ମଣିଷର ଅଭ୍ୟାସ ବଡ଼ ବିଚିତ୍ର। ପେଟପୂରା ଖାଇସାରିବା ପରେ ବି ଯେତେବେଳେ କେହି ମିଠାଟିଏ ବଢ଼ାଇଦିଏ, ମନା କରିବା ପାଖାପାଖି ଅସମ୍ଭବ ହୋଇପଡ଼େ। ଖାଇବା ଶେଷରେ ଟିକିଏ ମିଠା ଖାଇବାର ଏହି ଆବଶ୍ୟକତା କେବଳ ଆପଣଙ୍କର ଏକା ନୁହେଁ, ଏହା ଏକ ସାଧାରଣ ପ୍ରକୃତି। କିନ୍ତୁ ଆପଣ କେବେ ଭାବିଛନ୍ତି, ପେଟପୂରା ଖାଇସାରିବା ପରେ ବି ମସ୍ତିଷ୍କ କାହିଁକି ମିଠା ଖାଇବାକୁ ଇଚ୍ଛା କରେ?
ଏହା ପଛରେ କେବଳ ଜିଭର ଲାଳସା କିମ୍ବା ଇଚ୍ଛାଶକ୍ତିର ଅଭାବ ନାହିଁ; ରହିଛି କିଛି ଆଶ୍ଚର୍ଯ୍ୟଜନକ ଶାରୀରିକ ଓ ମାନସିକ କାରଣ। ଯଦି ଆପଣଙ୍କ ଭୋଜନରେ ଅରୁଆ ଭାତ, ମଇଦା ତିଆରି ଖାଦ୍ୟ କିମ୍ବା ପ୍ରକ୍ରିୟାକୃତ ଖାଦ୍ୟ ଭଳି ରିଫାଇନ୍ଡ କାର୍ବୋହାଇଡ୍ରେଟ୍ ଅଧିକ ଥାଏ, ତେବେ ତାହା ରକ୍ତରେ ଗ୍ଲୁକୋଜର ପରିମାଣକୁ ଖୁବ୍ ଦ୍ରୁତ ଗତିରେ ବଢ଼ାଇଦିଏ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଶରୀରରେ ‘ଇନସୁଲିନ୍’ ହରମୋନ୍ ନିର୍ଗତ ହୁଏ। ରକ୍ତରେ ଗ୍ଲୁକୋଜ ଓ ଇନସୁଲିନ୍ର ଏହି ହଠାତ୍ ପରିବର୍ତ୍ତନ ଯୋଗୁଁ ମସ୍ତିଷ୍କ ଶୀଘ୍ର ଶକ୍ତି ଆବଶ୍ୟକ କରେ, ଯାହା ମିଠା ଖାଇବାର ତୀବ୍ର ଇଚ୍ଛା ସୃଷ୍ଟି କରିଥାଏ। ଆପଣଙ୍କ ଥାଳିରେ ଯଦି ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍, ଫାଇବର୍ ଓ ସୁସ୍ଥ ସ୍ନେହସାର ନଥାଏ, ତେବେ ପେଟ ଭରିଗଲେ ବି ପୂର୍ଣ୍ଣ ଆତ୍ମସନ୍ତୋଷ ମିଳି ନଥାଏ। ଫାଇବର୍ ଓ ପ୍ରୋଟିନ୍ ହଜମ ପ୍ରକ୍ରିୟାକୁ ଧୀର କରି ପେଟକୁ ଅଧିକ ସମୟ ଯାଏଁ ପୂର୍ଣ୍ଣ ରଖନ୍ତି।
ପିଲାଦିନରୁ ହିଁ ଆମ ମସ୍ତିଷ୍କକୁ ଏକ ଅଭ୍ୟାସରେ ପକାଇ ଦିଆଯାଏ ଯେ ଭୋଜନ ଶେଷରେ ମିଠା ଖାଇବା ଉଚିତ। ଯେତେବେଳେ ଆପଣ ମିଠା ଖାଆନ୍ତି, ମସ୍ତିଷ୍କରେ ‘ଡୋପାମିନ୍’ ନାମକ ଆନନ୍ଦଦାୟକ ହରମୋନ୍ ନିର୍ଗତ ହୁଏ। ଫଳରେ ମସ୍ତିଷ୍କ ଖାଇବା ଶେଷକୁ ମିଠା ସହ ଯୋଡ଼ିଦିଏ ଓ ନିୟମିତ ଭାବେ ଏହି ସଙ୍କେତ ପଠାଏ। ଶୋଇବାରେ ଅବହେଳା କିମ୍ବା ମାନସିକ ଚାପ ଆପଣଙ୍କ ଭୋକ-ନିୟନ୍ତ୍ରଣକାରୀ ହରମୋନ୍ ଯଥା ଘ୍ରେଲିନ୍ ଓ ଲେପ୍ଟିନ୍ର ସନ୍ତୁଳନ ବିଗାଡ଼ିଦିଏ। ନିଦ ପୂରା ନହେଲେ ଶରୀର ଶୀଘ୍ର ଶକ୍ତି ପାଇବା ପାଇଁ ସିଧାସଳଖ ଶର୍କରାଯୁକ୍ତ ଖାଦ୍ୟ ଖୋଜିଥାଏ। ସେଥିପାଇଁ ଖାଦ୍ୟକୁ ଆସ୍ତେ ଆସ୍ତେ ଚୋବାଇ ଖାଇଲେ ମସ୍ତିଷ୍କ ପାଖକୁ ପେଟ ପୂରିବାର ସଙ୍କେତ ଠିକ୍ ସମୟରେ ପହଞ୍ଚିଥାଏ।
ସୌଜନ୍ୟ ସମ୍ବାଦ