ରାଜ୍ୟ

Border village: ବଦଳିଲା ସୀମାନ୍ତ ଗଁାର ଜୀବନ

ଏକଦା ନକ୍ସଲ ଭୟ କାରଣରୁ ସଞ୍ଜ ନଇଁବା ପୂର୍ବରୁ ଘରକୁ ଫେରିବା ବାଧ୍ୟବାଧକତା ଥିଲା। ଏହି ଭୟ ଯୋଗୁଁ ଯେଉଁମାନେ ଓଡ଼ିଶାକୁ ଆସି ବ୍ୟବସାୟ କିମ୍ବା କାମଧନ୍ଦା କରିବାକୁ ସାହସ କରୁନଥିଲେ, ଆଜି ସେମାନେ ବିଳମ୍ବିତ ରାତିରେ ମଧ୍ୟ ନିର୍ଭୟରେ ଘରକୁ ଫେରୁଛନ୍ତି।

ରାଉରକେଲା (ମଳୟ ରଂଜନ ସାହୁ): ଏକଦା ନକ୍ସଲ ଭୟ କାରଣରୁ ସଞ୍ଜ ନଇଁବା ପୂର୍ବରୁ ଘରକୁ ଫେରିବା ବାଧ୍ୟବାଧକତା ଥିଲା। ଏହି ଭୟ ଯୋଗୁଁ ଯେଉଁମାନେ ଓଡ଼ିଶାକୁ ଆସି ବ୍ୟବସାୟ କିମ୍ବା କାମଧନ୍ଦା କରିବାକୁ ସାହସ କରୁନଥିଲେ, ଆଜି ସେମାନେ ବିଳମ୍ବିତ ରାତିରେ ମଧ୍ୟ ନିର୍ଭୟରେ ଘରକୁ ଫେରୁଛନ୍ତି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳ ନକ୍ସଲମୁକ୍ତ ହେବା ପରେ ବଦଳିଛି ସୀମାନ୍ତବାସୀଙ୍କ ଜୀବନ ଜୀବିକାର ଚିତ୍ର। ଜନ୍ମମାଟି ଝାଡ଼ଖଣ୍ଡ ହୋଇଥିଲେ ମଧ୍ୟ ରୋଜଗାରର ଠିକଣା ପାଲଟିଛି ଓଡ଼ିଶା। ହାଟବଜାରରେ ବ୍ୟବସାୟ, ପନିପରିବା ବିକ୍ରିଠାରୁ ଆରମ୍ଭ କରି କାରଖାନାରେ ଶ୍ରମ, ଡାକ୍ତରଖାନାରେ ଚିକିତ୍ସା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଓଡ଼ିଶା ଉପରେ ନିର୍ଭର କରୁଛନ୍ତି ହଜାର ହଜାର ପରିବାର। ସେମାନଙ୍କ ମନରୁ ଦୀର୍ଘବର୍ଷର ଆତଙ୍କ ଦୂର ହେବା ସହ ଆର୍ଥିକ ଅଭିବୃଦ୍ଧିର ବାଟ ଖୋଲିଛି।

ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ, ବିଶ୍ରା ଓ ବୀରମିତ୍ରପୁରକୁ ଲାଗି ଝାଡ଼ଖଣ୍ଡର ୩୦ରୁ ଅଧିକ ଗାଁ ରହିଛି। ଏହି ଗାଁଗୁଡ଼ିକ ଝାଡ଼ଖଣ୍ଡରେ ହୋଇଥିଲେ ସୁଦ୍ଧା ଲୋକଙ୍କ ଜୀବନଜୀବିକାର ଅଧିକାଂଶ ଆବଶ୍ୟକତା ପୂରଣ ହେଉଛି ଓଡ଼ିଶାରୁ। ନୂଆଗାଁକୁ ଲାଗିଥିବା ଝାଡ଼ଖଣ୍ଡର ବୁଲୁନ୍ଦା, ରୁଙ୍ଘି, ଫଟକା, ରାଏକେଲା, ହୁର୍ଦା, ଓଡଗାଁ, ଗେନମେର, ଡଙ୍ଗାପାନି, ପରବା, ମାରାନି, ଜରମଣ୍ଡା, କୋହିପାଟ, ଟେମ୍ବର, ଚାନମାଏ ଆଦି ଗାଁର ଲୋକେ ରୋଜଗାର ପାଇଁ ଓଡ଼ିଶା ଉପରେ ନିର୍ଭର କରୁଛନ୍ତି। ସେହିପରି ବିଶ୍ରା ବ୍ଲକ ଅନ୍ତର୍ଗତ ଜରେଇକେଲାକୁ ଲାଗି ଝାଡ଼ଖଣ୍ଡର ପାରୋଡିହି, ମକରଣ୍ଡା, ସମଠା, ସାଗଯୋଡି, ରେଡା, ଧାନପାଲୀ, ପାଞ୍ଚପହିଆ, ଲାଇଲୋଇ, ଫୁଲବାରି, ପ୍ରଧାନପଲ୍ଲୀ, ବିକାଳକୁଦର, ଅଭୟପୁର, ପୋଟକା, ପୁରାନାଡିହି, ନୱାଡିହି, ଡୋମଲାଇ ସମେତ ୨୦ରୁ ଅଧିକ ଗାଁ ରହିଛି।

ଏହି ସବୁ ଗାଁର ପ୍ରାୟ ୪ ହଜାରରୁ ଅଧିକ ପରିବାରଙ୍କୁ ଓଡ଼ିଶା ରୋଜଗାର ଯୋଗାଉଛି। ପୂର୍ବରୁ ନକ୍ସଲ ଆତଙ୍କ ଯୋଗୁଁ ସୀମାନ୍ତ ଗାଁର ଲୋକେ ଓଡ଼ିଶାକୁ ବ୍ୟବସାୟ ଓ କାମଧନ୍ଦା ପାଇଁ ଆସିବାକୁ ଡରୁଥିଲେ। ଏବେ ସ୍ଥିତି ବଦଳିଛି। ନକ୍ସଲ ସଙ୍ଗଠନ ମୂଳପୋଛ ହେବା ପରେ ନିର୍ଭୟରେ ଗୁଜରାଣ ମେଣ୍ଟାଉଛନ୍ତି। ପୂର୍ବରୁ ଯେତିକି ରୋଜଗାର କରୁଥିଲେ, ଏବେ ତା’ର ଦୁଇଗୁଣା ଅର୍ଥ ରୋଜଗାର କରୁଛନ୍ତି। ବୀରମିତ୍ରପୁର, ବିଶ୍ରା ଓ ନୂଆଗାଁର ସାପ୍ତାହିକ ହାଟଗୁଡ଼ିକରେ ପ୍ରାୟ ୫୦ ପ୍ରତିଶତ ବ୍ୟବସାୟୀ ଝାଡ଼ଖଣ୍ଡ ସୀମାନ୍ତ ଗାଁର। କେବଳ ବ୍ୟବସାୟ ନୁହେଁ, ଏହି ଗାଁଗୁଡ଼ିକର ଶତାଧିକ ଲୋକ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ସମେତ ଅନ୍ୟ ଛୋଟବଡ଼ କାରଖାନାରେ ଠିକା ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏହାଛଡ଼ା ସୀମାନ୍ତ ଗାଁର ଶତାଧିକ ଚାଷୀନିଜ ଉତ୍ପାଦିତ ପନିପରିବା ଝାଡ଼ଖଣ୍ଡ ପରିବର୍ତ୍ତେ ଓଡ଼ିଶାର ହାଟରେ ବିକ୍ରି କରୁଛନ୍ତି। ନୂଆଗାଁର କାତେପୁର, ନୂଆଗାଁ, ସୋରଡ଼ା, ହାତୀବାରି, ପୁରୁଣାପାଣି ସାପ୍ତାହିକ ହାଟ ସହ ବିଶ୍ରାର ଜରେଇକେଲା ଓ ଭାଲୁଲତା ହାଟରେ ସେମାନେ ନିୟମିତ ବ୍ୟବସାୟ କରୁଛନ୍ତି। ଫଳରେ ଚାଷୀଙ୍କୁ ଉତ୍ପାଦ ବିକ୍ରି ପାଇଁ ବଜାର ମିଳୁଥିବା ବେଳେ ବ୍ୟବସାୟୀଙ୍କ ରୋଜଗାର ମଧ୍ୟ ବଢ଼ୁଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button