ଜୀବନଚର୍ଯ୍ୟା

ସମ୍ପର୍କ ଭାଙ୍ଗୁଛି ଆଟେନସନ୍‌ ଇନଫିଡେଲିଟି’: ସାଥୀଙ୍କ କଥା ଶୁଣୁଛନ୍ତି, ହେଲେ ମନ ମୋବାଇଲ୍‌ରେ….

ଭୁବନେଶ୍ୱର ୦୯/୧୧: ମନେକରନ୍ତୁ ସାରା ଦିନର କାର୍ଯ୍ୟବ୍ୟସ୍ତତା  ଭିତରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ  ଭୁଲିଯାଇଛନ୍ତି । ଟିକେ ଫୁରସତ ପାଇଲା ପରେ ଆପଣ  ସେହି କଥାକୁ ପ୍ରଥମେ ସାଥୀଙ୍କୁ ଜଣାଇବାକୁ ଉଚିତ ମଣିଲେ । ସାଥୀ ହୁଏତ ପ୍ରଥମେ କିଛି ସମୟ ଆପଣଙ୍କ  କଥା ଶୁଣିଲେ । ମୁଣ୍ଡ ହଲାଇ ସମ୍ମତି ଦେଲେ । ମାତ୍ର  ଆପଣ ତାଙ୍କଠାରୁ ଅଧିକ କିଛି ଶୁଣିବାର ଆଶା  କରୁଥିବା ବେଳେ ଦେଖିବାକୁ ପାଇଲେ ଧୀରେ ଧୀରେ  ତାଙ୍କ ଆଖି ମୋବାଇଲ୍‌ ସ୍କ୍ରିନ୍‌ରେ । ସେତେବେଳେ  ତାଙ୍କ ଚେହେରାରେ ଥିବ ଆପଣଙ୍କ କଥା ଶୁଣିବାର  ଆଗ୍ରହ ଅପେକ୍ଷା ମୋବାଇଲ୍‌ ସ୍କ୍ରିନ୍‌ ଦେଖି ଅଧିକ  ଖୁସି ହେଉଥିବାର ଅଭିବ୍ୟକ୍ତି! କେତେବେଳେ  ନୋଟିଫିକେସନ୍‌ ଚେକ୍‌ ତ ଆଉ କେତେବେଳେ ମେସେଜ୍‌ର ଉତ୍ତର ଦେବା, ପୁଣି କେତେବେଳେ କଥା ମଝିରେ ଇନଷ୍ଟାଗ୍ରାମ ରିଲ୍‌ ସ୍କ୍ରୋଲ୍‌ ଆରମ୍ଭ କରିଦେବା-  ଏଭଳି ଦୃଶ୍ୟରେ ବିରକ୍ତ, ଅଣନିଃଶ୍ୱାସୀ ହୋଇଉଠୁଥିବା  ବ୍ୟକ୍ତି ଭାବରେ ଆପଣ କେବଳ ନିଜକୁ ସାମିଲ କରନ୍ତୁ  ନାହିଁ । ବରଂ ଆପଣଙ୍କ ଭଳି ଅନେକ ଲୋକ ଏହି  ଧରଣର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ପ୍ରତିନିୟତ ।  ଏହି ପ୍ରସଙ୍ଗଟି ନେଇ ହୁଏତ କୌଣସି ବଡ଼ ଧରଣର  ମତାନ୍ତର ବା ମନାନ୍ତର ହୋଇନାହିଁ । କିନ୍ତୁ ମନରେ  ସନ୍ଦେହ ଉପୁଜିଛି । ପ୍ରଶ୍ନ ବି ଉଙ୍କିମାରୁଛି, ‘ସେ କ’ଣ  ସତରେ ମୋ କଥା ମନଦେଇ ଶୁଣୁଛନ୍ତି?’…

ସଂପର୍କର ଏହି ନୂଆ ସମସ୍ୟାକୁ ବିଶେଷଜ୍ଞମାନେ ନାଁ  ଦେଇଛନ୍ତି ‘ଆଟେନସନ୍‌ ଇନଫିଡେଲିଟି’ ବା ‘ମନଯୋଗର  ବିଶ୍ୱାସଘାତକତା’! ଉପରକୁ ଆପଣଙ୍କ କଥା ଶୁଣୁଥିବାର ମନେ ହେଉଥିଲେ ବି ପ୍ରକୃତରେ ଆପଣଙ୍କ ସାଥୀର ମନ  ଅନ୍ୟ କେଉଁଠାରେ ଥାଏ ।

‘ମନଯୋଗ ବିଶ୍ୱାସଘାତକତା’  ପ୍ରକୃତରେ କ’ଣ

ଏହି ସମସ୍ୟା ସେତେବେଳେ ସୃଷ୍ଟି ହୁଏ, ଯେତେବେଳେ  ଏହା ଏକ ନିୟମିତ ଅଭ୍ୟାସରେ ପରିଣତ ହୋଇଯାଏ ।  ଆପଣ ସାଥୀଙ୍କ ସହିତ କଥା ହେଉଛନ୍ତି । ଅଥଚ ସେ  ଆପଣଙ୍କ କଥା ଶୁଣି ମୁଣ୍ଡ ହଲାଇ ବାରମ୍ବାର ସ୍କ୍ରିନ୍‌ ସ୍କ୍ରୋଲ୍‌  କରୁଛନ୍ତି । ଦୁହେଁ ମିଶି ସିନେମା ଦେଖୁଛନ୍ତି । ଅଥଚ ମଝିରେ  ମଝିରେ ଫୋନ୍‌ରେ ଚାଟିଂ ଚାଲିଛି । ସାରା ସପ୍ତାହର ବ୍ୟସ୍ତତା  ପରେ ଏକାଠି କିଛି ସମୟ ପାଇବା ପରେ ବି ଅଧିକାଂଶ  ସମୟ ଯଦି ସୋସିଆଲ୍‌ ମିଡିଆ ବ୍ରାଉଜ୍‌ କରି କଟିଯାଏ  ତେବେ ତାହା ଏକ ସୁସ୍ଥ ସମ୍ପର୍କ ପାଇଁ ବିପଜ୍ଜନକ ।

ହୁଏତ  ଆପଣଙ୍କ ସାଥୀ କାର୍ଯ୍ୟବ୍ୟସ୍ତତା କଥା କହୁଛନ୍ତି, ତାଙ୍କ  ସମସ୍ୟା ବିଷୟରେ କିଛି ବୁଝାଇବାକୁ ଚାହାଁନ୍ତି, ସେହି  ସମୟରେ ଆପଣ ଗୋପନରେ କୌଣସି ସେଲିବ୍ରିଟିଙ୍କ ପୋଷ୍ଟରେ ଅନ୍ୟ କାହାର କମେଣ୍ଟ ପଢ଼ୁଛନ୍ତି । ସାଥୀଙ୍କ  ମନ ରଖିବା ପାଇଁ କେବଳ ଯାନ୍ତ୍ରିକ ଭାବେ ହଁ କି ନାରେ  ଉତ୍ତର ଦେଇ ନିଜ କାମ ସାରୁଛନ୍ତି । ଅଥଚ ମାନସିକ ଭାବେ  ଆପଣ ସାଥୀଙ୍କ ପାଖରେ ଉପସ୍ଥିତ ନାହାନ୍ତି । ଅନ୍ୟ ଅର୍ଥରେ  କହିବାକୁ ଗଲେ ଶାରୀରିକ ଭାବେ ଆପଣ ସାଥୀଙ୍କ ପାଖରେ  ଉପସ୍ଥିତ ରହିଥିଲେ ବି ଆପଣଙ୍କ ମନ ନିହାତି ଭାବରେ  ଅନ୍ୟ କେଉଁଠି ଅଛି ।

ସଂପର୍କରେ ଦୂରତ୍ୱ ସୃଷ୍ଟି କରୁଛି ଫୋନ୍‌!

ଆଟେନସନ୍‌ ଇନଫିଡେଲିଟି’ ଭଳି ସଂପର୍କର ନୂଆ  ପରିଭାଷା କାରଣରୁ ସାଧାରଣ ଆଚରଣ ବଡ଼ ଅପରାଧ  ବୋଲି ମନେ ହୋଇପାରେ । କିନ୍ତୁ ପ୍ରଶ୍ନ ଉଠୁଛି –  ଆପଣଙ୍କ ସାଥୀ କ’ଣ ନିୟମିତ ଭାବେ ଆପଣଙ୍କ ମନଯୋଗ ପାଇବା ପାଇଁ ଫୋନ୍‌ ସହିତ ପ୍ରତିଦନ୍ଦ୍ୱନ୍ଦ୍ୱିତା କରୁଛନ୍ତି  ? କୌଣସି କଥୋପକଥନ ଯଦି ବାରମ୍ବାର  ଫୋନ୍‌ର ନୋଟିଫିକେସନ୍‌ କାରଣରୁ ବ୍ୟାହତ ହୁଏ  ତେବେ ଡିଭାଇସ୍‌ ତୁଳନାରେ ଅଧିକ କ୍ଷତିଗ୍ରସ୍ତ ହୁଏ ପାରମ୍ପରିକ ଶ୍ରଦ୍ଧା ଓ ମାନସିକ ସଂଯୋଗ । ଜଣକର  କଥା  ମନଯୋଗ ସହକାରେ ଶୁଣିଲେ ସେହି ଲୋକ  ନିଜକୁ ଗୁରୁତ୍ୱପୂର୍ଣ୍ଣ ମନେ କରନ୍ତି ।

କିନ୍ତୁ ବାରମ୍ବାର କଥା  ମଝିରେ ମୋବାଇଲ୍‌ ସ୍କ୍ରିନ ଉପରକୁ ଆଖି ଚାଲିଗଲେ  ଅପର ଦିଗର ମଣିଷଟି ହୁଏତ ନିଜକୁ ଅବହେଳିତ  ମନେ କରିପାରନ୍ତି । ଯଦିଓ ଆପଣଙ୍କର ସେଭଳି କୌଣସି  ଉଦ୍ଦେଶ୍ୟ ନଥାଏ । ତା’ହେଲେ ଉପାୟ? ଏହା ଆପଣଙ୍କ  ହାତମୁଠାରେ ହିଁ ଅଛି । ଫୋନ୍‌କୁ ନିଜ ପାଖରୁ କିଛି  ସମୟ ପାଇଁ ଦୂରେଇ ରଖନ୍ତୁ । ନହେଲେ ଦୁହେଁ ମିଶି  ଡିଜିଟାଲ୍‌ ଡିଟକ୍ସର ସହାୟତା ନେଇପାରିବେ । କେବଳ  ଦାମ୍ପତ୍ୟ ସଂପର୍କ ନୁହେଁ ବରଂ ବନ୍ଧୁତ୍ୱରେ ବି ଫାଟ ସୃଷ୍ଟି  କରିପାରେ ‘ଆଟେନସନ୍‌ ଇନଫିଡେଲିଟି ।’

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button