Tige Special: ସାଥୀ ଓ ଖାଦ୍ୟ ଖୋଜିବାକୁ ମହାବଳଙ୍କ ମାଇଲ୍ ମାଇଲ୍ ଯାତ୍ରା, କାହାକୁ ଭଲ ଲାଗୁଛି ଓଡ଼ିଶା ଜଙ୍ଗଲ, କିଏ ଫେରୁଛି ନିଜ ରାଇଜକୁ

ଭୁବନେଶ୍ୱର ୧୬/୧୧ (ଅମ୍ବିକା ପ୍ରସାଦ ପଟ୍ଟନାୟକ, ସମ୍ବିତ୍ କୁମାର ବେହେରା ): ନିଜ ଇଲାକା ଖୋଜିବାରେ ବାହାରି ପଡୁଛନ୍ତି ମହାବଳ । ନିଜ ରାଇଜ ଛାଡ଼ି ଅନ୍ୟ ରାଜ୍ୟକୁ ପଳାଉଛନ୍ତିି । ମୁଖ୍ୟ ଉଦ୍ଦେଶ୍ୟ, ଖାଦ୍ୟ ଆଉ ସାଥୀ ଖୋଜିବା । ଚାଲିକି ମାଇଲ୍ ମାଇଲ୍ ଦୂର ଅତିକ୍ରମ କରୁଛନ୍ତି । ଓଡ଼ିଶା ଜଙ୍ଗଲକୁ ବି ଖେଦି ଯାଉଛନ୍ତି । ଏଠାକାର ଇଲାକାକୁ କିଛି ପସନ୍ଦ କରୁଛନ୍ତି । ସାଥୀ ପାଇଗଲେ, ସ୍ଥାୟୀ ବାସିନ୍ଦା ପାଲଟୁଛନ୍ତି । ନହେଲେ, ଓଡ଼ିଶା ଜଙ୍ଗଲରୁ ମୁହଁ ଫେରାଇ ନେଉଛନ୍ତି । ଆମ ରାଇଜକୁ ଅସିଥିବା କିଛି ଅତିଥି ମହାବଳଙ୍କୁ ନେଇ ଆମର ଏହି ଉପସ୍ଥାପନା..
ବାଘଙ୍କ ପ୍ରେମ ନିଶା
ଜଙ୍ଗଲୀ ବାଘଙ୍କ ପ୍ରେମ ନିଶା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ପ୍ରେମ ପାଇଁ ଶହେ କି ଦୁଇଶହ କିଲୋମିଟର ନୁହେଁ । ପ୍ରାୟ ଦେଢ ହଜାର କିମି ପାର୍ କରି ଏକ ଯୁବ ମହାବଳ ମହାରାଷ୍ଟ୍ର ତଡ଼ଭା ଜଙ୍ଗଲରୁ ଆସି ଓଡ଼ିଶାର ଶିମିଳିପାଳ ଜଙ୍ଗଲରେ ପହଞ୍ଚିଛି । ମରାଠା ସୁନ୍ଦରୀ ବାଘୁଣୀ ‘ଜିନ୍ନତ’ ପ୍ରେମରେ ବାଉଳା ହୋଇ ଏଠାକୁ ଆସି ଆଉ ଫେରୁନାହିଁ ବୋଲି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ୨୦୨୪ ମସିହା ନଭେମ୍ବରରେ ମହାରାଷ୍ଟ୍ର ତଡ଼ଭା-ଅନ୍ଧାରୀ ପ୍ରକଳ୍ପରୁ ୩ ବର୍ଷୀୟା ବାଘୁଣୀ ଜିନ୍ନତକୁ ଶିମିଳିପାଳକୁ ଅଣାଯାଇଥିଲା । ୨୦୨୫ ଅଗଷ୍ଟ-ସେପ୍ଟେମ୍ବର ମାସରେ ଏହି ଯୁବ ମହାବଳ ମହାରାଷ୍ଟ୍ରରୁ ଛତିଶଗଡ଼ ପଟୁ ଓଡି଼ଶା ସୀମା ଡେଇଁ ସୁନ୍ଦରଗଡ଼, ବଣାଇ ଜଙ୍ଗଲରେ ପାଦ ଥାପିଥିଲା । ପରେ ବାମରା-ଗଙ୍ଗପୁର ଜଙ୍ଗଲ ଦେଇ ଦେବଗଡ଼, କାମାକ୍ଷାନଗର ଓ କେନ୍ଦୁଝର ଜଙ୍ଗଲରେ ଘୁରି ବୁଲିଲା । ଡିସେମ୍ବର ମାସରେ ଶିମିଳିପାଳରେ ପଶିଥିଲା ।
ସେହିମାସ ୨୪ ତାରିଖରେ ଜଙ୍ଗଲରେ ଖଞ୍ଜାଯାଇଥିବା ଟ୍ରାପ୍ କ୍ୟାମେରା ପ୍ରଥମଥର ପାଇଁ ଏହି ମହାବଳର ଭିଡିଓ ଉତ୍ତୋଳନ ହୋଇଥିଲା । ତା’ପରେ ଶିମିଳିପାଳରେ ହିଁ ତା’ର ଜିନ୍ନତ ସହ ଭେଟ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଥିଲା । ତେଣୁ ଜିନ୍ନତ ପ୍ରେମରେ ପଡ଼ି ମହାବଳ ମହାରାଷ୍ଟ୍ରରୁ ଓଡ଼ିଶା ପଳାଇ ଆସିଥିବା ବନବିଭାଗ ଅନୁମାନ କରୁଛି । ହେଲେ ସେତେବେଳକୁ ଶିମିଳିପାଳର ଜଣାଶୁଣା ମେଲାନିଷ୍ଟିକ୍ ପ୍ରଜାତିର ହୃଷ୍ଟପୃଷ୍ଠ ମହାବଳ ‘ଟି-୧୨’ ପ୍ରେମରେ ପଡ଼ି ଯାଇଥିଲା ଜିନ୍ନତ । ବୟସ ୧୧ ଟପିବା ସତ୍ତେ୍ୱ ଟି-୧୨ର ହୃଷ୍ଟପୃଷ୍ଟ ବଳିଷ୍ଠ ଚେହେରା ସାଢ଼େ ୩ ବର୍ଷୀୟା ଚୁଲବୁଲି ଜିନ୍ନତକୁ ବେଶ୍ ଆକୃଷ୍ଟ କଲା । ଦୁହେଁ ଢ଼େର୍ କିଛି ଦିନ ଜଙ୍ଗଲରେ ଏକାଠି ଘୁରି ବୁଲିଲେ । ତା’ ପରେ ଉଭୟଙ୍କ ମିଳନରୁ ଜିନ୍ନତ ମା’ ହୋଇ ଏବେ ୪ ସନ୍ତାନର ଜନନୀ ।
ଏହି ବାଟ ଦେଇ ଆସୁଛନ୍ତି
ସାଧାରଣତଃ, ଦେଶର ୫ଟି ପ୍ରମୁଖ ଲ୍ୟାଣ୍ଡସ୍କେପ୍ରୁ ‘ମଧ୍ୟ ଭାରତୀୟ-ପୂର୍ବ ଘାଟ’ ଲ୍ୟାଣ୍ଡସ୍କେପ ହିଁ ଓଡ଼ିଶାକୁ ସିଧାସଳଖ ଭେଦିଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଛତିଶଗଡ଼, ଝାରଖଣ୍ଡ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର କିଛି ଅଂଶକୁ ନେଇ ଗଢ଼ା ଏହି ସର୍ବବୃହତ ଲ୍ୟାଣ୍ଡସ୍କେପ୍ । ୭ଟି ରାଜ୍ୟ ହେଉଛି ବାଘମାମୁଙ୍କ ଚରାଭୂଇଁ । କାହିଁ ଆଦି କାଳରୁ ମହାରାଷ୍ଟ୍ରର ତଡ଼ଭା-ଅନେ୍ଧରୀ, ମଧ୍ୟପ୍ରଦେଶର କାହ୍ନା, ପେଞ୍ଚ ଓ ବାନ୍ଧବଗଡ଼, ଛତିଶଗଡ଼ର ଉଦନ୍ତି-ସୀତାନଦୀ ଓ ଇନ୍ଦିରାବତୀ ଭଳି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ରୁଟ୍ ଦେଇ ଓଡ଼ିଶାକୁ ଯା’ଆସ କରନ୍ତି ମହାବଳ । ଆନ୍ଧ୍ରପ୍ରଦେଶର ନାର୍ଗାଜୁନସାଗର ଶ୍ରୀଶୈଳମ ଟାଇଗର ରିଜର୍ଭ (ଏନ୍ଏସଟିଆର)ରୁ ‘ଇଷ୍ଟର୍ଣ୍ଣ ଘାଟ’ ଡେଇଁ ଏବେ ଏବେ କୋରାପୁଟ, ମାଲକାନଗିରିକୁ ଭେଦୁଛନ୍ତି ମହାବଳ । ସେଠାକାର ମହାବଳ ସଂଖ୍ୟା ୭୫ ଟପିଯିବ । କିନ୍ତୁ ଓଡ଼ିଶାର ଜଙ୍ଗଲ ଏନ୍ଏସଟିଆର ମହାବଳଙ୍କୁ ସେତେଟା ପସନ୍ଦ ଆସୁନି । ଏହାପଛର କାରଣ ହେଉଛି ଖାଦ୍ୟାଭାବ । ୨୯ ହଜାର ବର୍ଗ ମାଇଲ୍ ଯାଏ ଲମ୍ବିଥିବା ଇଷ୍ଟର୍ଣ୍ଣ ଘାଟ ପାର୍ କରିବା ବି ଢେର୍ କଷ୍ଟସାଧ୍ୟ । ବିଶେଷକରି, ୨ଟି ଲ୍ୟାଣ୍ଡସ୍କେପରୁ ଆସୁଥିବା ବାଘ ଶିମିଳିପାଳ, ଡେବ୍ରିଗଡ଼ ଓ ସାତକୋଶିଆରେ ରହିବାକୁ ପସନ୍ଦ କରୁଛନ୍ତି ।
ସୌଜନ୍ୟ ପ୍ରମେୟ




