ମୁମ୍ବାଇ: ବକ୍ସ ଅଫିସ୍ରେ ଆୟର ସମସ୍ତ ରେକର୍ଡ ଭାଙ୍ଗିବା ପରେ ଏବେ ଓସ୍କାରରେ ନିଜର ଉପସ୍ଥିତି ଜାହିର କରିବାକୁ ପ୍ରସ୍ତୁତ ହୋଇଛି ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’। ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ବ୍ଲକ୍ବଷ୍ଟର ଫିଲ୍ମ ୯୯ତମ ଏକାଡେମୀ ଆୱାର୍ଡସ୍ (ଓସ୍କାର) ଦୌଡ଼ରେ ଜବରଦସ୍ତ ଏଣ୍ଟ୍ରି ମାରିଛି। କିନ୍ତୁ ଏହି କାହାଣୀର ସବୁଠାରୁ ବଡ଼ ରୋଚକ ଦିଗ ହେଉଛି, ଭାରତ ପକ୍ଷରୁଓସ୍କାର ପାଇଁ ଆନୁଷ୍ଠାନିକ ଭାବେ ଅନ୍ୟ ଏକ ଫିଲ୍ମକୁ ଚୟନ କରାଯାଇଛି। ଏଭଳି ସ୍ଥିତିରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି, ଭାରତର ଅଫିସିଆଲ୍ ଏଣ୍ଟ୍ରି ନ ହୋଇ ମଧ୍ୟ ‘ରାମାୟଣ’ କିପରି ଓସ୍କାରର ଏହି ବଡ଼ ମଞ୍ଚରେ ପହଞ୍ଚିଲା?
ଓସ୍କାର ଦୌଡ଼ରେ କିପରି ସାମିଲ ହେଲା ‘ରାମାୟଣ’?
ଫିଲ୍ମ ‘ରାମାୟଣ’ର ନିର୍ମାତାମାନେ ଏହାକୁ ୯୯ତମ ଏକାଡେମୀ ଆୱାର୍ଡସ୍ ପାଇଁ ପଠାଇଛନ୍ତି। ତେବେ ଏହାର ଅର୍ଥ ନୁହେଁ ଯେ ଫିଲ୍ମଟି ଓସ୍କାର ପାଇଁ ମନୋନୀତ ହୋଇସାରିଛି। ବର୍ତ୍ତମାନ ଏହାକୁ ପୁରସ୍କାର ଦୌଡ଼ରେ ସାମିଲ ହେବା ପାଇଁ ଆବେଦନ କରାଯାଇଛି। ପ୍ରକୃତରେ, ଚଳିତ ବର୍ଷ ଭାରତ ପକ୍ଷରୁ ମରାଠୀ ଫିଲ୍ମ ‘ଗୋନ୍ଧଲ’କୁ ଇଣ୍ଟରନ୍ୟାସନାଲ୍ ଫିଚର୍ ଫିଲ୍ମ ବର୍ଗରେ ଆନୁଷ୍ଠାନିକ ଏଣ୍ଟ୍ରି ଭାବେ ଚୟନ କରାଯାଇଛି। କିନ୍ତୁ କୌଣସି ଦେଶର ଆନୁଷ୍ଠାନିକ ଏଣ୍ଟ୍ରି ଚୟନ ହେବାର ଅର୍ଥ ନୁହେଁ ଯେ ସେହି ଦେଶର ଅନ୍ୟ ଫିଲ୍ମଗୁଡ଼ିକ ଓସ୍କାର ପାଇଁ ନିଜର ଦାବି ଉପସ୍ଥାପନ କରିପାରିବେ ନାହିଁ। ଯଦି କୌଣସି ଫିଲ୍ମ ଏକାଡେମୀ ପକ୍ଷରୁ ନିର୍ଦ୍ଧାରିତ ନିୟମ ଓ ସର୍ତ୍ତ ପୂରଣ କରେ, ତେବେ ଏହାର ନିର୍ମାତାମାନେ ନିଜ ଉଦ୍ୟମରେ ସ୍ୱତନ୍ତ୍ର ଭାବେ ମଧ୍ୟ ଆବେଦନ କରିପାରିବେ।
ରିଲିଜ୍ ପରେ ବକ୍ସ ଅଫିସ୍ରେ ମଧ୍ୟ ଫିଲ୍ମଟି ଜବରଦସ୍ତ ପ୍ରଦର୍ଶନ କରିଛି। ରିପୋର୍ଟ ଅନୁଯାୟୀ, ମାତ୍ର ୬ ଦିନ ମଧ୍ୟରେ ଫିଲ୍ମଟି ଭାରତରେ ୪୦୩.୯୫ କୋଟି ଟଙ୍କାରୁ ଅଧିକ ଗ୍ରସ୍ କଲେକ୍ସନ୍ କରିଥିବା ବେଳେ ବିଶ୍ୱବ୍ୟାପୀ ଏହାର ଆୟ ପ୍ରାୟ ୬୭୩.୯୦ କୋଟି ଟଙ୍କାରେ ପହଞ୍ଚିଥିଲା।
‘ରାମାୟଣ’ ବ୍ୟତୀତ ଏହି ଭାରତୀୟ ଫିଲ୍ମଗୁଡ଼ିକୁ ନେଇ ମଧ୍ୟ ଚର୍ଚ୍ଚା
ଓସ୍କାର ଦୌଡ଼ରେ ଭାରତୀୟ ଫିଲ୍ମଗୁଡ଼ିକର ଉପସ୍ଥିତିକୁ ନେଇ ଆଲୋଚନା କଲେ, ମରାଠୀ ଫିଲ୍ମ ‘ଗୋନ୍ଧଲ’ ଭାରତର ଆନୁଷ୍ଠାନିକ ଏଣ୍ଟ୍ରି ହୋଇଛି। ସେହିପରି ନାଗା ଭାଷାର ଫିଲ୍ମ ‘ଆଙ୍ଗ୍’ ୨୦୨୬ ଟରଣ୍ଟୋ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ଲାଟଫର୍ମ ଆୱାର୍ଡ ଜିତି ଇଣ୍ଟରନ୍ୟାସନାଲ୍ ଫିଚର୍ ଫିଲ୍ମ ବର୍ଗରେ ସ୍ୱତନ୍ତ୍ର ଭାବେ ସ୍ଥାନ ହାସଲ କରିଛି।
ଏଭଳି ସ୍ଥିତିରେ ‘ରାମାୟଣ’ ଓସ୍କାର ଦୌଡ଼ରେ ସାମିଲ ହେବା ଭାରତୀୟ ସିନେମା ପାଇଁ ଅନ୍ତର୍ଜାତୀୟ ସ୍ତରରେ ନୂଆ ସମ୍ଭାବନାର ଦ୍ୱାର ଖୋଲୁଥିବା ଦେଖାଯାଉଛି। ତେବେ ଫିଲ୍ମଟି ଓସ୍କାର ପାଇଁ ନୋମିନେସନ୍ ହାସଲ କରିବ କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ବର୍ତ୍ତମାନ ପାଇଁ ରଣବୀର କପୁରଙ୍କ ଏହି ଫିଲ୍ମ ଓସ୍କାର ଦୌଡ଼ରେ ସାମିଲ ହେବା ଖବରକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି।
ସୌଜନ୍ୟ ସମ୍ବାଦ