ସମ୍ପାଦକୀୟ

Editorial: ଅତୀତର ଭୂତ

ଭ୍ରୂଣସଞ୍ଚାର ମୁହୂର୍ତ୍ତଠାରୁ ପ୍ରଥମ ଏକ ହଜାର ଦିନ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ, ଅର୍ଥାତ୍ ଶିଶୁର ଦ୍ବିତୀୟ ଜନ୍ମଦିନ ପର୍ଯ୍ୟନ୍ତ ମା’ ଓ ଶିଶୁକୁ ଉପଲବ୍‌ଧ ପୁଷ୍ଟି ଶିଶୁର ସାରା ଜୀବନକାଳର ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ।

ଭ୍ରୂଣସଞ୍ଚାର ମୁହୂର୍ତ୍ତଠାରୁ ପ୍ରଥମ ଏକ ହଜାର ଦିନ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ, ଅର୍ଥାତ୍ ଶିଶୁର ଦ୍ବିତୀୟ ଜନ୍ମଦିନ ପର୍ଯ୍ୟନ୍ତ ମା’ ଓ ଶିଶୁକୁ ଉପଲବ୍‌ଧ ପୁଷ୍ଟି ଶିଶୁର ସାରା ଜୀବନକାଳର ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ। ଏହା ହୃଦୟଙ୍ଗମ କରିବା ପରେ ଇତିହାସ ସାରା ଭାରତ ସମ୍ମୁଖୀନ ହୋଇ ଆସିଥିବା ଦୁର୍ଭିକ୍ଷମାନଙ୍କ ପ୍ରତି ଆମର ଦୃଷ୍ଟିଭଙ୍ଗୀ ବଦଳି ଯାଇଥାଏ। କୃଷି ଅମଳରେ ଉନ୍ନତି ଘଟିଲେ ଯେ ଦୁର୍ଭିକ୍ଷର ଅନ୍ତ ଘଟେ ନାହିଁ, ତାହା ଏବେ ସ୍ପଷ୍ଟ ହୋଇଥାଏ। ଦୁର୍ଭିକ୍ଷର ଜୈବିକ ପରିଣତି ମଧୁମେହ ରୂପରେ ପିଢ଼ି ପରେ ପିଢ଼ିକୁ ଆକ୍ରାନ୍ତ କରି ଚାଲିଥାଏ। ଭାରତରେ ଡାଇବିଟିସ୍‌ର ସଘନ ଉପସ୍ଥିତି ହେଉଛି ଏହାର ଅକାଟ୍ୟ ପ୍ରମାଣ।

ଭାରତକୁ ବର୍ତ୍ତମାନ ଏକ ଅବାଞ୍ଛିତ ଉପାଧି ମିଳିଛି: ପୃଥିବୀରେ ମଧୁମେହ ବା ଅଧିକ ସୁପରିଚିତ ନାମ ଡାଇବିଟିସ୍‌ର ରାଜଧାନୀ। ନଭେମ୍ବର ୧୪ରେ ବିଶ୍ବ ମଧୁମେହ ଦିବସ ପାଳନ ଅବସରରେ ଏହା ସ୍ବାଭାବିକ ଭାବରେ ପୁଣି ଥରେ ଆମକୁ ମନେ ପକାଇ ଦିଆଯାଇଛି। ‘ଇଣ୍ଟରନେସନାଲ ଡାଇବିଟିସ୍‌ ଫେଡେରେସନ’ ୨୦୨୫ରେ କରିଥିବା ଆକଳନ ଅନୁସାରେ ଭାରତରେ ୨୦-୭୯ ବର୍ଷ ବୟସ ସୀମା ମଧ୍ୟରେ ୨୦୨୪ରେ ଡାଇବିଟିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ପ୍ରାୟ ୯ କୋଟି। ଯଦି ଏଇ ଧାରା ବଜାୟ ରହେ, ତେବେ ୨୦୫୦ ସୁଦ୍ଧା ଏଇ ସଂଖ୍ୟା ପ୍ରାୟ ୧୫.୭ କୋଟିକୁ ବୃଦ୍ଧି ପାଇବ ବୋଲି ସେଥିରେ ଅନୁମାନ ପ୍ରକାଶ ପାଇଛି। ଯାହା ଆହୁରି ଅଧିକ ଚିନ୍ତାଜନକ, ତାହା ହେଲା, ଭାରତରେ ଡାଇବିଟିସ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବା ପ୍ରାପ୍ତବୟସ୍କମାନଙ୍କ ମଧ୍ୟରୁ ପ୍ରାୟ ୪୩ ଶତାଂଶଙ୍କର ରୋଗ ଚିହ୍ନଟ ହୋଇ ନ ଥାଏ। ୨୦୨୩ରେ ପ୍ରକାଶିତ ‘ଦି ଲାନ୍‌ସେଟ ଡାଇବିଟିସ୍‌ ଆଣ୍ଡ ଏ‌େଣ୍ଡାକ୍ରିନୋଲୋଜି’ରେ ପ୍ରକାଶିତ ‘ଆଇସିଏମ୍‌ଆର୍’-‘ଆଇଏନ୍‌ଡିଆଇଏବି’ ଦ୍ବାରା କରାଯାଇଥିବା ଏକ ଅନୁଶୀଳନ ଅନୁସାରେ ଭାରତରେ ୧୦ କୋଟିରୁ ଅଧିକ ସଂଖ୍ୟକ ଲୋକ ଡାଇବିଟିସ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଆଉ ପ୍ରାୟ ୧୪ କୋଟି ଲୋକ ପ୍ରାକ୍-ଡାଇବିଟିସ୍‌ ଅବସ୍ଥାରେ ପ୍ରବେଶ କରିସାରିଥିଲେ, ଅର୍ଥାତ୍ ଅନତି ବିଳମ୍ବେ ସେମାନଙ୍କଠାରେ ଏଇ ବ୍ୟାଧିର ପୂର୍ଣ୍ଣ ପରିପ୍ରକାଶ ଘଟିବାର ଦୃଢ଼ ସମ୍ଭାବନା ରହିଛି।
ଅନ୍ୟ ସମସ୍ତ ରୋଗମାନଙ୍କର ଜନନୀ ରୂପେ ଅଭିହିତ ଏଇ ବ୍ୟାଧି ଭାରତ ପାଇଁ ସୃଷ୍ଟି କରିଥିବା ଅନ୍ୟ ଏକ ଗୁରୁତର ବିପଦ ହେଲା ଏହା ଯେ, ଇଏ ଆଉ ସ୍ବଚ୍ଛଳ ସହରୀ ଜନସମୁଦାୟ ମଧ୍ୟରେ ସୀମିତ ନ ରହି ଛୋଟ ଛୋଟ ସହର ଓ ଗ୍ରାମାଞ୍ଚଳର ବାସିନ୍ଦାମାନଙ୍କୁ ମଧ୍ୟ କବଳିତ କରିବା ଦେଖାଗଲାଣି। ଏହା ହଠାତ୍ ରହସ୍ୟମୟ ମନେ ହୋଇଥାଏ, କାରଣ ଏହାକୁ ସାଧାରଣତଃ ଏକ ପ୍ରାଚୁର୍ଯ୍ୟର ବ୍ୟାଧି ବୋଲି ବିଶ୍ବାସ କରାହୋଇ ଆସିଥାଏ। ଇତିହାସ ସାରା ଦୁର୍ଭିକ୍ଷ ପରେ ଦୁର୍ଭିକ୍ଷ ଓ ଖାଦ୍ୟାଭାବ ଦ୍ବାରା କବଳିତ ହୋଇଥିବା ଭାରତ ଭଳି ଏକ ଦେଶରେ ଏବଂ ଏହାର ଗ୍ରାମାଞ୍ଚଳରେ ତେବେ ଏହାର ଏପରି ଅନିୟନ୍ତ୍ରିତ ଆବିର୍ଭାବ ଘଟୁଛି କାହିଁକି?
ଏ ପ୍ରଶ୍ନର ଯେଉଁ ଏକ ଉତ୍ତର ଆମଠାରେ ଏକ ଅସହାୟବୋଧ ସୃଷ୍ଟି କରିଥାଏ, ତାହା ଅନୁସାରେ ଏକ ଶିଶୁ ଜନ୍ମଲାଭ କରିବା ପୂର୍ବରୁ ମାତୃ ଗର୍ଭରେ ଯେଉଁ ପୁଷ୍ଟି ଅଭାବର ସମ୍ମୁଖୀନ ହୋଇଥାଏ, ତାହା ପରବର୍ତ୍ତୀ ସମୟରେ ସେ ପ୍ରାପ୍ତ ବୟସ୍କରେ ପରିଣତ ହେଲା ବେଳକୁ ତା’ ଶରୀରରେ ଡାଇବିଟିସ୍‌ର ଆବିର୍ଭାବ ଘଟାଇପାରେ। ୧୯୯୦ରେ ବ୍ରିଟିଶ ଏପିଡେମିଓଲୋଜିଷ୍ଟ ଡେଭିଡ୍ ବେକରଙ୍କ ଦ୍ବାରା ପ୍ରଥମେ ଆବିଷ୍କୃତ ଓ ପରବର୍ତ୍ତୀ ସମୟରେ ‘ଡେଭେଲପ୍‌ମେଣ୍ଟାଲ ଅରିଜିନ୍‌ସ ଅଫ ହେଲ୍‌ଥ ଆଣ୍ଡ ଡିଜିଜ୍’ ବା ‘ଡିଓଏଚ୍‌ଏଡି’ ନାମରେ ନାମିତ ଏଇ ତତ୍ତ୍ବ ସାବ୍ୟସ୍ତ କରିବାକୁ ଚାହିଁଥାଏ ଯେ ପ୍ରାପ୍ତବୟସ୍କମାନଙ୍କଠାରେ ଦେଖାଦେଉଥିବା ରୋଗବ୍ୟାଧି କେବଳ ସେମାନଙ୍କର ପ୍ରାପ୍ତବୟସ୍କ ଜୀବନଶୈଳୀର ପରିଣାମ ସ୍ବରୂପ ଆବିର୍ଭୂତ ହୋଇ ନଥାନ୍ତି। ମାତୃ ଗର୍ଭରେ ଥିବାବେଳେ ଓ ଆଦ୍ୟ ଶୈଶବରେ ସେମାନେ ସମ୍ମୁଖୀନ ହୋଇଥିବା ପରିବେଶ କେତେ ଦଶନ୍ଧି ପରେ ସେମାନଙ୍କ ଶରୀରରେ ବ୍ୟାଧିପ୍ରବଣତା ସୃଷ୍ଟି କରିପାରେ।
ଏଇ ଚିନ୍ତାଧାରାକୁ ସଂପ୍ରସାରିତ କରି ଚିକିତ୍ସା ଗବେଷକମାନେ ଡାଇବିଟିସ୍‌ର ଅନ୍ୟତମ ଏକ ସମ୍ଭାବ୍ୟ କାରଣ ସ୍ବରୂପ ଯେଉଁ ଏକ ଅସଙ୍ଗତ ମନେ ହେଉଥିବା ଭଳି ଧାରଣାର ପ୍ରସାର ଘଟାଇଛନ୍ତି, ତାହା ବର୍ତ୍ତମାନ ‘ଥ୍ରିଫ୍‌ଟି ଫିନୋଟାଇପ୍ ହାଇପୋଥେସିସ୍’ ରୂପେ ସୁପରିଚିତ। ଏଇ ଧାରଣା ଅନୁସାରେ ଯେତେବେଳେ ମାତୃ ଗର୍ଭସ୍ଥ ଭ୍ରୂଣ ପୁଷ୍ଟି ଅଭାବ ମଧ୍ୟରେ ବଡ଼ ହେବାକୁ ଲାଗେ, ତା’ର କ୍ରମବର୍ଦ୍ଧିଷ୍ଣୁ ଶରୀର ଭବିଷ୍ୟତରେ ଏକ ଅଭାବଗ୍ରସ୍ତ ପରିବେଶ ସହିତ ଖାପ ଖାଇବାକୁ ପଡ଼ିବ ବୋଲି କଳ୍ପନା କରି ନିଜକୁ ସେଥିପାଇଁ ପ୍ରସ୍ତୁତ କରିଥାଏ। ଏଭଳି ଶରୀର ତା’ର ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକର ବିକାଶକୁ ପ୍ରାଥମିକତା ପ୍ରଦାନ କରିଥାଏ, ନିଜର ‘ମେଟାବୋଲିଜ୍‌ମ’ରେ ପରିବର୍ତ୍ତନ ଘଟାଇଥାଏ ଏବଂ ଶକ୍ତିର ବ୍ୟବହାରରେ କଠୋର ମିତବ୍ୟୟିତା (ଥ୍ରିଫ୍‌ଟ) ଅବଲମ୍ବନ କରିଥାଏ।
ଯଦି ଏଇ ଭ୍ରୂଣ ସନ୍ତାନରେ ପରିଣତ ହୋଇ ଭୂମିଷ୍ଠ ହେବା ପରେ ସାରା ଜୀବନ ତାକୁ ଖାଦ୍ୟାଭାବର ମୁକାବିଲା କରିବାକୁ ପଡ଼େ, ତେବେ ତାହାର ସଫଳ ମୁକାବିଲା କରି ତିଷ୍ଠି ରହିବାରେ ଏଇ ପରିବର୍ତ୍ତନମାନ ତା’ ପାଇଁ ବିଶେଷ ସହାୟକ ହୋଇଥାନ୍ତି। କିନ୍ତୁ ସମସ୍ୟା ଉପୁଜେ ଯଦି ପରିବେଶରେ ପରିବର୍ତ୍ତନ ଘଟି ଅଭାବ ପରିବର୍ତ୍ତେ ସେ ନିଜକୁ ପ୍ରାଚୁର୍ଯ୍ୟ ମଧ୍ୟରେ ଆବିଷ୍କାର କରେ (ଯାହା ବର୍ତ୍ତମାନ ଭାରତରେ ସହରାଞ୍ଚଳକୁ ଅତିକ୍ରମ କରି ଗ୍ରାମାଞ୍ଚଳରେ ମଧ୍ୟ ଘଟିବାକୁ ଆରମ୍ଭ କଲାଣି)। ସେ ଯେତେବେଳେ ପାଲିସ ଚାଉଳ, ରିଫାଇନ ଅଟା ବା ମଇଦା, ଚିନି ଆଦି ସହିତ ପ୍ରଚୁର କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବାରେ ଲାଗେ ଏବଂ କଠିନ ଶାରୀରିକ ପରିଶ୍ରମ ବଦଳରେ ଏକ ଆରାମଦାୟକ ଜୀବନଯାପନ କରେ, ଅଭାବ ସହିତ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଥିବା ତା’ର ଶରୀର ଏଇ ପ୍ରାଚୁର୍ଯ୍ୟ ବାହିନୀ ନିକଟରେ ଆତ୍ମସମର୍ପଣ କରିଥାଏ। ଏହାର ପରିଣାମ ସ୍ବରୂପ ତା’ର ଶରୀରରେ ଇନସୁଲିନ-ପ୍ରତିରୋଧ ବୃଦ୍ଧି ପାଏ, ଉଦର ଚର୍ବି ମହଜୁଦ ହେବାରେ ଲାଗେ ଏବଂ ‘ଟାଇପ୍-୨’ ଡାଇବିଟିସ୍‌ର ଆବିର୍ଭାବ ଘଟେ।
ଏଥିରୁ ଯେଉଁ ଶିକ୍ଷା ବା ସନ୍ଦେଶ ଉତ୍ପନ୍ନ ହୋଇଥାଏ, ତାହାର ଗୁରୁତ୍ବ ସୁଦୂରପ୍ରସାରୀ: ଭ୍ରୂଣସଞ୍ଚାର ମୁହୂର୍ତ୍ତଠାରୁ ପ୍ରଥମ ଏକ ହଜାର ଦିନ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ, ଅର୍ଥାତ୍ ଶିଶୁର ଦ୍ବିତୀୟ ଜନ୍ମଦିନ ପର୍ଯ୍ୟନ୍ତ ମା’ ଓ ଶିଶୁକୁ ଉପଲବ୍‌ଧ ପୁଷ୍ଟି ଶିଶୁର ସାରା ଜୀବନକାଳର ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ। ଏହା ହୃଦୟଙ୍ଗମ କରିବା ପରେ ଇତିହାସ ସାରା ଭାରତ ସମ୍ମୁଖୀନ ହୋଇ ଆସିଥିବା ଦୁର୍ଭିକ୍ଷମାନଙ୍କ ପ୍ରତି ଆମର ଦୃଷ୍ଟିଭଙ୍ଗୀ ବଦଳି ଯାଇଥାଏ। କୃଷି ଅମଳରେ ଉନ୍ନତି ଘଟିଲେ ଯେ ଦୁର୍ଭିକ୍ଷର ଅନ୍ତ ଘଟେ ନାହିଁ, ତାହା ଏବେ ସ୍ପଷ୍ଟ ହୋଇଥାଏ। ଦୁର୍ଭିକ୍ଷର ଜୈବିକ ପରିଣତି ମଧୁମେହ ରୂପରେ ପିଢ଼ି ପରେ ପିଢ଼ିକୁ ଆକ୍ରାନ୍ତ କରି ଚାଲିଥାଏ। ଭାରତରେ ଡାଇବିଟିସ୍‌ର ସଘନ ଉପସ୍ଥିତି ହେଉଛି ଏହାର ଅକାଟ୍ୟ ପ୍ରମାଣ।
ଏହି ‘ଥ୍ରିଫ୍‌ଟି ଫିନୋଟାଇପ୍ ହାଇପୋଥେସିସ୍’ ଭାରତରେ ଡାଇବିଟିସ୍‌ର ପ୍ରାଦୁର୍ଭାବର ଏକମାତ୍ର କିମ୍ବା ସଂପୂର୍ଣ୍ଣ କାରଣ ନ ହୋଇପାରେ; କିନ୍ତୁ ଏହା ହେଉଛି ଯେ ଏକ ଗୁରୁତ୍ବପୂର୍ଣ୍ଣ କାରଣ, ଏଥିରେ କୌଣସି ସନ୍ଦେହ ନାହିଁ। ୧୭୭୦ର ବଙ୍ଗ ଦୁର୍ଭିକ୍ଷ ହେଉ କିମ୍ବା, ୧୮୬୬ର ଓଡ଼ିଶାର ନ’ଅଙ୍କ ଦୁର୍ଭିକ୍ଷ ହେଉ, କିମ୍ବା ୧୮୭୬-୭୮ର ମାଡ୍ରାସ ଓ ବମ୍ବେ ଦୁର୍ଭିକ୍ଷ କିମ୍ବା ୧୯୪୩ର ବଙ୍ଗ ଦୁର୍ଭିକ୍ଷ ଭଳି ବ୍ରିଟିଶ ଶାସନ ସମୟରେ ଭାରତକୁ ଆକ୍ରାନ୍ତ କରି ଭାରତୀୟମାନଙ୍କୁ ଭୋକଉପାସରେ ଅାଉଟୁପାଉଟୁ କରିଥିବା ପ୍ରାୟ ଦୁଇ ଡଜନରୁ ଅଧିକ ଦୁର୍ଭିକ୍ଷର ବୋଝ କେବଳ ସେଇ ସମୟ ମଧ୍ୟରେ ସୀମିତ ନ ରହି, ପିଢ଼ି ପରେ ପିଢ଼ି ଭାରତୀୟମାନଙ୍କୁ ତାହାକୁ ଅତୀତର ଭୂତ ସ୍ବରୂପ ଡାଇବିଟିସ୍‌ ରୂପରେ ବହନ କରିବାକୁ ପଡ଼ିବାରେ ଲାଗିଛି।
ତେବେ ଏଇ ଧାରାରେ ଅନ୍ତ ଘଟାଇବା ଅସମ୍ଭବ ନୁହେଁ। ଏଠାରେ ଅତି ସଂକ୍ଷେପରେ ଏହାର କେତୋଟି ଉପାୟ ଉଲ୍ଲେଖ କରାଯାଇପାରେ: ମାତୃ ଓ ଶିଶୁ ପୁଷ୍ଟିସାଧନ ଅଭିଯାନ; ପୁଷ୍ଟି ନିରାପତ୍ତାକୁ ଖାଦ୍ୟ ନିରାପତ୍ତା ଅଭିଯାନରେ ମିଶ୍ରଣ; ଲୋକପ୍ରିୟ ମଧୁମେହ-ଅନୁକୂଳ ଖାଦ୍ୟ ସଂସ୍କୃତିରେ ପରିବର୍ତ୍ତନ; ଡାଇବିଟିସ୍‌ର ସଫଳ ଚିହ୍ନଟ ଅଭିଯାନ; ଶାରୀରିକ ପରିଶ୍ରମକୁ ପ୍ରୋତ୍ସାହନ ଓ ସେଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି; ଉପଯୁକ୍ତ ଚିକିତ୍ସା ଓ ଯତ୍ନର ଉପଲବ୍‌ଧତା; ଏବଂ ଏଇ ବ୍ୟାଧି ସଂପର୍କରେ ଅଧିକ ଗବେଷଣାକୁ ପ୍ରୋତ୍ସାହନ। ଇତିହାସ ଭାରତ ପାଇଁ ଆହୁରି ଅନେକ ବୋଝ ସୃଷ୍ଟି କରିଥିବା ଭଳି ଡାଇବିଟିସ୍‌ ମଧ୍ୟ ହେଉଛି ଆମ ପାଇଁ ଭୋକର ଇତିହାସ ସୃଷ୍ଟି କରିଥିବା ଏକ ବୋଝ। ଅନ୍ୟ ସେଇ ବୋଝସବୁ ଭଳି ଆମକୁ ଏ ବୋଝର ମଧ୍ୟ ସୁଚିନ୍ତିତ ମୁକାବିଲା କରିବାକୁ ହେବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button