Cyclone: ବାତ୍ୟା ମୁକାବିଲା ତଦାରଖ ପାଇଁ ଗଜପତିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପର ତଦାରଖ କରିବାକୁ ଜିଲ୍ଲା ଗସ୍ତ କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଏହି ଦାୟିତ୍ୱ...

ପାରଳାଖେମୁଣ୍ଡି (ସୁଜିତ ବିଶୋୟୀ): ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗଜପତିଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପର ତଦାରଖ କରିବାକୁ ଜିଲ୍ଲା ଗସ୍ତ କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ବାତ୍ୟାର ମୁକାବିଲା, ଲୋକଙ୍କ ସୁରକ୍ଷା ଏବଂ କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
ଗଜପତିରେ ପହଞ୍ଚିବା ପରେ ମନ୍ତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାତ୍ୟା ପୂର୍ବ ପ୍ରସ୍ତୁତିର ସମୀକ୍ଷା କରିବା ସହ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଥିଲେ। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କେଉଁସବୁ ପଦକ୍ଷେପ ନିଆଯାଇଛି ଏବଂ ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କ ସୁରକ୍ଷା ପାଇଁ କିଭଳି ବ୍ୟବସ୍ଥା ହୋଇଛି, ସେ ସମ୍ପର୍କରେ ସେ ସମୀକ୍ଷା କରିଥିଲେ। ପ୍ରଭାବିତ ହେବାର ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ମନ୍ତ୍ରୀ ପ୍ରାଥମିକତା ଦେଇଥିଲେ। ଜଣେ ହେଲେ ବ୍ୟକ୍ତି ଯେପରି ବାତ୍ୟା ଯୋଗୁଁ ମୃତାହତ ନ ହୁଅନ୍ତି, ସେଥିପାଇଁ ସମସ୍ତେ ଗୁରୁତ୍ୱର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।
ବାତ୍ୟା ସମୟରେ ଜୀବନହାନିକୁ ଶୂନ୍ୟରେ ରଖିବା ବା ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ହାସଲ ଉପରେ ସେ ଗୁରୁତ୍ୱ ଦେଇଥିଲେ। ପରବର୍ତ୍ତୀ ସମୟରେ ମନ୍ତ୍ରୀ ବିଭିନ୍ନ ବ୍ଲକରେ ଥିବା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିଥିଲେ। ବିପଦ ସମୟରେ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ଯେପରି ଆବଶ୍ୟକ ସୁବିଧା ମିଳେ ଏବଂ କୌଣସି ପ୍ରକାର ଅବହେଳା ଯୋଗୁଁ ସେମାନଙ୍କ ସୁରକ୍ଷା ବିପନ୍ନ ନ ହୁଏ, ସେଥିପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ଗୁରୁତ୍ୱ ପ୍ରକାଶ ପାଇଥିଲା।
ଗଜପତି ଜିଲ୍ଲାର ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ବାତ୍ୟାଜନିତ ବର୍ଷା, ଭୂସ୍ଖଳନ ଏବଂ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ରହୁଥିବାରୁ ଆଗୁଆ ସତର୍କତା ଓ ସୁରକ୍ଷିତ ସ୍ଥାନାନ୍ତରକୁ ଗୁରୁତ୍ୱ ଦିଆଯାଉଛି। ମନ୍ତ୍ରୀଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି, ବାତ୍ୟା ପୂର୍ବରୁ ପ୍ରଶାସନିକ ପ୍ରସ୍ତୁତିର ବାସ୍ତବ ସ୍ଥିତି ଯାଞ୍ଚ କରିବା ସହ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା। ବାତ୍ୟାର ମୁକାବିଲାରେ କୌଣସି ପ୍ରକାର ଅବହେଳା ନ କରି ତ୍ୱରିତ ପଦକ୍ଷେପ ନେବା ଏବଂ ପ୍ରତ୍ୟେକ ଜୀବନକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ଉପରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଥିଲେ ।
ସୌଜନ୍ୟ ସମ୍ବାଦ




