ରାଜସ୍ବ କୋର୍ଟଗୁଡ଼ିକ କେତେ ନିରପେକ୍ଷ!
ରାଜସ୍ବ ନ୍ୟାୟାଳୟର ପରିସର, ମେମ୍ବରଙ୍କ କୋର୍ଟରୁ ନେଇ ତହସିଲଦାରଙ୍କ କୋର୍ଟ ପର୍ଯ୍ୟନ୍ତ, ବ୍ୟାପ୍ତ। ଏଗୁଡ଼ିକ, ମୁଖ୍ୟତଃ, ଜମିଜମା ରାଜସ୍ୱ, କୃଷି ଜମି ବିବାଦ ଏବଂ ଜମିର ସତ୍ତ୍ୱ ସମ୍ବନ୍ଧୀୟ ମାମଲାର ପରିଚାଳନା ଓ ମୀମାଂସା ଉଦ୍ଦେଶ୍ୟରେ ପ୍ରତିଷ୍ଠିତ।

ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ
ରାଜସ୍ବ ନ୍ୟାୟାଳୟର ପରିସର, ମେମ୍ବରଙ୍କ କୋର୍ଟରୁ ନେଇ ତହସିଲଦାରଙ୍କ କୋର୍ଟ ପର୍ଯ୍ୟନ୍ତ, ବ୍ୟାପ୍ତ। ଏଗୁଡ଼ିକ, ମୁଖ୍ୟତଃ, ଜମିଜମା ରାଜସ୍ୱ, କୃଷି ଜମି ବିବାଦ ଏବଂ ଜମିର ସତ୍ତ୍ୱ ସମ୍ବନ୍ଧୀୟ ମାମଲାର ପରିଚାଳନା ଓ ମୀମାଂସା ଉଦ୍ଦେଶ୍ୟରେ ପ୍ରତିଷ୍ଠିତ। ଜମି ରେକର୍ଡ, କୃଷି ଜମି ଆଇନ, ସୀମା ନିର୍ଦ୍ଧାରଣ ଏବଂ ଜମି ଖଜଣା ଆକଳନ ଭଳି ବିଷୟଗୁଡ଼ିକ, ଯେହେତୁ ପ୍ରଶାସନ ନିୟମାବଳୀ ସହ ଜଡ଼ିତ, ରାଜସ୍ୱ ଅଧିକାରୀ, ଯେପରିକି ତହସିଲଦାର ଓ କଲେକ୍ଟର ଆଦିଙ୍କ ଠାରେ ଏସବୁର ପ୍ରତ୍ୟକ୍ଷ ଅଭିଜ୍ଞତା ଥାଏ, ଯାହା ସାଧାରଣ ସିଭିଲ୍ ଜଜଙ୍କ ଠାରେ ପ୍ରାୟତଃ ନ ଥାଏ। ପୁଣି, ସିଭିଲ୍ କୋର୍ଟରେ ଅନେକ ପ୍ରକାରର ଅସଂଖ୍ୟ ମାମଲା ବିଚାର ଲାଗି ଆସୁଥିବା ହେତୁ ଜମିଜମା ଓ ରାଜସ୍ୱ ସମ୍ବନ୍ଧୀୟ ମାମଲାଗୁଡ଼ିକୁ ରାଜସ୍ୱ ଅଦାଲତକୁ ପଠାଇବା ମଧ୍ୟ ସମୀଚୀନ ମନେ ହୁଏ, କାରଣ ତଦ୍ଦ୍ବାରା ସିଭିଲ୍ କୋର୍ଟର କାର୍ଯ୍ୟଭାର କମିଥାଏ। କେବଳ ସେତିକି ନୁହେଁ, ରାଜସ୍ୱ ଅଧିକାରୀମାନେ ସରଜମିନ ତଦାରଖ, ସୀମା ଚିହ୍ନଟ ଓ ଜମି ମାପ କରି ପାରୁଥିବାରୁ ସିଭିଲ୍ କୋର୍ଟ ତୁଳନାରେ ଏଠାରେ ମାମଲାର ନିଷ୍ପତ୍ତି ଶୀଘ୍ର ହୋଇପାରେ ଏବଂ ଜମି-ଖଜଣା ଓ ସରକାରୀ ଜମିର ପରିଚାଳନା ଏବଂ ସରକାରୀ ଜମି ଜବରଦଖଲ ହଟାଇବା ଦିଗରେ ଏହି ଅଦାଲତଗୁଡ଼ିକ ତ୍ୱରିତ ପଦକ୍ଷେପ ନେଇପାରନ୍ତି।
ଉଲ୍ଲେଖଯୋଗ୍ୟ ଯେ ରାଜସ୍ୱ ବୋର୍ଡ ହେଉଛନ୍ତି ରାଜ୍ୟର ସର୍ବୋଚ୍ଚ ରାଜସ୍ୱ କର୍ତ୍ତୃପକ୍ଷ। ଏହା ଚୂଡ଼ାନ୍ତ ଅପିଲ/ରିଭିଜନ ଶୁଣାଣି କରିବା ସହିତ ସମସ୍ତ ରାଜସ୍ୱ ଅଦାଲତ ଉପରେ ନିୟନ୍ତ୍ରଣ ରଖେ। ବଡ଼ ଧରଣର ଜମି ଅଧିଗ୍ରହଣ ବିବାଦର ବିଚାର ଜିଲ୍ଲା ରାଜସ୍ୱ ପ୍ରଶାସନ ଦ୍ବାରା ହୁଏ। ଉପଜିଲ୍ଲାପାଳ ବା ସହକାରୀ ଜିଲ୍ଲାପାଳ, ଉପଖଣ୍ଡ ସ୍ତରରେ ଜମି ଭାଗବଣ୍ଟା, ଖଜଣା ବିବାଦ ଏବଂ ପ୍ରଥମ ଅପିଲର ଶୁଣାଣି କରନ୍ତି। ତହସିଲଦାରମାନେ ତହସିଲ ସ୍ତରରେ ଦାଖଲ-ଖାରଜ ବିବାଦ, ଜମି ସୀମା ନିର୍ଦ୍ଧାରଣ ଏବଂ ଖଜଣା ଆଦାୟ ଭଳି କାର୍ଯ୍ୟ ବୁଝନ୍ତି। ତେବେ, ଏଭଳି ସ୍ଥଳେ ଏକ ପ୍ରଶ୍ନ ଉଠେ ଯେ ଯେତେବେଳେ ଜମି ବିବାଦରେ ସରକାର ନିଜେ ଗୋଟିଏ ପକ୍ଷ ହୁଅନ୍ତି, ସେତେବେଳେ ରାଜସ୍ୱ ଅଦାଲତଗୁଡ଼ିକ ନିରପେକ୍ଷ ରହିପାରିବା ସମ୍ଭବ କି? କାରଣ ରାଜସ୍ୱ ଅଦାଲତର ବିଚାରପତି ଦାୟିତ୍ବରେ ଥିବା ତହସିଲଦାର, ଉପ-ଜିଲ୍ଲାପାଳ, ଜିଲ୍ଲାପାଳ ଆଦି କାର୍ଯ୍ୟନିର୍ବାହୀର ଅଂଶବିଶେଷ। ତେଣୁ କୌଣସି ଜମିଜମା ବିବାଦରେ ଯଦି ସାଧାରଣ ନାଗରିକ ବିରୋଧରେ ସରକାର ପକ୍ଷଭୁକ୍ତ ହୁଅନ୍ତି, ତେବେ, ସରକାରୀ ଭୂସଂପତ୍ତିକୁ ସୁରକ୍ଷା ଦେବାର ପ୍ରଶାସନିକ ଦାୟିତ୍ବ ଏବଂ ନିରପେକ୍ଷ ବିଚାରପତିର ଭୂମିକା ନିର୍ବାହ କରିବା ଏଭଳି ବିଚାରପତିମାନଙ୍କ ଲାଗି କଷ୍ଟକର ହୋଇ ପଡ଼େ। କେବଳ ସେତିକି ନୁହେଁ, ସିଭିଲ୍ କୋର୍ଟ ଜଜ୍ମାନଙ୍କ ପରି, ରାଜସ୍ୱ ଅଧିକାରୀମାନେ ନ୍ୟାୟପାଳିକାର ଅଧୀନରେ ନଥାନ୍ତି; ଅର୍ଥାତ୍, ସେମାନେ ‘ନ୍ୟାୟିକ ଅଧିକାରୀ ସୁରକ୍ଷା ଆଇନ ୧୮୫୦’ ଦ୍ୱାରା ସୁରକ୍ଷିତ ନୁହନ୍ତି। ସେମାନଙ୍କୁ ସାଂବିଧାନିକ ସ୍ୱାଧୀନତା’ ମିଳି ନଥାଏ। ପ୍ରଶାସନିକ ଅଧିକାରୀ ଭାବେ ବଦଳି, ପଦୋନ୍ନତି, ଉପରିସ୍ଥ ଅଧିକାରୀଙ୍କ ଗୋପନୀୟ ଚରିତ୍ର ପଞ୍ଜିକା ଏବଂ ସରକାରୀ ନୀତି ଆଦିର ଚାପ ସେମାନଙ୍କ ଉପରେ ଥାଏ। ବାସ୍ତବରେ, ଆଇନ ସମ୍ମୁଖରେ, ସରକାର ମଧ୍ୟ ଜଣେ ‘ସାଧାରଣ ନାଗରିକତୁଲ୍ୟ’ ପରିଗଣିତ ହେବା କଥା। କିନ୍ତୁ ରାଜସ୍ବ କୋର୍ଟର ବିଚାରପତିମାନେ ସେଭଳି ଆଭିମୁଖ୍ୟ ଗ୍ରହଣ କରି ନିର୍ଭୀକ ରାୟ ପ୍ରଦାନ କରିବା ସମ୍ଭବ ହୋଇ ନ ଥାଏ। ଭାରତୀୟ ସଂବିଧାନର ଧାରା ୫୦ରେ କାର୍ଯ୍ୟପାଳିକା ଠାରୁ ନ୍ୟାୟପାଳିକାକୁ ଅଲଗା ରଖିବାକୁ କୁହାଯାଇଥିଲେ ହେଁ ରାଜସ୍ୱ ଅଦାଲତଗୁଡ଼ିକ ହେଉଛନ୍ତି ଏହାର ବ୍ୟତିକ୍ରମ।
ତେଣୁ, ଭାରତର ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଜମିର ପ୍ରକୃତ ମାଲିକାନା ନେଇ ଅନ୍ତିମ ରାୟ ପ୍ରଦାନ କରିବାର କ୍ଷମତା ରାଜସ୍ୱ ଅଦାଲତର ନାହିଁ; ତାହା କେବଳ ସିଭିଲ୍ ନ୍ୟାୟାଳୟର ଅଧିକାରଭୁକ୍ତ। ନାଗରିକମାନେ, ପକ୍ଷପାତିତା ଦେଖିଲେ, ଧାରା ୨୨୬/୨୨୭ ଅନୁଯାୟୀ ରିଟ ପିଟିସନ ଦାୟର କରି ରାଜସ୍ବ କୋର୍ଟର ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିପାରିବେ ଓ ଆଦେଶକୁ ରଦ୍ଦ କରାଇ ଦେଇପାରିବେ। ରାଜସ୍ୱ କୋର୍ଟଗୁଡ଼ିକ କେବଳ ସରକାରୀ ରେକର୍ଡ, ସର୍କୁଲାର୍ ଓ ଖଜଣା ଆଇନ ଉପରେ ଚାଲନ୍ତି ଏବଂ ମୌଳିକ ଅଧିକାର କିମ୍ବା ସାମ୍ବିଧାନିକ ନ୍ୟାୟ ଆଧାରରେ ସରକାରୀ ନିୟମକୁ ରଦ୍ଦ କରିବାର କ୍ଷମତା ପାଆନ୍ତି ନାହିଁ। ଏହା କେବଳ ଉଚ୍ଚ ନ୍ୟାୟାଳୟଙ୍କ ପାଖରେ ଥାଏ।
ଏହାର ଅର୍ଥ ରାଜସ୍ବ ଅଦାଲତ ସ୍ଥାପନର ଉଦ୍ଦେଶ୍ୟ ଆଂଶିକ ବିଫଳ ହୋଇଛି ବୋଲି ଆମେ କହିପାରିବା। ସରକାର ବନାମ ସାଧାରଣ ନାଗରିକ ବିବାଦରେ ରାଜସ୍ୱ ଅଦାଲତଗୁଡ଼ିକ ନ୍ୟାୟ ଦେବାରେ ଅନେକ ସମୟରେ ବିଫଳ ହୁଅନ୍ତି। କିନ୍ତୁ, ଯେଉଁଠି ସରକାର ପକ୍ଷ ନୁହନ୍ତି ବା ଦୁଇ ସାଧାରଣ ନାଗରିକଙ୍କ ମଧ୍ୟରେ ଜମି ବିବାଦ ଉପୁଜେ, ସେଠାରେ ଏହି ଅଦାଲତଗୁଡ଼ିକ ବହୁତ ଶୀଘ୍ର ଏବଂ କମ୍ ଖର୍ଚ୍ଚରେ ନ୍ୟାୟ ପ୍ରଦାନ କରନ୍ତି। ତେଣୁ, ବିଶେଷଜ୍ଞମାନେ ଦାବି କରନ୍ତି ଯେ ରାଜସ୍ୱ ବିଚାରକୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ହାତରୁ କାଢ଼ି ନେଇ ସ୍ୱାଧୀନ ରାଜସ୍ୱ ଟ୍ରିବ୍ୟୁନାଲ୍ କିମ୍ବା ନ୍ୟାୟପାଳିକା ହାତରେ ଦିଆଯିବା ଉଚିତ। କିନ୍ତୁ ନ୍ୟାୟପାଳିକାରୁ ନ୍ୟାୟ ପାଇବାରେ ମାତ୍ରାଧିକ ବିଳମ୍ବ ନାଗରିକମାନଙ୍କ ଲାଗି ମଧ୍ୟ ଏକ ବିରାଟ ହତାଶାର କାରଣ ହୋଇଥାଏ। ଏଣେ, ଆମ ଦେଶରେ ଜମିଜମା ବିବାଦର ସଂଖ୍ୟା ଖୁବ୍ ଅଧିକ। ତେଣୁ, ଏ ସଂଦର୍ଭରେ କୌଣସି ସମୁଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ହୃଦ୍ବୋଧ କରିହୁଏ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୯୪୯୦୦୦୯
ସୌଜନ୍ୟ ସମ୍ବାଦ




