ଜାତିସଂଘରେ ପାକିସ୍ତାନକୁ ଘେରିଲା ଭାରତ; ଟ୍ରମ୍ପଙ୍କୁ ମୁନିର ଖଣିଜ ପଥର ଭର୍ତ୍ତି ବାକ୍ସ ଦେଖାଇବା ଘଟଣାକୁ ନେଇ ଟାର୍ଗେଟ୍
ପ୍ରାକୃତିକ ସମ୍ପଦ ଉପରେ ଜାତିସଂଘ ଅଧିବେଶନରେ ଉଦ୍ବୋଧନ ଦେବା ସମୟରେ ଭାରତର ରାଷ୍ଟ୍ରଦୂତ ପର୍ବତାନେନି ହରୀଶ ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କୁ ଟାର୍ଗେଟ୍ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ନନେଇ ସେ କହିଛନ୍ତି, ଗତ ସେପ୍ଟେମ୍ବରରେ ପାକିସ୍ତାନର ସେନାମୁଖ୍ୟ ଖଣିଜ ପଥର ଭର୍ତ୍ତି ଏକ କାଠବାକ୍ସ ବିଦେଶୀ ନେତାମାନଙ୍କୁ ଦେଖାଇଥିଲେ ।

ନୂଆଦିଲ୍ଲୀ : ଜାତିସଂଘରେ ପୁଣିଥରେ ପାକିସ୍ତାନକୁ ଘେରିଛି ଭାରତ । ପାକିସ୍ତାନ ସେନା ଉପରେ ତୀବ୍ର ଆକ୍ରମଣ କରି ଭାରତ କହିଛି ଯେ, ସେନା ଦେଶର ପ୍ରାକୃତିକ ସମ୍ପଦକୁ ସାଧାରଣ ଲୋକଙ୍କ ହିତରେ ବ୍ୟବହାର ନକରି ନିଜସ୍ୱ ସ୍ୱାର୍ଥ ପାଇଁ ହଡ଼ପ କରୁଛି ।
ପ୍ରାକୃତିକ ସମ୍ପଦ ଉପରେ ଜାତିସଂଘ ଅଧିବେଶନରେ ଉଦ୍ବୋଧନ ଦେବା ସମୟରେ ଭାରତର ରାଷ୍ଟ୍ରଦୂତ ପର୍ବତାନେନି ହରୀଶ ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କୁ ଟାର୍ଗେଟ୍ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ନନେଇ ସେ କହିଛନ୍ତି, ଗତ ସେପ୍ଟେମ୍ବରରେ ପାକିସ୍ତାନର ସେନାମୁଖ୍ୟ ଖଣିଜ ପଥର ଭର୍ତ୍ତି ଏକ କାଠବାକ୍ସ ବିଦେଶୀ ନେତାମାନଙ୍କୁ ଦେଖାଇଥିଲେ । ଏହା ପାକିସ୍ତାନର ପ୍ରାକୃତିକ ସମ୍ପଦ ଶୋଷଣରେ ସେନାର ପ୍ରତ୍ୟକ୍ଷ ଭୂମିକାକୁ ଦର୍ଶାଉଛି ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ହ୍ୱାଇଟ୍ ହାଉସ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଓ ପାକ୍ ସେନାମୁଖ୍ୟ ଅସୀମ ମୁନିରଙ୍କ ସାକ୍ଷାତ ହୋଇଥିଲା । ଏହି ସମୟରେ ମୁନିର କିଛି ବିରଳ ଖଣିଜ ପଦାର୍ଥ ଥିବା ଏକ କାଠବାକ୍ସ ଟ୍ରମ୍ପଙ୍କୁ ଦେଖାଇଥିଲେ । ଏହାର ଫଟୋ ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି କରାଯାଇଥିଲା । ଏହି ଘଟଣାକୁ ଇଙ୍ଗିତ କରି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ହରୀଶ ପାକ୍ ସେନା ମୁଖ୍ୟଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ପାକିସ୍ତାନର ବାସ୍ତବ ଶାସକ ଏହାର ସେନା ଯଦି ଦେଶର ପ୍ରାକୃତିକ ସମ୍ପଦକୁ ନିଜ ସ୍ୱାର୍ଥ ବଦଳରେ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରନ୍ତା, ତେବେ ଦେଶବାସୀ ଭଲରେ ରହିପାରନ୍ତେ । ପ୍ରାକୃତିକ ସମ୍ପଦ ଶୋଷଣରେ ସେନାର ପ୍ରତ୍ୟକ୍ଷ ସମ୍ପୃକ୍ତି ସହ ସେ ଖାଇବର ପଖତୁନଖ୍ୱା (କେପି)ରେ ଜରୁରିକାଳୀନ ଶାସନ ଜାରି ହେବା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ।
ସୌଜନ୍ୟ ସମ୍ବାଦ




