STA Office: ଭୁବନେଶ୍ୱରକୁ ଉଠିଆସିିବ ଏସ୍ଟିଏ କାର୍ଯ୍ୟାଳୟ, ଶୈଳଶ୍ରୀ ବିହାରରେ ହେବ ନୂଆ ଠିକଣା; କଟକବାସୀଙ୍କ ଦାବିକୁ ଖାତିର ନାହିଁ…

କଟକ, ୧୩/୧୦:: ଓଡ଼ିଶାର ପୁରୁଣା ରାଜଧାନୀ ତଥା ଭାରତର ଅନ୍ୟତମ ଐତିହ୍ୟ ସହର କଟକକୁ ଶ୍ରୀହୀନ ତଥା ଗୁରୁତ୍ୱହୀନ କରିବା ପାଇଁ ପ୍ରଶାସନିକସ୍ତରରେ ଷଡ଼ଯନ୍ତ୍ର ଜାରି ରହିଛି । କଟକବାସୀଙ୍କ ତୀବ୍ର ପ୍ରତିବାଦ ସତ୍ତେ୍ୱ ସହରରୁ ଗୋଟିଏ ପରେ ଗୋଟିଏ ସରକାରୀ କାର୍ଯ୍ୟାଳୟ ଭୁବନେଶ୍ୱରକୁ ସ୍ଥାନାନ୍ତର ହେବାରେ ଲାଗିଛି । ଭୁବନେଶ୍ୱରରେ ରହୁଥିବା ବଡ଼ ପଦବିଧାରୀ ଅଧିକାରୀଙ୍କ ବ୍ୟକ୍ତିଗତ ସୁବିଧା ପାଇଁ କଟକ ପ୍ରତି ଲଗାତର ଭାବେ ଏଭଳି ଅନ୍ୟାୟ କରାଯାଉଛି । ସେହିକ୍ରମରେ କଟକସ୍ଥିତ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) କାର୍ଯ୍ୟାଳୟକୁ ଭୁବନେଶ୍ୱରକୁ ଉଠାଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଏସ୍ଟିଏ କାର୍ଯ୍ୟାଳୟ ସ୍ଥାନାନ୍ତର ସଂପର୍କରେ କିଛି ମାସ ତଳେ ‘ପ୍ରମେୟ’ରେ ଖବର ପ୍ରକାଶ ପାଇଥିଲା । ଏହାକୁ ନେଇ ସହରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସ୍ଥାନୀୟ ବିଧାୟିକା ସୋଫିଆ ଫିର୍ଦୋସ ଏହାର ଜୋରଦାର ପ୍ରତିବାଦ କରିବା ସହ ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ସେହିପରି ବସ୍ ମାଲିକ ସଂଘ, ବିଭିନ୍ନ ସାମାଜିକ ସଂଗଠନ, ନାଗରିକ ସଂଗଠନ ଏହାର ବିରୋଧ କରିବା ସହ ସ୍ଥାନାନ୍ତର ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଥିଲେ । ମାତ୍ର ଅଧିକାରୀମାନେ ନିଜ ଜିଦ୍ରେ ଅଟଳ ରହିବା ସହ ସହରବାସୀଙ୍କ ଦାବିକୁ ଖାତିର କରିନାହାନ୍ତି ।
ମଙ୍ଗଳବାର ଏସ୍ଟିଏର ସଡ଼କ ସୁରକ୍ଷା ଓ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ବିଭାଗକୁ ଭୁବନେଶ୍ୱର ସ୍ଥାନାନ୍ତର କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ତେବେ ଆଗକୁ ଦଶହରା ଥିବାରୁ କର୍ମଚାରୀମାନଙ୍କ ସୁବିଧା ପାଇଁ ଏହାକୁ ଅଟକାଇ ଦିଆଯାଇଛି । ଦଶହରା ଛୁଟି ପରେ ସଡ଼କ ସୁରକ୍ଷା ଓ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ଭୁବନେଶ୍ୱର ଶୈଳଶ୍ରୀ ବିହାରସ୍ଥିତ ନୂତନ ବିଲ୍ଡିଂକୁ ଉଠିଯିବ ।
ସୌଜନ୍ୟ ପ୍ରମେୟ




