ରାଜ୍ୟ

Tige Special: ସାଥୀ ଓ ଖାଦ୍ୟ ଖୋଜିବାକୁ ମହାବଳଙ୍କ ମାଇଲ୍‌ ମାଇଲ୍‌ ଯାତ୍ରା, କାହାକୁ ଭଲ ଲାଗୁଛି ଓଡ଼ିଶା ଜଙ୍ଗଲ, କିଏ ଫେରୁଛି ନିଜ ରାଇଜକୁ

ଭୁବନେଶ୍ୱର ୧୬/୧୧ (ଅମ୍ବିକା ପ୍ରସାଦ ପଟ୍ଟନାୟକ, ସମ୍ବିତ୍ କୁମାର ବେହେରା ): ନିଜ ଇଲାକା ଖୋଜିବାରେ ବାହାରି ପଡୁଛନ୍ତି ମହାବଳ । ନିଜ ରାଇଜ ଛାଡ଼ି ଅନ୍ୟ ରାଜ୍ୟକୁ ପଳାଉଛନ୍ତିି । ମୁଖ୍ୟ ଉଦ୍ଦେଶ୍ୟ, ଖାଦ୍ୟ ଆଉ  ସାଥୀ ଖୋଜିବା । ଚାଲିକି ମାଇଲ୍‌ ମାଇଲ୍‌ ଦୂର ଅତିକ୍ରମ କରୁଛନ୍ତି । ଓଡ଼ିଶା ଜଙ୍ଗଲକୁ ବି ଖେଦି ଯାଉଛନ୍ତି । ଏଠାକାର ଇଲାକାକୁ କିଛି ପସନ୍ଦ କରୁଛନ୍ତି । ସାଥୀ ପାଇଗଲେ, ସ୍ଥାୟୀ ବାସିନ୍ଦା ପାଲଟୁଛନ୍ତି । ନହେଲେ, ଓଡ଼ିଶା ଜଙ୍ଗଲରୁ ମୁହଁ ଫେରାଇ ନେଉଛନ୍ତି । ଆମ ରାଇଜକୁ ଅସିଥିବା କିଛି ଅତିଥି ମହାବଳଙ୍କୁ ନେଇ ଆମର ଏହି ଉପସ୍ଥାପନା..

ବାଘଙ୍କ ପ୍ରେମ ନିଶା

ଜଙ୍ଗଲୀ ବାଘଙ୍କ ପ୍ରେମ ନିଶା ବିଷୟରେ ଜାଣିଲେ  ଆପଣମାନେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ପ୍ରେମ  ପାଇଁ ଶହେ କି ଦୁଇଶହ କିଲୋମିଟର ନୁହେଁ । ପ୍ରାୟ ଦେଢ ହଜାର  କିମି ପାର୍‌ କରି ଏକ ଯୁବ  ମହାବଳ ମହାରାଷ୍ଟ୍ର  ତଡ଼ଭା ଜଙ୍ଗଲରୁ  ଆସି ଓଡ଼ିଶାର  ଶିମିଳିପାଳ  ଜଙ୍ଗଲରେ  ପହଞ୍ଚିଛି ।  ମରାଠା ସୁନ୍ଦରୀ  ବାଘୁଣୀ ‘ଜିନ୍ନତ’  ପ୍ରେମରେ ବାଉଳା  ହୋଇ ଏଠାକୁ  ଆସି ଆଉ ଫେରୁନାହିଁ  ବୋଲି ଶିମିଳିପାଳ  କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।  ୨୦୨୪ ମସିହା ନଭେମ୍ବରରେ ମହାରାଷ୍ଟ୍ର  ତଡ଼ଭା-ଅନ୍ଧାରୀ ପ୍ରକଳ୍ପରୁ ୩ ବର୍ଷୀୟା ବାଘୁଣୀ  ଜିନ୍ନତକୁ ଶିମିଳିପାଳକୁ ଅଣାଯାଇଥିଲା ।  ୨୦୨୫  ଅଗଷ୍ଟ-ସେପ୍ଟେମ୍ବର ମାସରେ ଏହି ଯୁବ ମହାବଳ  ମହାରାଷ୍ଟ୍ରରୁ ଛତିଶଗଡ଼ ପଟୁ ଓଡି଼ଶା ସୀମା  ଡେଇଁ ସୁନ୍ଦରଗଡ଼, ବଣାଇ ଜଙ୍ଗଲରେ ପାଦ  ଥାପିଥିଲା । ପରେ ବାମରା-ଗଙ୍ଗପୁର ଜଙ୍ଗଲ  ଦେଇ ଦେବଗଡ଼, କାମାକ୍ଷାନଗର ଓ କେନ୍ଦୁଝର  ଜଙ୍ଗଲରେ ଘୁରି ବୁଲିଲା । ଡିସେମ୍ବର ମାସରେ  ଶିମିଳିପାଳରେ ପଶିଥିଲା ।

ସେହିମାସ ୨୪  ତାରିଖରେ ଜଙ୍ଗଲରେ ଖଞ୍ଜାଯାଇଥିବା ଟ୍ରାପ୍‌  କ୍ୟାମେରା ପ୍ରଥମଥର ପାଇଁ ଏହି  ମହାବଳର ଭିଡିଓ ଉତ୍ତୋଳନ  ହୋଇଥିଲା । ତା’ପରେ  ଶିମିଳିପାଳରେ ହିଁ  ତା’ର ଜିନ୍ନତ ସହ  ଭେଟ ହୋଇଥିବା  ବନବିଭାଗ  ପକ୍ଷରୁ ସୂଚନା  ମିଳିଥିଲା ।  ତେଣୁ ଜିନ୍ନତ  ପ୍ରେମରେ  ପଡ଼ି ମହାବଳ  ମହାରାଷ୍ଟ୍ରରୁ  ଓଡ଼ିଶା ପଳାଇ  ଆସିଥିବା ବନବିଭାଗ  ଅନୁମାନ କରୁଛି ।  ହେଲେ ସେତେବେଳକୁ ଶିମିଳିପାଳର  ଜଣାଶୁଣା ମେଲାନିଷ୍ଟିକ୍‌ ପ୍ରଜାତିର ହୃଷ୍ଟପୃଷ୍ଠ  ମହାବଳ ‘ଟି-୧୨’ ପ୍ରେମରେ ପଡ଼ି ଯାଇଥିଲା  ଜିନ୍ନତ । ବୟସ ୧୧ ଟପିବା ସତ୍ତେ୍ୱ ଟି-୧୨ର  ହୃଷ୍ଟପୃଷ୍ଟ ବଳିଷ୍ଠ ଚେହେରା ସାଢ଼େ ୩ ବର୍ଷୀୟା  ଚୁଲବୁଲି ଜିନ୍ନତକୁ ବେଶ୍‌ ଆକୃଷ୍ଟ କଲା । ଦୁହେଁ  ଢ଼େର୍‌ କିଛି ଦିନ ଜଙ୍ଗଲରେ ଏକାଠି ଘୁରି  ବୁଲିଲେ । ତା’ ପରେ ଉଭୟଙ୍କ ମିଳନରୁ ଜିନ୍ନତ  ମା’ ହୋଇ ଏବେ ୪ ସନ୍ତାନର ଜନନୀ ।

ଏହି ବାଟ ଦେଇ ଆସୁଛନ୍ତି

ସାଧାରଣତଃ, ଦେଶର ୫ଟି ପ୍ରମୁଖ ଲ୍ୟାଣ୍ଡସ୍କେପ୍‌ରୁ ‘ମଧ୍ୟ  ଭାରତୀୟ-ପୂର୍ବ ଘାଟ’ ଲ୍ୟାଣ୍ଡସ୍କେପ ହିଁ ଓଡ଼ିଶାକୁ ସିଧାସଳଖ ଭେଦିଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଛତିଶଗଡ଼, ଝାରଖଣ୍ଡ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର କିଛି ଅଂଶକୁ ନେଇ  ଗଢ଼ା ଏହି ସର୍ବବୃହତ ଲ୍ୟାଣ୍ଡସ୍କେପ୍‌ । ୭ଟି ରାଜ୍ୟ ହେଉଛି  ବାଘମାମୁଙ୍କ ଚରାଭୂଇଁ । କାହିଁ ଆଦି କାଳରୁ ମହାରାଷ୍ଟ୍ରର  ତଡ଼ଭା-ଅନେ୍ଧରୀ, ମଧ୍ୟପ୍ରଦେଶର କାହ୍ନା, ପେଞ୍ଚ ଓ  ବାନ୍ଧବଗଡ଼, ଛତିଶଗଡ଼ର ଉଦନ୍ତି-ସୀତାନଦୀ ଓ ଇନ୍ଦିରାବତୀ  ଭଳି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ରୁଟ୍‌ ଦେଇ ଓଡ଼ିଶାକୁ ଯା’ଆସ  କରନ୍ତି ମହାବଳ । ଆନ୍ଧ୍ରପ୍ରଦେଶର ନାର୍ଗାଜୁନସାଗର ଶ୍ରୀଶୈଳମ ଟାଇଗର ରିଜର୍ଭ (ଏନ୍‌ଏସଟିଆର)ରୁ ‘ଇଷ୍ଟର୍ଣ୍ଣ  ଘାଟ’ ଡେଇଁ ଏବେ ଏବେ କୋରାପୁଟ, ମାଲକାନଗିରିକୁ  ଭେଦୁଛନ୍ତି ମହାବଳ । ସେଠାକାର ମହାବଳ ସଂଖ୍ୟା ୭୫  ଟପିଯିବ । କିନ୍ତୁ ଓଡ଼ିଶାର ଜଙ୍ଗଲ ଏନ୍‌ଏସଟିଆର ମହାବଳଙ୍କୁ  ସେତେଟା ପସନ୍ଦ ଆସୁନି । ଏହାପଛର କାରଣ ହେଉଛି  ଖାଦ୍ୟାଭାବ । ୨୯ ହଜାର ବର୍ଗ ମାଇଲ୍‌ ଯାଏ ଲମ୍ବିଥିବା ଇଷ୍ଟର୍ଣ୍ଣ ଘାଟ ପାର୍‌ କରିବା ବି ଢେର୍‌ କଷ୍ଟସାଧ୍ୟ । ବିଶେଷକରି, ୨ଟି  ଲ୍ୟାଣ୍ଡସ୍କେପରୁ ଆସୁଥିବା ବାଘ ଶିମିଳିପାଳ, ଡେବ୍ରିଗଡ଼ ଓ  ସାତକୋଶିଆରେ ରହିବାକୁ ପସନ୍ଦ କରୁଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button