Puri Khaja : ମହାପ୍ରଭୁଙ୍କ ଛପନ ଭୋଗର ୧୦ ଓ ୧୧ ନମ୍ବର ସ୍ଥାନରେ ଖଜା, ହେଲେ କ୍ଲଷ୍ଟର ଓ ଜିଆଇ ଟ୍ୟାଗ୍ ପ୍ରତି ପ୍ରଶାସନର ଅନାଗ୍ରହ

ପୁରୀ, ୧୩/୧୦ : ପ୍ରାଚୀନ ସମୟରୁ ଶ୍ରୀମନ୍ଦିରର ଭୋଗ ପରମ୍ପରାରେ ‘ଛପନ ଭୋଗ’ ଏକ ପରିଚିତ ଶବ୍ଦ । ୧୯୦୩ ମସିହାରେ ତତ୍କାଳୀନ ବ୍ରିଟିଶ ଉଚ୍ଚ ପଦାଧିକାରୀ ଏମ୍ ଗ୍ୟାରେଟ ଏହି ଛପନ ଭୋଗ ସମ୍ବନ୍ଧରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନିକ ରିପୋର୍ଟର ପୃଷ୍ଠା ୩୦-୩୧ରେ ଶ୍ରୀମନ୍ଦିର ଆୟ(୮) ଥାନାରେ ‘ଫ୍ରି ଫର୍ ବ୍ରିଙ୍ଗ ଆଲାଉଡେଡ୍ ଟୁ ଅଫର ୫୬ କାଉଣ୍ଡ ଅଫ୍ ଇଟେବୁଲସ୍’ ଅର୍ଥାତ୍ ୫୬ ପ୍ରକାର ଭୋଗ ବିଷୟରେ ଉଲ୍ଲେଖ କରିଛନ୍ତି । ଏଥିରୁ ଜଣାପଡ଼େ ଯେ, ସେତେବେଳେ ଶ୍ରୀମନ୍ଦିରରେ କୌଣସି ବଦାନ୍ୟ ଦାତା କିମ୍ବା ଭକ୍ତ ମହାପ୍ରଭୁଙ୍କୁ ୫୬ ପ୍ରକାର ଭୋଗ ମଣୋହି କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଫିସ୍ ଦେବାକୁ ପଡ଼ୁଥିଲା । ସାଧାରଣତଃ ଅନ୍ନ, ବ୍ୟଞ୍ଜନ, ପିଷ୍ଟକ, ଶୁଖିଲି ଭୋଗ ଇତ୍ୟାଦିକୁ ଛକ ଭୋଗ କୁହାଯାଏ । ଏଥିପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଛପନ ଭୋଗଖିଆ ଠାକୁର ବୋଲି କୁହାଯାଏ । ଛପନ ଭୋଗ ଭିତରେ ୧୦ ଓ ୧୧ ନମ୍ବର ସ୍ଥାନରେ ଖଜାର ଉଲ୍ଲେଖ ମିଳିଥାଏ ।
କେତେ ପ୍ରକାର ଖଜା
ଏହି ଖଜା ପ୍ରକାର ଭେଦରେ ଅରଖ ଫୁଲିଆ ଖଜା, କୁଜାତକ ଖଜା, ପାରିଜାତକ ଖଜା, ମେଣ୍ଢାସିଙ୍ଗିଆ ଖଜା, ସରସଟା ଖଜା ନାମରେ ନାମିତ । ସେହିପରି ଚଢ଼େଇଲେଦା ବା ଚଢ଼େଇନେଦା ନାମକ ଏକ ଖଜା ନାମ ମଧ୍ୟ ରହିଛି ।
୩ ସାମଗ୍ରୀରେ ପ୍ରସ୍ତୁତି
ଖଜା ପ୍ରସ୍ତୁତିରେ ମୁଖ୍ୟତଃ ସାମଗ୍ରୀ ମଇଦା, ଘିଅ ଓ ଚିନି ବ୍ୟବହାର ହୋଇଥାଏ । ଶ୍ରୀମନ୍ଦିର ରୋଷଶାଳାରେ ଥିବା ଚୁଲିଗୁଡ଼ିକ ସାଧାରଣତଃ ୩ ଭାଗରେ ବିଭକ୍ତ । ସେଗୁଡ଼ିକ ହେଲା ଅନ୍ନ ଚୁଲି, ଅହିଆ ଓ ପିଠାଚୁଲି । ଚୁଲିଗୁଡ଼ିକ ଚଟାଣ ଠାରୁ ପ୍ରାୟ ୩ ଫୁଟ ଉଚ୍ଚତା ବିଶିଷ୍ଟ ଓ ଏହା ଧାଡ଼ି ହୋଇ ରହିଥାଏ । ବାମଦେବ ସିଂହିତା ଗ୍ରନ୍ଥ ମୁତାବକ ଚୁଲିଗୁଡ଼ିକ ଭୂମିଠାରୁ ହରିଣ ଉଚ୍ଚତା ବିଶିଷ୍ଟ ହେବ । ଅନ୍ନ ଚୁଲିଗୁଡ଼ିକର ଓସାର ଅଢ଼େଇ ଫୁଟ, ଲମ୍ବ ୩ ଫୁଟ ଓ ଉଚ୍ଚତା ସାଢ଼େ ୩ ଫୁଟ । ପ୍ରତ୍ୟେକ ଚୁଲିର ୬ଟି ଝିଙ୍କା ଥାଏ । ଏହି ଚୁଲି ଅଗ୍ନି ଯନ୍ତ୍ର ସ୍ୱରୁପ । ରୋଷଶାଳାରେ ଥିବା ଚୁଲିଗୁଡ଼ିକର ମଧ୍ୟ ପ୍ରକାର ଭେଦ ରହିଛି । ଅନ୍ନ ଚୁଲିଗୁଡ଼ିକରେ ଏକାଥରେ ୯ ଗୋଟି କୁଡ଼ଆ ରଖାଯାଇ ଅନ୍ନ ରନ୍ଧାଯାଇଥାଏ । ସେହିପରି ଅନ୍ୟ ଚୁଲିଗୁଡ଼ିକ ଓଲଟ ପଦ୍ମ ସ୍ୱରୁପ ପ୍ରତୀୟମାନ ହୁଏ । ସେଥିରେ ବିଭିନ୍ନ ପ୍ରକାର ପିଠା ଓ ଖଜା ପ୍ରସ୍ତୁତ ହୋଇଥାଏ । ବରିଷ୍ଠ ସୁପକାର ବିଶ୍ୱନାଥ ସାମନ୍ତରାଙ୍କ ଉଲ୍ଲେଖ ଅନୁଯାୟୀ, ଶ୍ରୀମନ୍ଦିରର ଏହି ବୃହତ ପାକଶାଳା ମଧ୍ୟରେ ୧୪୨ ପ୍ରସ୍ଫୁଟିତ ପଦ୍ମ ଚୁଲି, ୩୦ଟି ଓଲଟ ପଦ୍ମ ଚୁଲି ଓ ୭୦ ଆହିଆ ଚୁଲି ରହିଛି । ପିଠା ଚୁଲିମାନଙ୍କରେ ତଇ, ପଲମ, କରେଇ ଇତ୍ୟାଦିରେ ଘିଅକୁ ଗରମ କରାଯାଇ ବିଭିନ୍ନ ପିଠା, ଅମ୍ବାଲୁ, ଖଜା ପ୍ରଭୃତି ପ୍ରସ୍ତୁତ କରାଯାଏ ।
ଶ୍ରୀବିଷ୍ଣୁଙ୍କ ଭୋଜନ କ୍ଷେତ୍ର
ଶ୍ରୀକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ଦେଶର ଚାରିଧାମ ଭିତରେ ଅନ୍ୟତମ । ଜଗନ୍ନାଥ ଧାମକୁ ଆସି ଦାରବ୍ରହ୍ମମାନଙ୍କ ଦର୍ଶନ କରିବା ପରେ ହିଁ ଦେଶର ସବୁ ତୀର୍ଥସ୍ଥଳ ଓ ଧାମରେ ଠାକୁର ମାନଙ୍କ ଦର୍ଶନର ଏକତ୍ର ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଶ୍ରୀବିଷ୍ଣୁ ଜଗନ୍ନାଥ ରୂପରେ ଶ୍ରୀକ୍ଷେତ୍ରରେ ବାସ କରନ୍ତି ଓ ଭକ୍ତଙ୍କ ଅର୍ପିତ ଭୋଗ ଭୋଜନ କରନ୍ତି । ତେଣୁ ଏହାକୁ ଜଗନ୍ନାଥଙ୍କ ଭୋଜନ କ୍ଷେତ୍ର ଭାବେ କୁହାଯାଏ । ତେଣୁ ଶ୍ରୀବିଷ୍ଣୁଙ୍କ ପ୍ରୀତ୍ୟାର୍ଥେ ପ୍ରଚୀନ କାଳରୁ ରାଜା, ମହାରଜା ମାନେ ବିଭିନ୍ନ ପ୍ରକାର ନୈବେଦ୍ୟ ଓ ବ୍ୟଞ୍ଜନ ଭୋଗର ବ୍ୟବସ୍ଥା କରିଛନ୍ତି । ଯାହା ମଧ୍ୟରେ ଖଜା ଅନ୍ୟତମ ।
ଶ୍ରୀମନ୍ଦିର ଖଜା ଶୁଦ୍ଧ, ସ୍ୱତନ୍ତ୍ର
ଶ୍ରୀମନ୍ଦିର ଭିତର ଖଜା ଓ ସାଧାରଣ ବଜାରରେ ମିଳୁଥିବା ବାହାର ଖଜା ଭିତରେ ଆକାଶ ପାତାଳ ତଫାତ୍ । ଶ୍ରୀମନ୍ଦିରରେ ଖଜା ପ୍ରସ୍ତୁତି ବେଳେ ସମ୍ପୂର୍ଣ୍ଣ ଶୁଦ୍ଧତା ରକ୍ଷା କରାଯାଏ । କାଳେ ଅଇଁଠା ପଡ଼ିଯିବ, ଛେପ ପଡ଼ିଯିବ, ଗୋଡ଼ ବାଜିଯିବ, ମାଙ୍କଡ଼ ପଶି ଆସିବ, ଧୂଳି ପଡ଼ିଯିବ ତାହାର ନିବାରଣ ନିମନ୍ତେ ସୁଆରମାନେ ନଜର ଦିଅନ୍ତି । ଯଦି କୌଣସି ଗୋଟିଏ କାରଣରୁ ଅମୁଣିଆ ଅଶୁଦ୍ଧ ହୁଏ, ତାହାକୁ ଫେପାଡ଼ି ଦିଆଯାଏ । କାରଣ ମହାପ୍ରଭୁଙ୍କ ନିକଟରେ ସମର୍ପଣ ହେବାକୁ ଥିବାରୁ ଏହା ପ୍ରସ୍ତୁତକାରୀ, ପ୍ରସ୍ତୁତ ଜିନିଷର ଶୁଦ୍ଧତା ଓ ସ୍ୱଚ୍ଛତା ରକ୍ଷା କରାଯାଏ । କୌଣସି ଜିନିଷ ବଳିଗଲେ ତାହାକୁ ଫୋପାଡ଼ି ଦିଆଯାଏ । କାରଣ ଏହାର ପରଦିନ ବ୍ୟବହାର ଉପଯୋଗୀ ନୁହେଁ । ଶ୍ରୀମନ୍ଦିରରେ ସବୁ ଭଲ ଖାଦ୍ୟ ଦ୍ରବ୍ୟ ଓ ଘିଅ ବ୍ୟବହାର ଯୋଗୁଁ ଖର୍ଚ୍ଚ ମଧ୍ୟ ଅଧିକ ହୁଏ । ମାଟି ତାଡ଼ରେ ଖଜା ପ୍ରସ୍ତୁତ ହୁଏ । ଦୈନିକ ଖଜା, ପିଠା ହୋଇସାରିବା ପରେ ଏହାକୁ ଭାଙ୍ଗି ମଧ୍ୟ ଦିଆଯାଏ । ପରଦିନ ସବୁ ନୂଆ ପାତ୍ର ଓ ନୂଆ ସଉଦା ଆଣି ପ୍ରସାଦ ପ୍ରସ୍ତୁତ ହୁଏ । ଚୁଲି ଲିପା ଯାଏ । ଭିତର ଭଲ ଭାବେ ସଫା ହେଲାକି ନାହିଁ ଓ ସବୁ ରୋଷ ପାତ୍ର ବାହାରକୁ ଆଣି ଭଙ୍ଗା ଯାଇଛି କି ନାହିଁ ତାହା ରୋଷଘର ଅମିନ ଓ ରୋଷ ମହାସୁଆର ତଦାରଖ କରନ୍ତି । ଶ୍ରୀମନ୍ଦିର ଭିତରେ ପ୍ରାୟ ୨୦ଟି ଖଜା, ପିଠା ଦୋକାନ ରହିଛି । ସୁଆର ଓ ତାଙ୍କ ସହାୟକଙ୍କୁ ମିଶାଇ ପ୍ରାୟ ୧୫୦ ଜଣ ପିଠା ପ୍ରସ୍ତୁତି ଓ ବିକ୍ରିରେ ନିୟୋଜିତ ହୁଅନ୍ତି । ଦୈନିକ ୫୦୦ କୁଇଣ୍ଟାଲ ଖଜା ପ୍ରସ୍ତୁତି ଓ ବିକ୍ରି ହୋଇଥାଏ । ଶ୍ରୀମନ୍ଦିର ଭିତରେ ପାରମ୍ପରିକ ଶୈଳୀରେ କେବଳ ପତଳା ଖଜା ପ୍ରସ୍ତୁତି ଓ ବିକ୍ରି ହୋଇଥାଏ । ପୂଜାପଣ୍ଡା ସେବାୟତ ଏହାକୁ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରନ୍ତି । ରୋଷକୁ ଯିବା ବେଳେ ସୁଆରମାନେ ଓଦା ବସ୍ତ୍ର ପିନ୍ଧି ଶୁଦ୍ଧତା ସହ ଯାଆନ୍ତି । ରୋଷ ଘର ଦିଅଁ ଶ୍ରୀଗଣେଶ ଓ ମା’ ଲକ୍ଷ୍ମୀଙ୍କ ଆଶିଷ ନେଇ ୩୦ରୁ ୪୦ ଡିଗ୍ରୀ ତାପମାତ୍ରାରେ ରହି ଖଜା, ପିଠା ପ୍ରଭୃତି ପ୍ରସ୍ତୁତ କରନ୍ତି । ଏହା ମହାପ୍ରସାଦ ହେବା ପରେ ଆନନ୍ଦ ବଜାରରେ ବିକ୍ରି ହୁଏ । ବିକ୍ରି ବେଳେ ଏହା ଓଜନ ହୁଏନି । ଭୋଗେଇ ଦରରେ କିମ୍ବା ଗୋଟା ପିଛା ବିକ୍ରି ହୁଏ । ଶ୍ରୀମନ୍ଦିର ଭିତରେ ଖଜା ପ୍ରସ୍ତୁତରେ ମେସିନ୍, ଗ୍ୟାସ୍, ଷ୍ଟୋଭ ପ୍ରଭୃତି ବ୍ୟବହାର ହୁଏନି । କିନ୍ତୁ ଶ୍ରୀମନ୍ଦିର ବାହାରେ ମେସିନ୍ ଲଗାଇ ମନଇଛା ପରିବେଶରେ ଖଜା ପ୍ରସ୍ତୁତ ହେଉଛି । ଏହାକୁ ପୁରୀ ଖଜା କୁହାଯାଇପାରିବ । ହେଲେ ଏହା ମହାପ୍ରସାଦ ନୁହେଁ କି ଶ୍ରୀମନ୍ଦିର ଖଜା ନୁହେଁ । ଶ୍ରୀମନ୍ଦିରରେ ପ୍ରସ୍ତୁତ ଖଜା ଆଜି ବି ଶୁଦ୍ଧତା ଓ ସ୍ୱତନ୍ତ୍ରତା ବଜାୟ ରଖିଛି, ଆଗକୁ ବି ରଖିବ ।
ଗଣେଶ ମହାସୁଆର ବରିଷ୍ଠ ସୁଆରସେବକ ତଥା ମହାସୁଆର ନିଯୋଗ ସମ୍ପାଦକ
କ୍ଲଷ୍ଟର ଓ ଜିଆଇ ଟ୍ୟାଗ୍ ପ୍ରତି ଅନାଗ୍ରହ
ପୁରୀ ଖଜା ସ୍ୱତନ୍ତ୍ର ହୋଇଥିଲେ ହେଁ ଏହାର ଜିଆଇ ଟ୍ୟାଗ୍ ହାସଲ ନିମନ୍ତେ ପ୍ରଶାସନିକ ସ୍ତରରେ ପ୍ରୟାସ ହେଉନି । ଖଜା କ୍ଲଷ୍ଟର କରିବାକୁ ପ୍ରଶାସନ କୁନ୍ଥକୁନ୍ଥ । ଉତ୍ତମ ମାନର ଖଜା ପ୍ରସ୍ତୁତ ଓ ବିକ୍ରି ନିମନ୍ତେ ଗୋଟିଏ ସ୍ଥାନରେ ବଜାର ହେଲେ ଏହାର ନିରୀକ୍ଷଣ, ଗୁଣବତ୍ତା ବଜାୟ ରଖିବା ଓ ସ୍ୱଚ୍ଛତା ବାବଦରେ ପ୍ରଶାସନ ନଜର ରଖିପାରନ୍ତା । ମାତ୍ର ବ୍ୟାପକ ଦାବି ସତ୍ତ୍ଵେ ଏପର୍ଯ୍ୟନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନି । ପୁରୀର ଖଜା ପଟି ଉଜାଡ଼ି ଦେବା ପରେ ପ୍ରଶାସନର ଏପରି ଶୀଥିଳ ମନୋଭାବ ଚିନ୍ତାର କାରଣ ହୋଇଛି ।
ଖଜା ମହାପ୍ରସାଦର ବାସ୍ନା ନିଆରା
ମହାପ୍ରସାଦ ମୁଖ୍ୟତଃ ୩ ପ୍ରକାର । ଶୁଖିଲି ଭୋଗ, ସଙ୍ଖୁଡ଼ି ଓ ନିଃସଙ୍ଖୁଡ଼ି ଭୋଗ । ଖଜା ଶୁଖିଲି ଭୋଗ ଭିତରେ ରହିଛି । ଶ୍ରୀମନ୍ଦିର ରୋଷଘର ଭିତରେ ଓ ବାହାରେ ଥିବା ଚୁଲିରେ ଶୁଖିଲି ଭୋଗ ପ୍ରସ୍ତୁତ ହୁଏ । ରୋଷ ଘରେ ପ୍ରସ୍ତୁତ କୋଠ ଭୋଗ ମଧ୍ୟରେ ରହିଥିବା ଖଜାକୁ ଷଡ଼ଉପଚାରରେ ପୂଜା ହୁଏ । ସେହିପରି ବହୁଳ ବିକ୍ରି ଉଦ୍ଦେଶ୍ୟରେ ଆନନ୍ଦ ବଜାରକୁ ଆସୁଥିବା ଖଜା ବଡ଼ଦେଉଳ ଭିତରେ ପୂଜାପଣ୍ଡାଙ୍କ ଦ୍ୱାରା ସର୍ପାମଣୋହି ଉପଚାରରେ ସମର୍ପଣ ପରେ ମହାପ୍ରସାଦ ହୁଏ । ଭଲ ଘିଅରେ ଖଜା ଓ ଗଜା ପ୍ରସ୍ତୁତ ହୁଏ । ଯାହା ଅନ୍ୟ ପିଠା ଅପେକ୍ଷା ଅଧିକ ଦିନ ନଷ୍ଟ ନହୋଇ ରହିପାରିଥାଏ । ଏହାଛଡ଼ା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ ପରେ ଏହାର ବାସ୍ନା ନିଆରା ହୋଇଯାଏ । ଖଜା ମହାପ୍ରସାଦର ମହମହ ବାସ୍ନା ଅନ୍ୟ ବାହାର ଖଜାଠାରୁ ନିଆରା । ଶ୍ରୀମନ୍ଦିର ଖଜାର ନକଲ କରି ବାହାରେ ବ୍ୟବସାୟ ଜମାଇବା ନିମନ୍ତେ ବହୁ ଲୋକେ ଉଦ୍ୟମ କରିଚାଲିଛନ୍ତି । ଅନେକ ସଫଳ ମଧ୍ୟ ହେଉଛନ୍ତି । ଶ୍ରୀମନ୍ଦିର ଭିତରେ ଖଜାର ମହଲ ସମ୍ପୂର୍ଣ୍ଣ ନିଆରା । ସ୍ୱଚ୍ଛ ପରିବେଶ ସାଙ୍ଗକୁ ନିଜର ସ୍ୱଚ୍ଛତା ରଖୁଥିବା ସୁପକାରମାନେ ଖଜା, ପିଠା ପ୍ରସ୍ତୁତ କରନ୍ତି । କାରଣ ସେମାନେ ଜାଣନ୍ତି ଏହା ମହାପ୍ରଭୁଙ୍କ ନିକଟରେ ସମର୍ପଣ ହେବ । ସ୍ୱଚ୍ଛତାରେ କିଛି ବିଘ୍ନ ହେଲେ ବ୍ୟଞ୍ଜନ ପ୍ରସ୍ତୁତିରେ ବିଘ୍ନ ଘଟିବ । ସେହିପରି ଭୋଗ ସମର୍ପଣ କରୁଥିବା ପୂଜାରୀମାନେ ମଧ୍ୟ ସ୍ୱଚ୍ଛତା ଓ ପବିତ୍ରତାକୁ ବିଶେଷ ଧ୍ୟାନ ରଖନ୍ତି ।
ନାରାୟଣ ପୂଜାପଣ୍ଡା, ପୂଜାପଣ୍ଡା ସେବକ
ଗ୍ରାହକ ସଚେତନ ହେବା ଜରୁରି
ପୁରୀରେ ଆଗରୁ ଅଳ୍ପ ସଂଖ୍ୟକ ଖଜା ଦୋକାନ ଥିଲା । ପର୍ଯ୍ୟଟକ ପୁରୀ ଆସିଲେ କିଛି ନିର୍ଦ୍ଦିଷ୍ଟ ଦୋକାନରୁ ଖଜା କିଣି ନେଉଥିଲେ । ଏଣୁ ଖଜାର ମାନ ମଧ୍ୟ ଭଲ ରହୁଥିଲା । ହେଲେ ଏବେ ଏତେ ସଂଖ୍ୟକ ଦୋକାନ ହେଲାଣି । ଅଧିକାଂଶ ଦୋକାନୀ ଭାଟିରୁ ଖଜା କିଣି ବିକ୍ରି କରୁଛନ୍ତି । ଅଳ୍ପ ଦରରେ ଖଜା ଯୋଗାଇବାକୁ ଦୋକାନୀଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି । ଯାହା ଖଜା ମାନ କମିବାର ମୁଖ୍ୟ କାରଣ । ତା ଛଡ଼ା ଅନେକ ସମୟରେ ଖଜା ଓଜନରେ ମଧ୍ୟ ଦୋକାନୀ ଠକୁଥିବା ଦେଖାଯାଉଛି । ଏଥିପ୍ରତି ଗ୍ରାହକ ସଚେତନ ରହିବା ଜରୁରି ।
କୃଷ୍ଣଚନ୍ଦ୍ର ସାହୁ, ଖଜା ବ୍ୟବସାୟୀ
ସୌଜନ୍ୟ ପ୍ରମେୟ




