ବ୍ରହ୍ମପୁରରେ ନକଲି ହଳଦୀ ଓ ମରିଚ ଗୁଣ୍ଡ କାରଖାନା ଠାବ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ କଞ୍ଚାମାଲ ଜବତ

ବ୍ରହ୍ମପୁର, ୧୨/୧୦ : ନକଲି ଟମାଟୋ ସସ୍, ବେଆଇନ ତେଲ ପରେ ଏବେ ନକଲି ଖାଦ୍ୟ ମସଲା ତିଆରି ଫ୍ୟାକ୍ଟ୍ରି ଠାବ ହୋଇଛି । ବ୍ରହ୍ମପୁରରେ ଥମୁନି ଭେଜାଲ୍ ସାମଗ୍ରୀ କାରବାର । ବଡ଼ବଜାର ଥାନା ପୁଲିସ ରବିବାର ସନ୍ଧ୍ୟା ୭ଟାରେ ନକଲି ମସଲା ଫ୍ୟାକ୍ଟ୍ରିରେ ଚଢ଼ଉ କରି ୩୦ ଟନ୍ରୁ ଅଧିକ ଭେଜାଲ୍ ସାମଗ୍ରୀ, ୪ ମିଲିଂ ମେସିନ୍ ଜବତ କରିଛି । ଲକ୍ଷ୍ମୀନୃସିଂହ ସାହି ସପ୍ତମ ଗଳିର ଏକ କୋଠା ମଧ୍ୟରେ ବଡ଼ବଡ଼ ମିଲିଂ ମେସିନ୍ ବସାଇ ନକଲି ସାମଗ୍ରୀ ଉତ୍ପାଦନ କରୁଥିଲା ଅଭିଯୁକ୍ତ ଓ ତାର ସହଯୋଗୀ । ୩ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ ।
ବ୍ରହ୍ମପୁର ଏସ୍ପି ଅଭିନବ ସୋନକରଙ୍କ ନିର୍ଦ୍ଦେଶରେ ଟାଉନ୍ ଏସ୍ଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଓ ବଡ଼ବଜାର ଥାନାଧିକାରୀ ଆଶିଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ ଲକ୍ଷ୍ମୀନୃସିଂହ ସାହି ସପ୍ତମ ଗଳିର ଏକ କୋଠାରେ ଚଢ଼ଉ କରିଥିଲା । ଉକ୍ତ କୋଠାରୁ ୩୦ ଟନ୍ରୁ ଅଧିକ ପ୍ୟାକିଂ ହୋଇଥିବା ଓ ଖୋଲାରେ ଥିବା ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ ଓ ଅନ୍ୟାନ୍ୟ ଖାଦ୍ୟ ମସଲା ସାମଗ୍ରୀ ମିଳିଥିଲା । ଏଥିସହ କଞ୍ଚାମାଲ, ୪ଟି ମିଲିଂ ମେସିନ୍ ଓ ପ୍ରାୟ ୫ଟି ପ୍ୟାକିଂ ମେସିନ୍ ମିଳିଥିଲା । ବାହାରୁ କଞ୍ଚାମାଲ ଆଣି ସେହି କୋଠା ଭିତରେ ମିଲିଂ କରିବା ସହ ତାହାକୁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ୍ର ଜରିରେ ପ୍ୟାକିଂ କରି ବଜାରରେ ବିକ୍ରି କରାଯାଉଥିଲା । ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନ, ଏପରିକି ରାଜ୍ୟ ବାହାରକୁ ବିକ୍ରି ପାଇଁ ପଠାଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସହରର ଅନେକ ଗଳି କନ୍ଦିରେ ଭେଜାଲ୍ ବ୍ୟବସାୟୀ ସେମାନଙ୍କ ସାମ୍ରାଜ୍ୟ ବାରମ୍ବାର ବିସ୍ତାର କରି ଚାଲିଛନ୍ତି । କିଏ ନାମୀ କମ୍ପାନି ନାଁରେ ନକଲି ଟମାଟୋ, ଚିଲି, ସୋୟା ସସ୍ ନିର୍ମାଣ କରୁଛି ତ କେହି ଭେଜାଲ୍ ତେଲ, ଡିଟରଜେଣ୍ଟ୍ ପାଉଡର୍, ମସଲାଗୁଣ୍ଡ ଓ ଆଚାର ପ୍ରସ୍ତୁତ କରି ବିକୁଛି । ବିଶେଷକରି ସହରର ବଡ଼ବଜାର ଅଞ୍ଚଳରୁ ମାଳମାଳ ନକଲି ସାମଗ୍ରୀ ତିଆରି କାରଖାନା ଠାବ ହେଉଛି ।
ସୌଜନ୍ୟ ପ୍ରମେୟ




