ଭୁବନେଶ୍ବର: ଡିଜି ନିଯୁକ୍ତି ପ୍ରକ୍ରିୟା ଆଇନଗତ ବିବାଦରେ ଛନ୍ଦି ହେଲା ପରଠାରୁ ଅଡୁଆରେ ପୁଲିସ ପ୍ରଶାସନ। ଗୋଟିଏ ପଟେ କାମଚଳା ଡିଜିଙ୍କ ହାତରେ ରାଜ୍ୟର ଆଇନଶୃଙ୍ଖଳା ଭାର ରହିଛି। ଅପର ପକ୍ଷରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ କେନ୍ଦ୍ର ତାଗିଦ କଲାଣି। ଏ ଭିତରେ ସୂଚନା ମିଳିଲାଣି ଯେ ଡିଜିପି ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସୁ ନଥିବାରୁ କାମଚଳା ଡିଜିପିଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇପାରେ। ଏଭଳି ସମୟରେ ଜଣେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଉଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହା ପଛର ରହସ୍ୟକୁ ନେଇ କ୍ଷମତା କରିଡରରେ ଭିନ୍ନ ଭିନ୍ନ ଆକଳନ ଆରମ୍ଭ ହୋଇଗଲାଣି।
ବିନୟତୋଷଙ୍କ କାର୍ଯ୍ୟକାଳ ବଢ଼ିବ ନା ନୂଆ ମୁହଁ
ଅଡ଼ୁଆରେ ପକାଇଦେଇଛି କେନ୍ଦ୍ରର ଚିଠି
ମାସେ ହେଲା ଗୃହ ବିଭାଗ ସ୍ବତନ୍ତ୍ର ସଚିବ ପଦବି ଖାଲି
ଦୁଇ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦେବାକୁ କସରତ
କାମଚଳା ଡିଜିପି ବିନୟତୋଷ ମିଶ୍ରଙ୍କ ଚାକିରି ନଭେମ୍ବର ୩୦ରେ ଶେଷ ହେଉଛି। ଏହା ପୂର୍ବରୁ ରାଜ୍ୟକୁ ସ୍ଥାୟୀ ଡିଜିପି ମିଳିବେ ନା ଆଉ ଜଣେ ବରିଷ୍ଠ ଆଇପିଏସ୍ଙ୍କୁ କାମଚଳା ଦାୟିତ୍ୱ ଦିଆଯିବ ନା ଶ୍ରୀ ମିଶ୍ରଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯିବ, ସେ ନେଇ ସରକାର କିଛି ସ୍ପଷ୍ଟ କରିନାହାନ୍ତି। ଯଦି ନଭେମ୍ବର ୩୦ ପୂର୍ବରୁ ସୁପ୍ରିମକୋର୍ଟଙ୍କ ରାୟ ନ ଆସେ, ତେବେ ଶ୍ରୀ ମିଶ୍ରଙ୍କ କାର୍ଯ୍ୟକାଳ ବଢ଼ାଯାଇପାରେ ବୋଲି ଗୋଟିଏ ମହଲ ମତ ରଖୁଛନ୍ତି। ଏହି ସମୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଚିଠି ସରକାରଙ୍କୁ ଅଡ଼ୁଆରେ ପକାଇଦେଇଛି। ଗତ କିଛି ମାସ ମଧ୍ୟରେ ରାଜ୍ୟରେ ଘଟିଥିବା ବଡ଼ ଅପରାଧ ସଂକ୍ରାନ୍ତରେ କେନ୍ଦ୍ର ରିପୋର୍ଟ ତଲବ କରିଛି। ଯଦିଓ ଆଇନଶୃଙ୍ଖଳା ବ୍ୟାପାର ସମ୍ପୂଣ୍ଣ ଭାବେ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ବାଧୀନ, ତେବେ କିଛି ମାମଲାର ତଦନ୍ତ ସନ୍ତୋଷଜନକ ନଥିବାରୁ କେନ୍ଦ୍ରରେ ଏ ସଂକ୍ରାନ୍ତରେ ଅଭିଯୋଗ ପହଞ୍ଚିଛି। ତାହାକୁ ଭିତ୍ତି କରି ଗୃହ ମନ୍ତ୍ରଣାଳୟ ରିପୋର୍ଟ ମାଗିଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିଲା ବେଳେ କେନ୍ଦ୍ରର ଏହି ଚିଠିକୁ କେହି ନଜର ଅନ୍ଦାଜ କରିପାରିବେ ନାହିଁ।
ଏପଟେ ଗୃହ ବିଭାଗର ‘ସ୍ୱତନ୍ତ୍ର ସଚିବ’ ପଦବି ପ୍ରାୟ ମାସେ ହେବ ଖାଲି ପଡ଼ିଛି। ବରିଷ୍ଠ ଆଇପିଏସ୍ ଆର୍କେ ଶର୍ମା ସେପ୍ଟେମ୍ବର ୩୦ରେ ଅବସର ନେବା ପରଠାରୁ ସେଠାରେ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। ଏହା ମଧ୍ୟରେ ଦୁଇ ଜଣ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀଙ୍କୁ ଥଇଥାନ ପାଇଁ ପ୍ରକ୍ରିୟା ଜୋର୍ ଧରିଛି। ପୂର୍ବତନ ଡିଜି ୱାଇ ବି ଖୁରାନିଆଙ୍କୁ ଲୋକାୟୁକ୍ତରେ ନିଯୁକ୍ତି ଦିଆଯିବ ବୋଲି ଚର୍ଚ୍ଚା ଚାଲିଛି। ପୂର୍ବରୁ ଅବସରପ୍ରାପ୍ତ ଡିଜିଙ୍କୁ ଏମିତି ଥଇଥାନ କରିବାର ଉଦାହରଣ ରହିଛି। ତେଣୁ ବର୍ତ୍ତମାନର ସରକାର ସେହି ଧାରା ଜାରି ରଖିବାକୁ ଅଣ୍ଟା ଭିଡ଼ିଛନ୍ତି। କେବଳ ସେତିକି ନୁହେଁ, ଗୃହ ବିଭାଗର ସ୍ବତନ୍ତ୍ର ସଚିବ ପଦବିରୁ ଅବସର ନେଇଥିବା ଆର୍ କେ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଉଥିବା ନେଇ ଆଲୋଚନା ଚାଲିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ପ୍ରକାଶ ମିଶ୍ର କାର୍ଯ୍ୟ କରୁଛନ୍ତି। ପୁଣି ଜଣେ ଆଇପିଏସ୍ ଅଧିକାରୀଙ୍କୁ ସେଠାରେ ଅବସ୍ଥାପିତ କରିବାର ଆବଶ୍ୟକତା କାହିଁକି ପଡ଼ୁଛି, ତାହା ଏବେ ପୂରା ପ୍ରସଙ୍ଗକୁ ରହସ୍ୟ ଘେରକୁ ନେଉଛି।
ସୌଜନ୍ୟ ସମ୍ବାଦ