ବିଶେଷ

Dark magic mushroom: ବିଶ୍ୱର ପ୍ରଥମ ‘ଡାର୍କ ମ୍ୟାଜିକ୍ ମସରୁମ୍’

ପ୍ରକୃତିର କୋଳରେ ଅନେକ ରହସ୍ୟ ଲୁଚି ରହିଛି, ଯାହା ବେଳେବେଳେ ବୈଜ୍ଞାନିକମାନଙ୍କୁ ମଧ୍ୟ ଚକିତ କରିଦିଏ। ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡାରୁ ଏପରି ଏକ ବିରଳ ଛତୁ ଆବିଷ୍କୃତ ହୋଇଛି, ଯାହାକୁ ବୈଜ୍ଞାନିକମାନେ ‘ଡାର୍କ ମ୍ୟାଜିକ୍ ମସରୁମ୍’ ଭାବେ ନାମିତ କରିଛନ୍ତି।

ପ୍ରକୃତିର କୋଳରେ ଅନେକ ରହସ୍ୟ ଲୁଚି ରହିଛି, ଯାହା ବେଳେବେଳେ ବୈଜ୍ଞାନିକମାନଙ୍କୁ ମଧ୍ୟ ଚକିତ କରିଦିଏ। ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡାରୁ ଏପରି ଏକ ବିରଳ ଛତୁ ଆବିଷ୍କୃତ ହୋଇଛି, ଯାହାକୁ ବୈଜ୍ଞାନିକମାନେ ‘ଡାର୍କ ମ୍ୟାଜିକ୍ ମସରୁମ୍’ ଭାବେ ନାମିତ କରିଛନ୍ତି। ଏପରି ନାମକରଣ ପଛର କାରଣ ହେଲା ଏଥିରେ ମାଦକଦ୍ରବ୍ୟ ସହିତ ଅତ୍ୟନ୍ତ ମାରାତ୍ମକ ବିଷ ମଧ୍ୟ ରହିଛି।

ଫ୍ଲୋରିଡାର ସନ୍ତସନ୍ତିଆ ଜଙ୍ଗଲରେ ଠାବ ହୋଇଥିବା ଏହି ଛୋଟ ବାଦାମୀ ରଙ୍ଗର ଛତୁର ବୈଜ୍ଞାନିକ ନାମ ହେଉଛି ‘ଗାଲେରିନା ଇଣ୍ଡିକା’। ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହାକୁ ଆବିଷ୍କାର କରିଛନ୍ତି। ଛତା ଆକୃତିର ଏହି ଛତୁ ଭିତରେ ଦୁଇଟି ଅତ୍ୟନ୍ତ ଶକ୍ତିଶାଳୀ ରାସାୟନିକ ଉପାଦାନ ଏକାଠି ଦେଖିବାକୁ ମିଳିଛି। ପ୍ରଥମଟି ସାଇଲୋସାଇବିନ୍। ଏହା ଏକ ପ୍ରକାର ନିଶା ବା ଭ୍ରମ ସୃଷ୍ଟିକାରୀ ଉପାଦାନ, ଯାହା ସାଧାରଣତଃ ‘ମ୍ୟାଜିକ୍ ମସରୁମ୍’ରେ ମିଳିଥାଏ। ଏହା ମଣିଷର ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ଦ୍ବିତୀୟ ରାସାୟନିକ ହେଉଛି ଆମାଟକ୍ସିନ୍, ଯାହା ପ୍ରକୃତରେ ମିଳୁଥିବା ସବୁଠାରୁ ମାରାତ୍ମକ ବିଷ ମଧ୍ୟରୁ ଅନ୍ୟତମ। ଛତୁ ଖାଇ ମୃତ୍ୟୁବରଣ କରୁଥିବା ଅଧିକାଂଶ ଘଟଣା ପଛରେ ଏହି ବିଷ ହିଁ ଦାୟୀ। ପୂର୍ବରୁ ଏହି ଦୁଇଟି ଉପାଦାନ ଭିନ୍ନ ଭିନ୍ନ ପ୍ରଜାତିର ଛତୁରେ ମିଳୁଥିଲା। କିନ୍ତୁ ଗୋଟିଏ ଛତୁ ଭିତରେ ଉଭୟ ନିଶାଦ୍ରବ୍ୟ ଓ ମାରାତ୍ମକ ବିଷ ଏକାଠି ମିଳିବାରେ ଏହା ବିଶ୍ବର ପ୍ରଥମ ଘଟଣା। ୨୦୨୫ ମସିହାରେ ରସାୟନବିତ୍‌ ତଥା କବକ ବିଜ୍ଞାନୀ ଆଣ୍ଡ୍ରିୟୁ କୁନିକ୍ ଫ୍ଲୋରିଡାର ଆର୍ଦ୍ରଭୂମିରେ ଶିଉଳି ଲାଗିଥିବା ତାଳ ଗଛ ଗଣ୍ଡିରୁ ଏହି ଛତୁଟିକୁ ଆବିଷ୍କାର କରିଥିଲେ।

ଗବେଷକମାନଙ୍କ ମତରେ, ବିବର୍ତ୍ତନ ପ୍ରକ୍ରିୟାରେ ଏହି ଛତୁ ଅନ୍ୟ ପ୍ରଜାତିର କବକମାନଙ୍କ ସହିତ ନିଜର ଡିଏନ୍ଏ ଆଦାନପ୍ରଦାନ କରିଛି। ଫଳସ୍ବରୂପ ଏହା ଉଭୟ ସାଇଲୋସାଇବିନ୍ ଓ ଆମାଟକ୍ସିନ୍ ତିଆରି କରିବାର କ୍ଷମତା ହାସଲ କରିଛି। ଆଣ୍ଡ୍ରିୟୁ କୁନିକ୍‌ଙ୍କ ଅନୁଯାୟୀ, ଜୀବଜନ୍ତୁଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ସମ୍ଭବତଃ ଏହି ଛତୁ ନିଜ ଭିତରେ ଏପରି ମାରାତ୍ମକ ବିଷ ତିଆରି କରିଥାଏ। ‘ଗାଲେରିନା ଇଣ୍ଡିକା’ ଦେଖିବାକୁ ସାଧାରଣ ଛତୁ ପରି ହୋଇଥିବାରୁ ଏହାକୁ ଚିହ୍ନିବା ଅତ୍ୟନ୍ତ କଷ୍ଟକର। ତେଣୁ ଜଙ୍ଗଲରୁ ମିଳୁଥିବା କୌଣସି ଅଜଣା ଛତୁ ଖାଇବା ଅନୁଚିତ।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button