ସମ୍ପାଦକୀୟ

Editorial: ମନ୍ଥନ: ସ୍କୁଲରେ କମ୍ପ୍ୟୁଟର ଶିକ୍ଷାର ସ୍ଥିତି

ଭାରତ ଏବେ ଡିଜିଟାଲ ବିପ୍ଳବର ଏକ ନୂତନ ଅଧ୍ୟାୟ ଦେଇ ଗତି କରୁଛି। ପ୍ରଶାସନ, ବାଣିଜ୍ୟ, ଅର୍ଥନୀତି, ଯୋଗାଯୋଗ ଓ ସେବା କ୍ଷେତ୍ରରେ ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର ଦ୍ରୁତ ଗତିରେ ବଢୁଛି।

ଭାସ୍କର ପରିଚ୍ଛା

ଭାରତ ଏବେ ଡିଜିଟାଲ ବିପ୍ଳବର ଏକ ନୂତନ ଅଧ୍ୟାୟ ଦେଇ ଗତି କରୁଛି। ପ୍ରଶାସନ, ବାଣିଜ୍ୟ, ଅର୍ଥନୀତି, ଯୋଗାଯୋଗ ଓ ସେବା କ୍ଷେତ୍ରରେ ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର ଦ୍ରୁତ ଗତିରେ ବଢୁଛି। ଡିଜିଟାଲ ଇଣ୍ଡିଆ ଅଭିଯାନ ଦେଶକୁ ଏକ ପ୍ରଯୁକ୍ତିନିର୍ଭର ସମାଜରେ ପରିଣତ କରିବାର ସ୍ୱପ୍ନ ଦେଖାଇଛି। କିନ୍ତୁ ଏହି ଆକାଂକ୍ଷା ଓ ବାସ୍ତବତା ମଧ୍ୟରେ ଏବେ ବି ଏକ ବଡ଼ ବ୍ୟବଧାନ ରହିଛି। ଦେଶର ବିଦ୍ୟାଳୟଗୁଡ଼ିକର ଅବସ୍ଥା ଏହାର ଏକ ସ୍ପଷ୍ଟ ଉଦାହରଣ। ଏହା ସ୍ବୀକାର କରିବାକୁ ହେବ ଯେ ଆଧୁନିକ ପ୍ରଯୁକ୍ତିର ସୁଯୋଗ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ନ ପାରିଲେ ଡିଜିଟାଲ ବିପ୍ଳବର ପ୍ରକୃତ ଉଦ୍ଦେଶ୍ୟ ସାକାର ହୋଇପାରିବ ନାହିଁ।
ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶର ପ୍ରାୟ ୭୦% ବିଦ୍ୟାଳୟରେ କମ୍ପ୍ୟୁଟର ଉପଲବ୍‌ଧ ଥିବାବେଳେ ପ୍ରାୟ ଦୁଇ-ତୃତୀୟାଂଶ ବିଦ୍ୟାଳୟରେ ଇଣ୍ଟରନେଟ ସଂଯୋଗ ରହିଛି। ଏହା ଏକ ଉଲ୍ଲେଖନୀୟ ଅଗ୍ରଗତି। କିନ୍ତୁ, ‘ନିତି ଆୟୋଗ’ର ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ଶିକ୍ଷାବର୍ଷରେ ୬୪.୭% ବିଦ୍ୟାଳୟରେ କମ୍ପ୍ୟୁଟର ଥିଲେ ମଧ୍ୟ ମାତ୍ର ୫୭.୯% ବିଦ୍ୟାଳୟରେ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାରେ ଏହାର ବ୍ୟବହାର ହେଉଥିଲା। ଅନ୍ୟ ପକ୍ଷରେ, ପ୍ରାୟ ୪.୮ ଲକ୍ଷ ବିଦ୍ୟାଳୟ ଏବେ ବି ଇଣ୍ଟରନେଟ ସୁବିଧାରୁ ବଞ୍ଚିତ। ତେଣୁ, ଡିଜିଟାଲ ଶିକ୍ଷାର ଲକ୍ଷ୍ୟ ପୂରଣ ହେବା ନେଇ ପ୍ରଶ୍ନ ଉଠିଥାଏ।
ତେବେ, ଏକ ମୌଳିକ ପ୍ରଶ୍ନ ହେଲା ଯେ ବିଦ୍ୟାଳୟରେ କମ୍ପ୍ୟୁଟର ଥିବା ଏବଂ ଛାତ୍ରଛାତ୍ରୀ ତାହାକୁ ଶିକ୍ଷା ପାଇଁ ବ୍ୟବହାର କରିବା ମଧ୍ୟରେ ଥିବା ବ୍ୟବଧାନ କିପରି ଦୂର ହେବ? ଅନେକ ବିଦ୍ୟାଳୟରେ କମ୍ପ୍ୟୁଟରମାନ ଅଚଳ ଅବସ୍ଥାରେ ପଡ଼ିରହିଛି। ପୁଣି, କେଉଁଠି ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ନାହିଁ ତ ଆଉ କେଉଁଠି ଉପକରଣଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ବ୍ୟବସ୍ଥା ନାହିଁ। ତା’ ସହିତ ଶିକ୍ଷକଙ୍କ ଅଭାବ ଓ ପ୍ରଶିକ୍ଷଣର ଅଭାବ ମଧ୍ୟ ଡିଜିଟାଲ ଶିକ୍ଷାର ବାଟ ଓଗାଳୁଛି। ପ୍ରକୃତରେ ଡିଜିଟାଲ ଶିକ୍ଷା କେବଳ ଏକ ଯନ୍ତ୍ରପାତିଭିତ୍ତିକ ବ୍ୟବସ୍ଥା ନୁହେଁ; ଏହା ଏକ ସମନ୍ୱିତ ଶିକ୍ଷା ପ୍ରକ୍ରିୟା। ଏଥିପାଇଁ କାର୍ଯ୍ୟକ୍ଷମ କମ୍ପ୍ୟୁଟର, ଦ୍ରୁତ ଓ ନିରବଚ୍ଛିନ୍ନ ଇଣ୍ଟରନେଟ, ନିର୍ଭରଯୋଗ୍ୟ ବିଦ୍ୟୁତ୍‌ ଯୋଗାଣ, ପ୍ରଶିକ୍ଷିତ ଶିକ୍ଷକ ଓ ଗୁଣାତ୍ମକ ଡିଜିଟାଲ ଶିକ୍ଷଣ ସାମଗ୍ରୀର ଆବଶ୍ୟକତା ରହିଛି। ଏଥିରୁ ଗୋଟିଏର ଅଭାବ ଦ୍ବାରା ସମଗ୍ର ବ୍ୟବସ୍ଥା ପ୍ରଭାବିତ ହୋଇପାରେ।
ଆଞ୍ଚଳିକ ଅସମାନତା ମଧ୍ୟ ଏକ ସମସ୍ୟା। ଏଭଳି ଅସମାନତାର ସବୁଠାରୁ ବଡ଼ ପ୍ରଭାବ ପଡ଼ୁଛି ଗ୍ରାମାଞ୍ଚଳ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ପିଲାମାନଙ୍କ ଉପରେ। ସହରର ଘରୋଇ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ଲାଗି ଘରେ କମ୍ପ୍ୟୁଟର, ସ୍ମାର୍ଟଫୋନ ଓ ଇଣ୍ଟରନେଟ ଥିବା ସ୍ୱାଭାବିକ। କିନ୍ତୁ ଗ୍ରାମାଞ୍ଚଳର ଅନେକ ପିଲାଙ୍କ ପାଇଁ ବିଦ୍ୟାଳୟ ହିଁ ଡିଜିଟାଲ ଜଗତ ସହ ପରିଚିତ ହେବାର ଏକମାତ୍ର ମାଧ୍ୟମ। ବିଦ୍ୟାଳୟରେ ଉପଯୁକ୍ତ ସୁବିଧା ନ ଥିଲେ ସେମାନେ ଶିକ୍ଷାର ଏକ ନୂତନ ସୁଯୋଗରୁ ବଞ୍ଚିତ ହୁଅନ୍ତି। ଏହା ଭବିଷ୍ୟତରେ ଶିକ୍ଷା ଓ ନିଯୁକ୍ତି ସଂଦର୍ଭରେ ଅସମାନତାକୁ ଆହୁରି ଗମ୍ଭୀର କରିବ।
ପ୍ରସଙ୍ଗତଃ, ‘ନିତି ଆୟୋଗ’ ପକ୍ଷରୁ ବିଦ୍ୟାଳୟଗୁଡ଼ିକର କ୍ଲଷ୍ଟର ଗଠନ କରି ପରୀକ୍ଷାଗାର, ପାଠାଗାର ଓ ଶିକ୍ଷକଙ୍କ ସମ୍ବଳର ମିଳିତ ବ୍ୟବହାର ପାଇଁ ଦିଆଯାଇଥିବା ପ୍ରସ୍ତାବ ଏକ ଉପଯୋଗୀ ପଦକ୍ଷେପ। ବିଶେଷ କରି ଛୋଟ ଓ ସୀମିତ ସମ୍ବଳ ଥିବା ବିଦ୍ୟାଳୟଗୁଡ଼ିକ ଏହା ଦ୍ୱାରା ଲାଭବାନ ହୋଇପାରିବେ। ଗୋଟିଏ ଅଞ୍ଚଳର କିଛି ବିଦ୍ୟାଳୟ ମିଳିତ ଭାବେ ଏକ ଉନ୍ନତ କମ୍ପ୍ୟୁଟର ପରୀକ୍ଷାଗାର, ବିଜ୍ଞାନ ପରୀକ୍ଷାଗାର କିମ୍ବା ପାଠାଗାର ବ୍ୟବହାର କରିପାରିବେ। ଏହାଦ୍ୱାରା ସମ୍ବଳର ସଦୁପଯୋଗ ବି ସମ୍ଭବ ହେବ। ତେବେ ଏହି ବ୍ୟବସ୍ଥା କାରଣରୁ ଗ୍ରାମାଞ୍ଚଳର ପିଲାମାନେ ଯେପରି ଦୂର ବିଦ୍ୟାଳୟକୁ ଯିବାକୁ ବାଧ୍ୟ ନ ହୁଅନ୍ତି ଏବଂ ସେମାନଙ୍କର ନିୟମିତ ପାଠପଢ଼ା ପ୍ରଭାବିତ ନ ହୁଏ, ତାହା ନିଶ୍ଚିତ କରିବାକୁ ହେବ।
ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଅଭିଜ୍ଞତା ଓ ଅଗ୍ରଗତିକୁ ଦେଖିବା ଆବଶ୍ୟକ। ରାଜ୍ୟର ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଏକଦା କମ୍ପ୍ୟୁଟର ଶିକ୍ଷାକୁ ଏକ ଅତିରିକ୍ତ ବା ଇଚ୍ଛାଧୀନ ବିଷୟ ଭାବେ ବିବେଚନା କରାଯାଉଥିଲା। କିନ୍ତୁ ଏବେ ଏହାର ଗୁରୁତ୍ୱ ବଢ଼ିଛି। ରାଜ୍ୟ ଶିକ୍ଷାଗତ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ.ସି.ଇ.ଆର.ଟି.) ଦ୍ବାରା ବିଭିନ୍ନ ଶ୍ରେଣୀ ଓ ବିଷୟରେ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି (ଆଇସିଟି) ଉପକରଣର ବ୍ୟବହାରକୁ ପ୍ରୋତ୍ସାହନ ଦିଆଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ, ଛାତ୍ର-କୈନ୍ଦ୍ରିକ ଓ ଫଳପ୍ରଦ କରିବା। କେବଳ ପାଠ୍ୟପୁସ୍ତକ ଓ କଳାପଟା ମଧ୍ୟରେ ଶିକ୍ଷାକୁ ସୀମିତ ନ ରଖି ଚିତ୍ର, ଭିଡିଓ, ଅଡିଓ ଓ ଡିଜିଟାଲ ପ୍ରଦର୍ଶନ ମାଧ୍ୟମରେ ଜଟିଳ ବିଷୟକୁ ସହଜରେ ବୁଝାଇବା ଏହାର ଲକ୍ଷ୍ୟ।
ଏହି ଉଦ୍ୟମର ପ୍ରାରମ୍ଭିକ ପର୍ଯ୍ୟାୟ ଥିଲା କମ୍ପ୍ୟୁଟର ସହାୟତାପ୍ରାପ୍ତ ଶିକ୍ଷାଦାନ। ପରବର୍ତ୍ତୀ ସମୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସ୍ୱତନ୍ତ୍ର ଆଇସିଟି ପରୀକ୍ଷାଗାରମାନ ପ୍ରତିଷ୍ଠା କରାଯାଇଛି। ଏହି ପରୀକ୍ଷାଗାରରେ କମ୍ପ୍ୟୁଟର, ଇଣ୍ଟରନେଟ, ପ୍ରୋଜେକ୍ଟର ଓ ଅନ୍ୟାନ୍ୟ ଡିଜିଟାଲ ଉପକରଣ ରଖାଯାଇଛି। ଏହି ସୁବିଧାକୁ ଅନେକ ବିଦ୍ୟାଳୟରେ ପହଞ୍ଚାଇବାରେ ସହାୟକ ହୋଇଛି ‘ଆଇସିଟି@ସ୍କୁଲ୍’ କାର୍ଯ୍ୟକ୍ରମ। କମ୍ପ୍ୟୁଟର ଚଳାଇବା ଶିଖିବା ସହିତ ଛାତ୍ରଛାତ୍ରୀମାନେ ଇଣ୍ଟରନେଟ ମାଧ୍ୟମରେ ସୂଚନା ଖୋଜିବା, ତଥ୍ୟ ବିଶ୍ଳେଷଣ କରିବା, ଡିଜିଟାଲ ପାଠ୍ୟସାମଗ୍ରୀ ବ୍ୟବହାର କରିବା ଏବଂ ନିଜସ୍ୱ ଜ୍ଞାନର ପରିସର ବଢ଼ାଇବାର ସୁଯୋଗ ପାଉଛନ୍ତି। ଏହା ସେମାନଙ୍କୁ ଆଗାମୀ ଦିନର ଉଚ୍ଚଶିକ୍ଷା ଓ ନିଯୁକ୍ତି ପାଇଁ ମଧ୍ୟ ପ୍ରସ୍ତୁତ କରିପାରିବ।
ଓଡ଼ିଶାର ଡିଜିଟାଲ ଶିକ୍ଷା ଯାତ୍ରାର ଏକ ଉଲ୍ଲେଖନୀୟ ଦିଗ ହେଉଛି ମାଧ୍ୟମିକ ସ୍ତରରେ କୋଡିଂ ଓ କୃତ୍ରିମ ବୁଦ୍ଧିମତ୍ତାକୁ ସାମିଲ କରିବା। ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ଏହି ନୂତନ ବିଷୟଗୁଡ଼ିକର ପରିଚୟ ଦିଆଯାଇଛି। ଏହା ଏକ ସମୟୋପଯୋଗୀ ପଦକ୍ଷେପ।
ଏ ସବୁ ସତ୍ତ୍ବେ ଏହାର କାର୍ଯ୍ୟକାରିତା ନେଇ ଅନେକ ମୌଳିକ ପ୍ରଶ୍ନ ଉଠୁଛି। ନୀତି ପ୍ରସ୍ତୁତ କରିବା ଏବଂ ତାହାକୁ ପ୍ରତ୍ୟେକ ବିଦ୍ୟାଳୟରେ ସଫଳତାର ସହ ଲାଗୁ କରିବା ଦୁଇଟି ଭିନ୍ନ କଥା। ରାଜ୍ୟର ଦୁର୍ଗମ ଆଦିବାସୀ ଅଞ୍ଚଳ, ପାହାଡ଼ିଆ ସ୍ଥାନ ଓ ଉପକୂଳବର୍ତ୍ତୀ ଗ୍ରାମାଞ୍ଚଳର ଅନେକ ବିଦ୍ୟାଳୟରେ ଏବେ ବି ମୌଳିକ ଭିତ୍ତିଭୂମିର ଅଭାବ ରହିଛି। ଅନିୟମିତ ବିଦ୍ୟୁତ୍‌ ଯୋଗାଣ, ଦୁର୍ବଳ ଇଣ୍ଟରନେଟ ସେବା ଛଡ଼ା ରହିଛି କମ୍ପ୍ୟୁଟରର ନିୟମିତ ରକ୍ଷଣାବେକ୍ଷଣର ଆହ୍ବାନ।
‘ୟୁଡାଇଜ୍‌+’ (ୟୁନିଫାଏଡ ଡିଷ୍ଟ୍ରିକ୍‌ଟ ଇନଫର୍ମେସନ ସିଷ୍ଟମ ଫର ଏଜୁକେସନ୍ ପ୍ଲସ) ରିପୋର୍ଟ ଅନୁଯାୟୀ, ରାଜ୍ୟର ମାତ୍ର ପ୍ରାୟ ଏକ-ଚତୁର୍ଥାଂଶ ବିଦ୍ୟାଳୟରେ କାର୍ଯ୍ୟକ୍ଷମ କମ୍ପ୍ୟୁଟର ରହିଛି। ଅନ୍ୟପକ୍ଷରେ, କମ୍ପ୍ୟୁଟର ବ୍ୟବହାର କରି ଶିକ୍ଷାଦାନ କରିବା ପାଇଁ ପ୍ରଶିକ୍ଷିତ ଶିକ୍ଷକଙ୍କ ସଂଖ୍ୟା ମଧ୍ୟ ସନ୍ତୋଷଜନକ ନୁହେଁ। କହିବା ଅନାବଶ୍ୟକ ଯେ ଅଦକ୍ଷ ଶିକ୍ଷକଙ୍କ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ବା ପ୍ରଶିକ୍ଷଣ ସମ୍ଭବ ନୁହେଁ।
ମନେ ରଖିବାକୁ ହେବ ଯେ ଡିଜିଟାଲ ଶିକ୍ଷାର ଅର୍ଥ ପାରମ୍ପରିକ ଶିକ୍ଷାଦାନକୁ ଅପ୍ରାସଙ୍ଗିକ ବୋଲି ମନେ କରିବା ନୁହେଁ। ବରଂ ଏବେ ଶିକ୍ଷକଙ୍କ ଭୂମିକାକୁ ଆହୁରି ଗୁରୁତ୍ୱପୂର୍ଣ୍ଣ। ପ୍ରଯୁକ୍ତି ତଥ୍ୟ ଯୋଗାଇପାରେ, କିନ୍ତୁ ସେହି ତଥ୍ୟର ଅର୍ଥ ବୁଝାଇବା, ଠିକ୍ ଓ ଭୁଲ୍ ମଧ୍ୟରେ ପାର୍ଥକ୍ୟ ଶିଖାଇବା, ପିଲାଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିବା ଓ ତାଙ୍କ ଚିନ୍ତାଶକ୍ତିର ବିକାଶ ଘଟାଇବା ହେଉଛି ଶିକ୍ଷକଙ୍କ ଦାୟିତ୍ୱ। ତେଣୁ ଶିକ୍ଷକମାନଙ୍କ ପାଇଁ ନିୟମିତ ପ୍ରଶିକ୍ଷଣ, କାର୍ଯ୍ୟଶାଳା ଓ ପ୍ରଯୁକ୍ତିଗତ ସହାୟତାର ବ୍ୟବସ୍ଥା ରହିବା ମଧ୍ୟ ଜରୁରି। ତେଣୁ ଡିଜିଟାଲ ଶିକ୍ଷାକୁ କେବଳ ନୂଆ କମ୍ପ୍ୟୁଟର କିଣିବା କିମ୍ବା ନୂଆ ଯୋଜନା ଘୋଷଣା କରିବାରେ ସୀମିତ ନ ରଖି ଏହାକୁ ଏକ ସମୟବଦ୍ଧ ଓ ଫଳାଫଳଭିତ୍ତିକ କାର୍ଯ୍ୟକ୍ରମରେ ପରିଣତ କରିବାକୁ ହେବ।
ପ୍ରଥମତଃ, ପ୍ରତ୍ୟେକ ବିଦ୍ୟାଳୟରେ କାର୍ଯ୍ୟକ୍ଷମ କମ୍ପ୍ୟୁଟର ପରୀକ୍ଷାଗାର ସହିତ ନିୟମିତ ରକ୍ଷଣାବେକ୍ଷଣ ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା କରାଯିବା ଆବଶ୍ୟକ। ଯନ୍ତ୍ରପାତିର ମରାମତି ସହିତ ସଫ୍‌ଟୱେର ଅପଡେଟ ଆଦି ଏଥିରେ ଅନ୍ତର୍ଭୁକ୍ତ। ଆବଶ୍ୟକ ପଡ଼ିଲେ ଯନ୍ତ୍ରାଂଶ କିଣିବାକୁ ହେବ, ଯେଉଁଥି ଲାଗି ନିୟମିତ ଅର୍ଥ ବରାଦ ରହିବା ଉଚିତ। ଦ୍ୱିତୀୟତଃ, ଶିକ୍ଷକ ପ୍ରଶିକ୍ଷଣକୁ ସର୍ବାଧିକ ପ୍ରାଥମିକତା ଦେବାକୁ ହେବ। ଏ ପରିପ୍ରେକ୍ଷୀରେ ଡିଜିଟାଲ ଉପକରଣକୁ ପାଠ୍ୟକ୍ରମ ସହ ଯୋଡ଼ିବା, ଅନଲାଇନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ଓ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଅଗ୍ରଗତି ମୂଲ୍ୟାୟନ କରିବାର ପ୍ରଶିକ୍ଷଣ ଆବଶ୍ୟକ। ତୃତୀୟତଃ, ଓଡ଼ିଆ ଭାଷାରେ ଡିଜିଟାଲ ଶିକ୍ଷଣ ସାମଗ୍ରୀର ବିକାଶ କରାଯିବା ଜରୁରି। ଗ୍ରାମାଞ୍ଚଳର ଅନେକ ପିଲାଙ୍କ ପାଇଁ ଇଂରେଜୀ ଭାଷା ଏକ ବଡ଼ ପ୍ରତିବନ୍ଧକ। ତେଣୁ ବିଭିନ୍ନ ବିଷୟର ଗୁଣାତ୍ମକ ଡିଜିଟାଲ ପାଠ୍ୟସାମଗ୍ରୀ ଓଡ଼ିଆରେ ଉପଲବ୍‌ଧ କରାଯିବା ଆବଶ୍ୟକ। ଏହାଦ୍ୱାରା ମାତୃଭାଷା ମାଧ୍ୟମରେ ଶିକ୍ଷା ଲାଭ କରୁଥିବା ପିଲାମାନେ ମଧ୍ୟ ଡିଜିଟାଲ ଶିକ୍ଷାର ସମାନ ସୁଯୋଗ ପାଇପାରିବେ। ଚତୁର୍ଥତଃ, ଡିଜିଟାଲ ଶିକ୍ଷାର ସୁବିଧାକୁ ସହର ଓ ଗ୍ରାମ ମଧ୍ୟରେ ସମାନ ଭାବେ ପହଞ୍ଚାଇବାକୁ ହେବ। ସେଥି ଲାଗି ଆଦିବାସୀ ଅଞ୍ଚଳ, ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଓ ଦୁର୍ବଳ ଯୋଗାଯୋଗ ବ୍ୟବସ୍ଥା ଥିବା ଅଞ୍ଚଳକୁ ସ୍ୱତନ୍ତ୍ର ପ୍ରାଥମିକତା ଦିଆଯିବା ଉଚିତ। ଇଣ୍ଟରନେଟ ସଂଯୋଗ ନଥିବା ସ୍ଥାନରେ ଅଫଲାଇନ ଡିଜିଟାଲ ଶିକ୍ଷଣ ସାମଗ୍ରୀ ଯୋଗାଇବା ମଧ୍ୟ ଏକ ବିକଳ୍ପ ହୋଇପାରେ। ପଞ୍ଚମତଃ, ବିଦ୍ୟାଳୟରେ ଡିଜିଟାଲ ସାକ୍ଷରତା ସହିତ ସାଇବର ସୁରକ୍ଷା ଓ ଦାୟିତ୍ୱପୂର୍ଣ୍ଣ ଇଣ୍ଟରନେଟ ବ୍ୟବହାର ସମ୍ପର୍କରେ ଶିକ୍ଷା ଦିଆଯିବା ଆବଶ୍ୟକ। ଅନଲାଇନ ଠକେଇ, ଭୁଲ୍ ଖବର, ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର ଓ ସାଇବର ନିର୍ଯାତନା ଭଳି ବିପଦ ସମ୍ପର୍କରେ ପିଲାମାନଙ୍କୁ ସଚେତନ କରିବାକୁ ହେବ।
ଡିଜିଟାଲ ଶିକ୍ଷାର ସଫଳତା ମାପିବା ପାଇଁ କେବଳ କେତେ ବିଦ୍ୟାଳୟରେ କମ୍ପ୍ୟୁଟର ଅଛି କିମ୍ବା କେତେ ବିଦ୍ୟାଳୟରେ ଇଣ୍ଟରନେଟ ସଂଯୋଗ ରହିଛି, ତାହା ଯଥେଷ୍ଟ ନୁହେଁ। କେତେ ଛାତ୍ରଛାତ୍ରୀ ନିୟମିତ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି, କେତେ ଶିକ୍ଷକ ଏହାକୁ ଶିକ୍ଷାଦାନରେ ଉପଯୋଗ କରୁଛନ୍ତି ଏବଂ ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଦକ୍ଷତାରେ କେତେ ଉନ୍ନତି ଘଟୁଛି, ତାହାର ପ୍ରକୃତ ମୂଲ୍ୟାୟନ କରାଯିବା ଦରକାର।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୩୩୭୫୦୮୫୯୨

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button