ରଶଂସା କରିଥିଲେ ।

ପ୍ରମେୟ ଓ ନ୍ୟୁଜ୍ ୭ ଗ୍ରୁପ୍ ଡାଇରେକ୍ଟର (ସେଲ୍ସ ଆଣ୍ଡ ମାର୍କେଟିଂ) ହିମାଂଶୁ ହୋତାଙ୍କ ଅଭିଭାଷଣ ଏହି ସମାରୋହର ମୁଖ୍ୟ ଆକର୍ଷଣ ରହିଥିଲା । ସମାଜରେ ନିରବରେ କାମ କରୁଥିବା ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କ ସଫଳତାକୁ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । “ପ୍ରମେୟ ପ୍ରତିଭା ସମ୍ମାନ’ ସେହି ଦିଗରେ ଏକ ପ୍ରେରଣାଦାୟକ ପ୍ରୟାସ ଭାବେ ପରିଗଣିତ ହୋଇଛି ବୋଲି ଶ୍ରୀ ହୋତା କହିଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button