Student Elections : ‘ଛାତ୍ର ଶକ୍ତି ରାଷ୍ଟ୍ର ଶକ୍ତି’, ସ୍ଲୋଗାନରେ କମ୍ପୁଛି କଲେଜ କ୍ୟାମ୍ପସ୍

ଭୁବନେଶ୍ଵର, ୧୨/୧୦ : ‘ଛାତ୍ର ଶକ୍ତି ରାଷ୍ଟ୍ର ଶକ୍ତି’ । ‘ଛାତ୍ରଙ୍କ ସ୍ୱର, ଛାତ୍ରଙ୍କ ଶକ୍ତି ଏବିଭିପି ଆମ ପ୍ରଗତି’ । ‘ଷ୍ଟୁଡେଣ୍ଟସ ଭଏସ ଆୱାର ଷ୍ଟ୍ରେଙ୍ଗ୍ଥ୍’, ‘ନବୀନ ଚିନ୍ତାଧାରା, ନବୀନ ନେତୃତ୍ୱ, ନବୀନ ସଂକଳ୍ପ’… ଏମିତି ସବୁ ସ୍ଲୋଗାନରେ କମ୍ପୁଛି କଲେଜ କ୍ୟାମ୍ପସ । ଏବିଭିପିଠୁ ନେଇ ଛାତ୍ର ବିଜେଡି ଅବା ଛାତ୍ର କଂଗ୍ରେସ । ବର୍ତ୍ତମାନ ସ୍ଲୋଗାନ, ନାରାବାଜୀକୁ ମୁଖ୍ୟ ଅସ୍ତ୍ର କରିଛନ୍ତି ବିଭିନ୍ନ ଦଳର ସମର୍ଥିତ ପ୍ରାର୍ଥୀ । ସୋସିଆଲ ମିଡିଆରେ ପୋଷ୍ଟ ହେଉଛି, ତା ସହ ଏଆଇ ମାଧ୍ୟମରେ ସ୍ଲୋଗାନ ସହ ଭିଡିଓ ତିଆରି କରି ଆକର୍ଷଣୀୟ କରାଯାଉଛି । ନିଜ ନିଜ ସପକ୍ଷରେ ଛାତ୍ରଛାତ୍ରୀଙ୍କୁ ଟାଣିବା ପାଇଁ ସ୍ଲୋଗାନ ଏକ ଅଭିନବ ମାଧ୍ୟମ ବୋଲି ପ୍ରାର୍ଥୀମାନେ କହିଛନ୍ତି ।
ରବିବାରଠୁ ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ଜୋରଦାର ପ୍ରଚାର । ଉତ୍କଳ ବିଶ୍ୱବିଦ୍ୟାଳୟରୁ ନେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ରାଜଧାନୀ କଲେଜ, ବିଜେବି କଲେଜ, ଦେବରାୟ କଲେଜ, କମଳା ନେହେରୁ ମହିଳା ମହାବିଦ୍ୟାଳୟ ଓ ଏକାମ୍ର କଲେଜରେ ଆଜି ବିଭିନ୍ନ ଦଳର ସମର୍ଥିତ ପ୍ରାର୍ଥୀ, ପ୍ରାର୍ଥିନୀମାନେ ପ୍ରଚାର କରିଥିଲେ । ଏହାରି ଭିତରେ ଶିକ୍ଷାନୁଷ୍ଠାନ ପରିସରରେ ପୋଷ୍ଟର ଛାଇ ଯାଇଛି । ପୋଷ୍ଟରରେ ପ୍ରାର୍ଥୀଙ୍କ ଫଟୋ ସହ ଦମଦାର ସ୍ଲୋଗାନ ଦେଖିବାକୁ ମିଳିଛି । କିଏ ଓଡ଼ିଆରେ ତ କିଏ ଇଂରାଜୀରେ ସ୍ଲୋଗାନ ଲେଖି ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ।
ସୌଜନ୍ୟ ପ୍ରମେୟ




