ସଂସଦରେ ନୂଆ ଇତିହାସ: ବିନା ପ୍ରୋରୋଗରେ ବିତିଲା ୮୮ ଦିନ, ଭାଙ୍ଗିଲା ୧୮ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୧୦/୧୧: ସଂସଦରେ ଆଜି ନୂଆ ଇତିହାସ ସୃଷ୍ଟି ହୋଇଛି । ବିନା ପ୍ରୋରୋଗ (ଅଧିବେଶନ ସମାପ୍ତ)ରେ ସଂସଦକୁ ୮୮ ଦିନ ହେଲା ଝୁଲାଇ ରଖାଯାଇଛି । ଗତ ମୌସୁମୀ ଅଧିବେଶନ ଶେଷ ହେବା ପରେ ଅଗଷ୍ଟ ୧୩ରେ ସଂସଦର ଉଭୟ ଗୃହକୁ ଅନିଶ୍ଚିତ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା । କିନ୍ତୁ ପରେ ତାକୁ ପ୍ରୋରୋଗ କରିବା କଥା । ହେଲେ ୮୮ ଦିନ ବିତିଯାଇଥିଲେ ମଧ୍ୟ ଏହାକୁ ଔପଚାରିକ ଭାବେ ସମାପ୍ତ ଘୋଷଣା କରାଯାଇନାହିଁ । ଯାହାକି ୧୮ ବର୍ଷର ରେକର୍ଡ ଭଙ୍ଗ ହୋଇଛି । ୨୦୦୮ରେ ବିନା ପ୍ରୋରୋଗରେ ସଂସଦକୁ ୮୭ ଦିନ ଝୁଲାଇ ରଖାଯାଇଥିଲା ।
ତେବେ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗିରହିଛି । ପ୍ରଶ୍ନ ଉଠୁଛି କି ଏହା ପଛରେ କାରଣ କ’ଣ ରହିଛି । ସୋମବାର ସନ୍ଧ୍ୟା ସୁଦ୍ଧା ଲୋକସଭା କିମ୍ବା ରାଜ୍ୟସଭା ପକ୍ଷରୁ ବିଧିବଦ୍ଧ ଭାବେ ଅଧିବେଶନ ସମାପ୍ତ ଘୋଷଣା କରାଯାଇନାହିଁ । ତେଣୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେକୌଣସି ସମୟରେ ମଧ୍ୟ ସଂସଦର ଅଧିବେଶନ ଡକାଯିବାର ସମ୍ଭାବନା ରହିଛି । ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସମ୍ବିଧାନ ସଂଶୋଧନ ବିଧେୟକକୁ ନେଇ ଚର୍ଚ୍ଚା ଲାଗି ରହିଛି । ସରକାର ଏହି ବିଧେୟକକୁ ଆଣିବା ଲାଗି ସଂସଦକୁ ପ୍ରୋରୋଗ କରିନାହାନ୍ତି । ଏହି ବିଧେୟକରେ ଲୋକସଭାର ସଦସ୍ୟ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି କରାଯିବାର ପ୍ରାବଧାନ ରହିଛି । ବଜେଟ ଅଧିବେଶନ ବେଳେ ଗତ ଏପ୍ରିଲରେ ସଂଖ୍ୟା ଅଭାବରୁ ଏହି ବିଧେୟକ ଲୋକସଭାରେ ଫେଲ୍ ହୋଇଥିଲା ।
ନିୟମ ଅନୁସାରେ ସରକାର ଯଦି ଏହି ବିଧେୟକ ଉପରେ କୌଣସି ସ୍ୱତନ୍ତ୍ର ଅଧିବେଶନ କିମ୍ବା ବିସ୍ତାରିତ ଅଧିବେଶନ ଡାକିବେ ତେବେ ତାହା ୨ ଦିନ ହିଁ ପର୍ଯ୍ୟାପ୍ତ ହେବ । ସେଥିପାଇଁ ସଂସଦକୁ ପ୍ରୋରୋଗ କରିନାହାନ୍ତି । କିନ୍ତୁ ଯଦି ପ୍ରୋରୋଗ କରନ୍ତି ତେବେ ସାନି ଅଧିବେଶନ ଡାକିବାକୁ ହେଲେ ୧୪ ଦିନ ଗୃହ ଚଳାଇବାକୁ ପଡିବ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କୌଣସି ଅଧିବେଶନ ଶେଷ ହେବା ପରେ ସଂସଦକୁ ପ୍ରୋରୋଗ କରିବା ଲାଗି ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ । ତେଣୁ ଏତେ ଦିନ ଧରି ସଂସଦକୁ ପ୍ରୋରୋଗ ନ କରିବା କୌଣସି ଅସାମ୍ବିଧାନିକ କିମ୍ବା ଅନିୟମିତ ପ୍ରକ୍ରିୟା ନୁହେଁ । ଇତିହାସକୁ ଦେଖିଲେ ୨୦୦୮ରେ ୮୭ ଦିନ, ୧୯୮୭ରେ ୭୬ ଦିନ ଏବଂ ୧୯୮୯ରେ ୫୪ ଦିନ ବିନା ପ୍ରୋରୋଗରେ ସଂସଦକୁ ଝୁଲାଇ ରଖାଯାଇଥିଲା ।
ସୌଜନ୍ୟ ପ୍ରମେୟ




