ଦେଶ ବିଦେଶ

ମହମ୍ମଦ ୟୁନୁସ୍‌ଙ୍କ ପୈତୃକ ଘରେ ନିଆଁ ଲଗାଇଦେଲେ; ହିଂସାରେ ଜଳୁଛି ବାଂଲାଦେଶ

ବୁଧବାର ରାତି ପ୍ରାୟ ୧୧ଟା ୩୦ରେ ଚଟ୍ଟଗ୍ରାମର ପଞ୍ଚଲାଇଶ୍‌ ଅଞ୍ଚଳରେ ଥିବା ୟୁନୁସ୍‌ଙ୍କ ପୈତୃକ ବାସଭବନର ତଳ ମହଲାର ଏକ ଅବ୍ୟବହୃତ କୋଠରିରେ ନିଆଁ ଲଗାଯାଇଥିଲା । ପୁଲିସ ପାଟ୍ରୋଲିଂ ସମୟରେ ନିଆଁ ଦେଖି ତୁରନ୍ତ ଏହାକୁ ଲିଭାଇଥିଲା ।

ଢାକା : ବାଂଲାଦେଶରେ ରାଜନୈତିକ ହିଂସା ଉଗ୍ର ରୂପ ନେଇଛି । ଦେଶର ପୂର୍ବତନ ଅନ୍ତରୀଣ ସରକାର ମୁଖ୍ୟ ତଥା ନୋବେଲ୍‌ ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍‌ଙ୍କ ପୈତୃକ ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି । ଏଥିସହ ରାଜଧାନୀ ଢାକା ସମେତ ବିଭିନ୍ନ ଅଞ୍ଚଳରେ ବୋମା ବିସ୍ଫୋରଣ, ଗାଡ଼ି ପୋଡ଼ାଜଳା ଓ ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଗୁରୁବାର ବହିଷ୍କୃତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଆୱାମୀ ଲିଗ୍‌ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଥିବାବେଳେ ସରକାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି ।

ବୁଧବାର ରାତି ପ୍ରାୟ ୧୧ଟା ୩୦ରେ ଚଟ୍ଟଗ୍ରାମର ପଞ୍ଚଲାଇଶ୍‌ ଅଞ୍ଚଳରେ ଥିବା ୟୁନୁସ୍‌ଙ୍କ ପୈତୃକ ବାସଭବନର ତଳ ମହଲାର ଏକ ଅବ୍ୟବହୃତ କୋଠରିରେ ନିଆଁ ଲଗାଯାଇଥିଲା । ପୁଲିସ ପାଟ୍ରୋଲିଂ ସମୟରେ ନିଆଁ ଦେଖି ତୁରନ୍ତ ଏହାକୁ ଲିଭାଇଥିଲା । ପଞ୍ଚଲାଇଶ୍‌ ଥାନା ଅଧିକାରୀ ମୋଜାମେଲ ହକ୍‌ଙ୍କ କହିବା ଅନୁଯାୟୀ, ଜ୍ୱଳନଶୀଳ ପଦାର୍ଥ ଫିଙ୍ଗି ନିଆଁ ଲଗାଯାଇଥିବା ସନ୍ଦେହ କରାଯାଉଛି । ଘରର ଉପର ମହଲାରେ ରହୁଥିବା ୟୁନୁସ୍‌ଙ୍କ ଦୁଇ ଭାଇଙ୍କ ପରିବାର ସୁରକ୍ଷିତ ଅଛନ୍ତି। ଘଟଣାର ତଦନ୍ତ ଚାଲିଛି ।

ଅନ୍ୟପକ୍ଷରେ, ଢାକାର ବିଭିନ୍ନ ସ୍ଥାନରେ ଗୁରୁବାର ଭୋର୍‌ରୁ ଦେଶୀ ବୋମା ବିସ୍ଫୋରଣ ଘଟିଛି । ଏଥିରେ ଅତି କମ୍‌ରେ ୪ ଜଣ ଆହତ ହୋଇଥିବା ରିପୋର୍ଟ ମିଳିଛି । ଗତ ୧୦ ତାରିଖରୁ ୟୁନୁସ୍‌ଙ୍କ ପ୍ରତିଷ୍ଠିତ ଗ୍ରାମୀଣ ବ୍ୟାଙ୍କର ଅତି କମ୍‌ରେ ୩୭ଟି ଶାଖା ଓ କାର୍ଯ୍ୟାଳୟରେ ନିଆଁ ଲଗାଇବା ଓ ଭଙ୍ଗାରୁଜା ଘଟଣା ଘଟିଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଦେଶର ୬୪ଟି ଜିଲ୍ଲା ମଧ୍ୟରୁ ୨୮ଟିରେ ବୋମା ବିସ୍ଫୋରଣ ଓ ଗାଡ଼ି ପୋଡ଼ାଜଳା ଘଟଣା ରେକର୍ଡ ହୋଇଛି ।

ହସିନାଙ୍କ ଆୱାମୀ ଲିଗ୍‌ ଗୁରୁବାର ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି । ଗତବର୍ଷ ଛାତ୍ର ଆନ୍ଦୋଳନ ଦମନ ସମୟରେ ମାନବତା ବିରୋଧୀ ଅପରାଧ ଅଭିଯୋଗରେ ହସିନାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ପ୍ରଥମ ବାର୍ଷିକୀ ସହ ଏହି ବନ୍ଦ ଡାକରା ଜଡ଼ିତ । ୨୦୨୪ ଅଗଷ୍ଟ ୫ରେ କ୍ଷମତାଚ୍ୟୁତ ହେବା ପରଠାରୁ ହସିନା ଭାରତରେ ରହୁଛନ୍ତି । ଆସନ୍ତା ଡିସେମ୍ବରରେ ବାଂଲାଦେଶ ଫେରିବାକୁ ସେ ଘୋଷଣା କରିବା ପରେ ରାଜନୈତିକ ଉତ୍ତେଜନା ବଢ଼ିଛି । ନୂଆ ପାସ୍‌ପୋର୍ଟ ଓ ପରିଚୟପତ୍ର ପାଇଁ ତାଙ୍କ ଅନୁରୋଧକୁ ସରକାର ପ୍ରତ୍ୟାଖ୍ୟାନ କରିଥିବାରୁ ଆୱାମୀ ଲିଗ୍‌ ଏହାର ପ୍ରତିବାଦ କରୁଛି ।

ହିଂସା ରୋକିବା ପାଇଁ ବାଂଲାଦେଶର ୭ଟି ଜିଲ୍ଲାରେ ସୀମା ସୁରକ୍ଷା ବାହିନୀର ୯୭ ପ୍ଲାଟୁନ୍‌ ଯବାନ ମୁତୟନ ହୋଇଛନ୍ତି । ଢାକାରେ ୨୪ ଘଣ୍ଟା ମଧ୍ୟରେ ୫୬୫ ଜଣଙ୍କୁ ପୁଲିସ ଗିରଫ କରିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଦୁଇ ରାଜନୈତିକ ଗୋଷ୍ଠୀର କର୍ମୀଙ୍କ ମଧ୍ୟରେ ସଂଘର୍ଷରେ ମଧ୍ୟ ଲୋକ ମୃତାହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ତାରିକ୍‌ ରହମାନ ଗଣତାନ୍ତ୍ରିକ ଶକ୍ତିଗୁଡ଼ିକୁ ଏକଜୁଟ୍‌ ହୋଇ ଦେଶରେ ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button