Puri Development Plan ପୁରୀର କାୟାକଳ୍ପ ପାଇଁ ମାଷ୍ଟରପ୍ଲାନ୍: ବିମାନବନ୍ଦର, ମନ୍ଦିର, ବେଳାଭୂମି ଓ ରାସ୍ତା ଉନ୍ନତିକୁ ଗୁରୁତ୍ୱ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀର ବିକାଶ ପ୍ରକଳ୍ପ ସମୀକ୍ଷା କରିଛନ୍ତି। ବିମାନବନ୍ଦର, ମନ୍ଦିର, ବେଳାଭୂମି, ରାସ୍ତା ପ୍ରଶସ୍ତୀକରଣ ଓ ଐତିହ୍ୟସ୍ଥଳର ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଛି।

ଭୁବନେଶ୍ୱର: ଲୋକସେବା ଭବନଠାରେ ଆଜି (ସୋମବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ସମୀକ୍ଷା ବୈଠକରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାର୍ଯ୍ୟ, ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ ଏବଂ ଶ୍ରୀଜଗନ୍ନାଥ ଇଣ୍ଟରପ୍ରିଟେସନ୍ ସେଣ୍ଟର ସ୍ଥାପନ କାର୍ଯ୍ୟ, ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ନୂତନ ପ୍ରମୋଦ ଉଦ୍ୟାନ ନିର୍ମାଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିରର ସର୍ବାଙ୍ଗୀନ ବିକାଶ ସହ ମହାପ୍ରସାଦ ରନ୍ଧନ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ରୋଷଶାଳା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି।ଶ୍ରୀମନ୍ଦିର ବଡ଼ଦାଣ୍ଡରୁ ହଟାଯାଇଥିବା ଉଠା ଦୋକାନୀମାନଙ୍କୁ ଶ୍ରୀସେତୁ ନିକଟରେ ଜରୁରୀକାଳୀନ ଭିତ୍ତିରେ ତୁରନ୍ତ ଥଇଥାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସାକ୍ଷୀଗୋପାଳର ପ୍ରସିଦ୍ଧ ଗୋପାଳଜୀଉ ମନ୍ଦିର, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାତଲହଡ଼ି ମଠ ସମେତ ପୁରୀର ବିଭିନ୍ନ ପ୍ରସିଦ୍ଧ ମଠ ଏବଂ କାକଟପୁରର ମାଆ ମଙ୍ଗଳା ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ।
ସୌଜନ୍ୟ ସମ୍ବାଦ




