ଖେଳ

Sports: ଅଭାବ ଭିତରେ ଅଭିଳାଷ: ଉଦୀୟମାନ ସାଇକ୍ଲିଷ୍ଟ୍‌ ପ୍ରୀତମ ଓ ରିୟାଙ୍କ ସଂଘର୍ଷ କାହାଣୀ

ରାଉରକେଲାର ଦୁଇ ପ୍ରତିଭାବାନ ସାଇକଲ ଚାଳକ ପ୍ରୀତମ ପରମାଣିକ (୧୩) ଓ ରିୟା କୁମାରୀ (୧୭)। ଅତି ସାଧାରଣ ପରିବାରରୁ ଆସିଥିବା ଏହି ଦୁଇ ପ୍ରତିଭା ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ନିଜକୁ ପ୍ରମାଣିତ କରିପାରିଛନ୍ତି।

‌ଦେବବ୍ରତ ଗଡ଼ତିିଆ

ରାଉରକେଲା: ରାଉରକେଲାର ଦୁଇ ପ୍ରତିଭାବାନ ସାଇକଲ ଚାଳକ ପ୍ରୀତମ ପରମାଣିକ (୧୩) ଓ ରିୟା କୁମାରୀ (୧୭)। ଅତି ସାଧାରଣ ପରିବାରରୁ ଆସିଥିବା ଏହି ଦୁଇ ପ୍ରତିଭା ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ନିଜକୁ ପ୍ରମାଣିତ କରିପାରିଛନ୍ତି। ଆର୍ଥିକ ଅନଟନ ସେମାନଙ୍କର ସ୍ୱପ୍ନ ଆଗରେ କେବେହେଲେ ପ୍ରତିବନ୍ଧକ ସାଜିପାରିନି। ପ୍ରୀତମଙ୍କ ବାପା ଜଣେ ଗ୍ୟାରେଜ ମେକାନିକ ଭାବେ କାର୍ଯ୍ୟ କରୁଥିବା ବେଳେ ରିୟାଙ୍କ ବାପା ଜଣେ ଅଟୋ ଚାଳକ। ପରିବାର ପ୍ରତିପୋଷଣ କରିବା କଷ୍ଟକର ହେଉଥିଲେ ମଧ୍ୟ, ସନ୍ତାନଙ୍କ କ୍ରୀଡ଼ା ପ୍ରତି ଥିବା ଆଗ୍ରହକୁ ସେମାନେ ସଦାସର୍ବଦା ପ୍ରୋତ୍ସାହିତ କରିଆସିଛନ୍ତି। ତେବେ ଅର୍ଥାଭାବ ଯୋଗୁ ଆଜି ବି ଉଭୟେ ସାଇକଲ କିଣିବାକୁ ଅସମର୍ଥ। ଏହି ଦୁଇ ଉଦୀୟମାନ କ୍ରୀଡ଼ାବିତ୍‌ଙ୍କ ସଂଘର୍ଷର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରୋରଣାର ଉତ୍ସ ପାଲଟିଛି। ଅଭାବ ଭିତରେ ଅଭିଳାଷକୁ ସାକାର କରିବାକୁ ଆଗଭର ହୋଇଛନ୍ତି।

ପ୍ରୀତମ ପରମାଣିକ
ପ୍ରୀତମଙ୍କ ବାପା ସୋନୁ ପରମାଣିକ ଜଣେ ଗ୍ୟାରେଜ୍‌ ମେକାନିକ୍‌। ମା’ ଉର୍ମିଳା ଗୃହିଣୀ। ପିଲାଟି ଦିନରୁ ଆର୍ଥିକ ଅନଟନ ଲାଗିରହିଥିଲା। ବାପାଙ୍କ ରୋଜଗାରରେ କଷ୍ଟେମଷ୍ଟେ ୫ ପ୍ରାଣୀର ପରିବାର ଚଳୁଛି। ପ୍ରୀତମ ଆରମ୍ଭରୁ ଫୁଟବଲ ଖେଳୁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସାଇକ୍ଲିଂ ପ୍ରତି ଆକର୍ଷିତ ହୋଇଥିଲେ। ଆର୍ଥିକ ଦୁରବସ୍ଥା ଯୋଗୁ ସାଇକଲ ଟିଏ କିଣିବା ସମ୍ଭବ ନଥିଲା। ତେବେ ୨୦୨୩ ମସିହାରେ ଦିବଙ୍ଗତ ପ୍ରଶିକ୍ଷକ ସୁଶୀଲ ଦାଶ ଏକ ସାଇକଲ ଉପହାର ଦେଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ, ୩ ବର୍ଷ ହେଲା ଉକ୍ତ ସାଇକଲରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଉଛନ୍ତି। ପ୍ରୀତମ ୨୦୨୩ରେ କେନ୍ଦୁଝରରେ, ୨୦୨୪ରେ ପୁରୀରେ ଏବଂ ୨୦୨୫ରେ ସୁନ୍ଦରଗଡ଼ରେ ଅନୁଷ୍ଠିତ ରାଜ୍ୟ ପ୍ରତିଯୋଗିତାରେ ଭାଗନେଇଥିଲେ ମଧ୍ୟ ସଫଳତା ମିଳିନଥିଲା। ତେବେ ୨୦୨୫ରେ ଭୁବନେଶ୍ବରରେ ଅନୁଷ୍ଠିତ ଟ୍ରାକ୍‌ ରାଜ୍ୟ ପ୍ରତିଯୋଗିତା ଇଣ୍ଡିଭିଜୁଆଲ୍‌ ପର୍ସୁଟ୍‌ରେ ରୌପ୍ୟପଦକ ଜିତିଥିଲେ। ରାଉରକେଲାରେ ଗତ ସେପ୍ଟେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୪୩ତମ ରାଜ୍ୟ ସାଇକ୍ଲିଂ ପ୍ରତିଯୋଗିତାର ତାଙ୍କୁ ଦ୍ବୈତ ସଫଳତା ମିଳିଥିଲା। ୧୪ ବର୍ଷରୁ କମ୍‌ ବର୍ଗରେ ଉଭୟ ଟାଇମ୍‌ ଟ୍ରାଏଲ୍‌ ଓ ମାସ୍‌ ଷ୍ଟାର୍ଟ୍‌ରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏବେ ବି ଆର୍ଥିକ ଅଭାବ ଲାଗିରହିଛି। ଏମିତିକି ସୁଶୀଲ ସାରଙ୍କଠାରୁ ସୌଜନ୍ୟରୁ ମିଳିଥିବା ସାଇକଲ ମରାମତି ପାଇଁ ବି ଅର୍ଥ ବାଧକ ସାଜିଥିବା କହିଛନ୍ତି।

ରିୟା କୁମାରୀ
ନୟାବଜାର ପାଣିଟାଙ୍କି ବସ୍ତିରେ ରୁହନ୍ତି ରିୟା। ବାପା ସୁବୋଧ ପ୍ରସାଦ ଜଣେ ଅଟୋ ଚାଳକ, ମା’ ପିଙ୍କି ପ୍ରସାଦ ଗୃହିଣୀ, ୨ ଭଉଣୀ ଓ ୨ ଭାଇ। ଦୁଇ ବର୍ଷ ପୁର୍ବେ, ତାଙ୍କୁ ୧୫ ବର୍ଷ ହେଉଥିବା ସମୟରେ ସେ ସାଇକେଲ ଚାଳନା ଆରମ୍ଭ କରିଥିଲେ। ତେ‌ବେ ଜଣେ ପ୍ରଫେସନାଲ ଚାଳକ ହେବା ପାଇଁ ନୁହେଁ, ବରଂ ସୁସ୍ଥ ରହିବା ପାଇଁ ମା’ଙ୍କ ନିର୍ଦ୍ଦେଶରେ ସାଇକେଲ ଚାଳନା କରୁଥିଲେ। ଏମିତି ସାଇକେଲ ଚଳାଉଥିବା ବେଳେ ପ୍ରଶିକ୍ଷକ ଗୋପୀନାଥ ପଣ୍ଡାଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ପରେ ବିଧିବଦ୍ଧ ଭାବେ ପ୍ରଶିକ୍ଷଣ ନେଇ ସାଇକ୍ଲିଂ ଜୀବନ ଆରମ୍ଭ କରିଥିଲେ। ଆର୍ଥିକ ସମସ୍ୟା ଯୋଗୁ ସାଇକେଲ ଟିଏ କିଣିବା ସମ୍ଭବ ହେଉନଥିବା ବେଳେ ପାରିବାରିକ ଋଣ, ସ୍ଥିତିକୁ ଆହୁରି ଦୁର୍ବଳ କରିଦେଇଛି। ତେବେ ଏହା ତାଙ୍କ ସଫଳତାକୁ ରୋକିପାରିନି। ୨୦୨୪ରେ କଟକ ରାଜ୍ୟ ପ୍ରତିଯୋଗିତାରେ ୫ମ ସ୍ଥାନରେ ରହିଥିବା ବେଳେ ୨୦୨୪ ସ୍କୁଲ୍‌ ଗେମ୍‌ସରେ କାଂସ୍ୟ ପଦକ, ୨୦୨୫ ସୁନ୍ଦରଗଡ଼ରେ ଅନୁଷ୍ଠିତ ରାଜ୍ୟ ପ୍ରତିଯୋଗିତାରେ ଟାଇମ୍‌ ଟ୍ରାଏଲ୍‌ରେ ସ୍ବର୍ଣ୍ଣ ଓ ମାସ୍‌ ଷ୍ଟାର୍ଟ୍‌ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ତେବେ ରାଉରକେଲାରେ ଅନୁଷ୍ଠିତ ରାଜ୍ୟ ପ୍ରତିଯୋଗିତାରେ ଉଭୟ ଟାଇମ୍‌ ଟ୍ରାଏଲ୍‌ ଓ ମାସ୍‌ ଷ୍ଟାର୍ଟ୍‌ ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button