Student Union Election: ଏବିଭିପିର ୧୩ ଦଫା ସଂକଳ୍ପ ପତ୍ର ଜାରି, ଜିତିଲେ ସ୍ମାର୍ଟ କ୍ଳାସରୁମ୍ ସହ ୨୪ ଘଣ୍ଟିଆ ଲାଇବ୍ରେରୀ ସୁବିଧା

ଭୁବନେଶ୍ୱର,୧୨/୧୦: କଲେଜ, ବିଶ୍ୱବିଦ୍ୟାଳୟରେ ଖାଲି ଥିବା ସ୍ଥାୟୀ ଅଧ୍ୟାପକ ପଦବି ଶୀଘ୍ର ପୂରଣ କରାଯିବ । ଆବଶ୍ୟକ ସ୍ଥାନରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ହେବ । ଛାତ୍ରୀ ନିବାସ ଓ ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯିବ । ଠିକ୍ ସମୟରେ ପରୀକ୍ଷା ହେବା ସହ ପରୀକ୍ଷା ଫଳ ପ୍ରକାଶ କରାଯିବ । ରାଜ୍ୟ ବଜେଟ୍ର ୬ ପ୍ରତିଶତ ଅର୍ଥ ଉଚ୍ଚଶିକ୍ଷା ବିଭାଗରେ ବିନିଯୋଗ ପାଇଁ ସରକାରଙ୍କ ପାଖେ ଦାବି ରହିବ । ଲାଇବ୍ରେରୀକୁ ୨୪ ଘଣ୍ଟିଆ ଖୋଲିବା ସହ ଇ-ଲାଇବ୍ରେରୀର ବ୍ୟବସ୍ଥା କରିବୁ । ଇ-ଲାଇବ୍ରେରୀ ଓ ରିମୋଟ୍ ଆସେସ୍ ରହିବ । ଏଆଇ କ୍ଲାସରୁମ୍ ଓ ଡିଜିଟାଲ ଲର୍ଣ୍ଣିଂ ସୁବିଧାର ବିକାଶ କରାଯିବ । କେବଳ ଏତିକି ନୁହେଁ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ କ୍ଲାସରୁମ୍ ନିର୍ମାଣ ହେବ । ପ୍ରତି କଲେଜ, ବିଶ୍ୱବିଦ୍ୟାଳୟ ଆମ୍ବୁଲାନ୍ସ ବ୍ୟବସ୍ଥା ରହିବ । ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପାଇଁ ‘ଆମ ବସ୍’ ଓ ‘ଲକ୍ଷ୍ମୀ ବସ୍’ରେ ସୁଲଭ ଛାତ୍ର ପରିବହନ ବ୍ୟବସ୍ଥା ସହ ବସ୍ ଫି ଛାଡ଼ ହେବ । ଛାତ୍ର ସଂସଦ ନିର୍ବାଚନ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ୧୩ ଦଫା ସଂକଳ୍ପ ପତ୍ର ଜାରି କରି ଏପରି ୧୩ ଦଫା ପ୍ରତିଶ୍ରୁତି ରଖିଛି ।
ଖାରବେଳନଗର ସ୍ଥିତ ସଂଗଠନ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ଏବିଭିପି ସମର୍ଥକଙ୍କ ବିଜୟ ହେଲେ ଚଳିତ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ର ଠିକ୍ ପ୍ରଣୟନ ହେବ । ପିଏମ୍-ଉଷା ପାଣ୍ଠିର ସ୍ୱଚ୍ଛ ଓ ଉପଯୁକ୍ତ ବିନିଯୋଗ ହେବ । ପ୍ରତି କ୍ୟାମ୍ପସକୁ ଭୟମୁକ୍ତ କରି ଶୈକ୍ଷିକ ବାତାବରଣ ସୃଷ୍ଟି କରାଯିବ । ସାମାଜିକ ସାଂସ୍କୃତିକ ବିକାଶ ସହ ରୋଜଗାର ଭିତ୍ତିକ ଶିକ୍ଷା ପ୍ରଦାନ କରାଯିବ । ଇଣ୍ଟର୍ଣ୍ଣସିପ୍କୁ ଶିଳ୍ପ ଓ ବିଭିନ୍ନ ପ୍ରତିଷ୍ଠାନ ସହ ଯୋଡ଼ାଯିବ । ଛାତ୍ରଛାତ୍ରୀଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରାଯିବ । ପ୍ରତି ଶିକ୍ଷାନୁଷ୍ଠାନରେ ପ୍ଲେସ୍ମେଣ୍ଟ ସେଲ୍ ରହିବ । ଉଦ୍ୟୋଗୀ ବିକାଶ ସେଲ୍ ସ୍ଥାପନ କରି ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ କରାଯିବ ।
ସୌଜନ୍ୟ ପ୍ରମେୟ




